ଭୁବନେଶ୍ୱରରେ ସରକାରୀ ଜମି ଜବର ଦଖଲ ଅଭିଯୋଗ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ସରକାରୀ ଜମି ଜବରଦଖଲ କରି ଗଢି ଉଠିଥିବା ଘର ଓ ଧର୍ମାନୁଷ୍ଠାନଗୁଡିକୁ ଭଙ୍ଗା ଯାଉ ନାହିଁ ଅଭିଯୋଗ କରି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଖୋର୍ଦ୍ଧା କଲ୍ୟାଣପୁରର ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ପୂର୍ବରୁ ୨୦୧୪ରେ ଭୁବନେଶ୍ୱରର ବାଲିପଡା, କଣ୍ଟୁଣିଆ, ଖଇରାପଡା, ଗଣ୍ଡରପୁର ଓ ବରିମୁଣ୍ଡା ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ୨୦୧୪, ଡିସେମ୍ବର ୨୨ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ଏହି ସବୁ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରାଚୀ ଜଳସେଚନ ଡିଭିଜନ ଅଧିକାରୀଙ୍କ ସହିତ ରାଜସ୍ୱ ବିଭାଗ ଓ ପୁଲିସ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ୧୧୪ଟି ବେଆଇନ ନିର୍ମାଣକୁ ୨୦୧୫ରେ ଭଙ୍ଗା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଏହି ସବୁ ସ୍ଥାନ ଜବର ଦଖଲ କରାଯାଇଛି। ନଦୀବନ୍ଧ ଓ ଏହାର ଆଖପାଖ ଅଞ୍ଚଳ ଜବରଦଖଲ କରାଯାଇଥିବା ବେଳେ ବହୁ ବ୍ୟକ୍ତି ସରକାରୀ ଜମିରେ ଘର, କ୍ଲବ ଓ ବିଭିନ୍ନ ଧର୍ମାନୁଷ୍ଠାନ ନିର୍ମାଣ କରିଛନ୍ତି। ଏ ସଂପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଉପରୋକ୍ତ ଅଞ୍ଚଳ ସହିତ ମଞ୍ଚେଶ୍ୱର, ଜରିପଡା(ବନମାଳିପୁର), ଗଣ୍ଡରପୁର, ବରିମୁଣ୍ଡ ଭଳି ଅଞ୍ଚଳରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଚ୍ୟୁତାନନ୍ଦ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଆଇନ ସଚିବ, ପୂର୍ତ୍ତ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ଡିସିପି, ୫ ନମ୍ବର ଜୋନ୍‌ ଏସିପି ଓ ପ୍ରାଚୀ ଡିଭିଜନ ନର୍ବାହୀ ଯନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର