ପୂର୍ବ ଭାରତର ସର୍ବବୃହତ୍‌ ‘କଳାଭୂମି’ ଉଦ୍‌ଘାଟିତ

ଭୁବନେଶ୍ୱର ହେଲା ସଂଗ୍ରହାଳୟର ସହର

0 151

ଭୁବନେଶ୍ୱର: କଳା, ଐତିହ୍ୟ ଓ ସାଂସ୍କୃତିକ ବିବିଧତାର ଏକ ଅନନ୍ୟ ସ୍ମାରକୀ ଆଜି ଲୋକାର୍ପିତ ହୋଇଛି। ନାଁ ରହିଛି, କଳାଭୂମି। ପୋଖରୀପୁଟ ନିକଟରେ ୧୨.୬୮ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ‘ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ’। ୨୦୧୨ରୁ ପରିକଳ୍ପିତ ପ୍ରସ୍ତାବ ଆଜି ବାସ୍ତବ ରୂପ ନେଇଛି। ଦିଲ୍ଲୀସ୍ଥିତ ଜାତୀୟ ହସ୍ତଶିଳ୍ପ ସଂଗ୍ରହାଳୟ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ଏହି ସଂଗ୍ରହାଳୟର ନାମ ଅନୁସାରେ ଏହି ଅଞ୍ଚଳର ନାମ ବି ହୋଇଛି ‘ଶିଳ୍ପୀ ବିହାର’। ୩୪କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସଂଗ୍ରହାଳୟ ପରିସରରେ ପ୍ରତିଷ୍ଠା ହୋଇଥିବା ୧୦ଟି ଗ୍ୟାଲେରି ସମେତ ଏକ ମୁକ୍ତାକାଶ ରଙ୍ଗମଞ୍ଚ, ଫୁଡ୍‌ ଜୋନ୍‌, ବିକ୍ରୟ କେନ୍ଦ୍ର, ଗେମ୍‌ ଜୋନ୍‌ ବି ରହିଛି। ରାଜ୍ୟ ସଂଗ୍ରହାଳୟ, ଜନଜାତି ସଂଗ୍ରହାଳୟ ପରେ ଏହି ହସ୍ତଶିଳ୍ପ ସଂଗ୍ରହାଳୟ ଭୁବନେଶ୍ୱରକୁ ସଂଗ୍ରହାଳୟ ସହରର ପରିଚୟ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସଂଗ୍ରହାଳୟକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ କାରିଗରଙ୍କ ସୁଖ ଦୁଃଖରେ ସାହା ହେବା ପାଇଁ ‘ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ’ ଗଠନ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଏହାକୁ ଓଡ଼ିଶା ଇତିହାସ ଓ ସାଂସ୍କୃତିକ ଇତିହାସର ଏକ ଗୌରବମୟ ମୁହୂର୍ତ ବୋଲି ଅଭିିହିତ କରି କହିଲେ, କଳା ଓ ସଂସ୍କୃତି ଗୋଟେ ଜାତିର ଆତ୍ମା। ଆମ ହସ୍ତଶିଳ୍ପ ଓ ହସ୍ତତନ୍ତ ସାରା ରାଜ୍ୟର ଗୌରବ ବଢ଼ାଇବା ସହ ଆମକୁ ପରିଚୟ ଦେଇଛି। ତେଣୁ ଏହାର ସଂରକ୍ଷଣ ଓ ଡକ୍ୟୁମେଣ୍ଟେସନ୍‌ ଆମ ସମସ୍ତଙ୍କ ଦାୟିତ୍ୱ। ସେହିପରି କାରିଗରଙ୍କୁ ପ୍ରୋତ୍ସାହନ ପାଇଁ ଆମେ ସମସ୍ତେ ଉପହାର ଦେବା ବେଳେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀକୁ ପ୍ରାଧାନ୍ୟ ଦେବା ବୋଲି ସେ କହିଥିଲେ। ଜାତୀୟ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା କାରିଗରମାନଙ୍କୁୁ ସେମାନଙ୍କ କଳାକୃତିକୁ ପ୍ରଦର୍ଶନ କରିବା ପାଇଁ ଏହି ସଂଗ୍ରହାଳୟ ମଧ୍ୟରେ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ପୂର୍ବ ଭାରତର ସବୁଠୁ ବଡ଼ ହସ୍ତଶିଳ୍ପ ସଂଗ୍ରହାଳୟ ଭାବେ ବିବେଚିତ ଏହି ସଂଗ୍ରହାଳୟ ପରିସରରେ ବର୍ତମାନ ସୁଦ୍ଧା ୮ଟି ଗ୍ୟାଲେରି ଖୋଲିଛି।

ଗ୍ୟାଲେରି ମଧ୍ୟରେ ୧୯୪୧ କଳା ଶିଳ୍ପ ମହଜୁଦ ରଖାଯାଇଛି। ଏହା ମଧ୍ୟରେ ୧୦୦ ବର୍ଷରୁ ଊର୍ଧ୍ୱ ସମୟର ପୁରାତନ କଳା ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହେଉଛି। ୨୦୧୨ ମସିହାର ପରିକଳ୍ପିତ ଏହି ସଂଗ୍ରହାଳୟ ଆସନ୍ତା ୨୫ ତାରିଖରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯିବ ବୋଲି ସୂଚନା ମିଳିଛି। ଏହି ସଂଗ୍ରହାଳୟର ପରିକଳ୍ପନା ଓ ସୌନ୍ଦର୍ଯ୍ୟକରଣର ନକ୍ସା ପ୍ରସ୍ତୁତ ସହ ଦାୟିତ୍ୱ ନେଇଥିଲେ ଜାତୀୟ ହସ୍ତଶିଳ୍ପ ସଂଗ୍ରହାଳୟର ପୂର୍ବତନ ନିର୍ଦେଶକ ପ୍ରଫେସର ଜ୍ୟୋତିନ୍ଦ୍ର ଜୈନ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, କଳା ଓ କାରିଗରୀକୁ ସଂରକ୍ଷଣ କରିବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ତେଣୁ ଏ ଦୃଷ୍ଟିରୁ ଏହି ସଂଗ୍ରହାଳୟର ପ୍ରତିଷ୍ଠା ନିଶ୍ଚିତ ଅବିସ୍ମରଣୀୟ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌ ବାଲକ୍ରିଷ୍ଣନ୍‌ କହିଲେ, ସଂପ୍ରତି ଭୁବନେଶ୍ୱର ସଂଗ୍ରହାଳୟର ସହର ଭାବେ ପରିଚିତ। ଓଡ଼ିଶାରେ ନବକଳେବର ହେଉ ଅବା ପ୍ରତିବର୍ଷ ନୂଆ ରଥ ନିର୍ମାଣ ହେବାର ଏକମାତ୍ର କାରଣ ହେଉଛି ସମୃଦ୍ଧ କଳା କାରିଗରୀକୁ କାରିଗରଙ୍କ ମାଧ୍ୟମରେ ବଜାୟ ରଖିବା। ପୁଣି ଓଡ଼ିଶା ଏମିତି ଏକ ରାଜ୍ୟ ଯେଉଁଠି କାରିଗରମାନେ କହିପାରନ୍ତି, ଆମକୁ ଟଙ୍କା ଦିଅ ଆମେ ଆଉ ଗୋଟେ କୋଣାର୍କ ଗଢ଼ି ଦେବୁ। ଓଡ଼ିଶାର କାରିଗରମାନଙ୍କ କଳାତ୍ମକ ଆତ୍ମବିଶ୍ୱାସର ଏହା ଜ୍ୱଳନ୍ତ ଉଦାହରଣ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ନୂତନ ଭାବେ ଗଠିତ ‘ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ’ର ଅଧ୍ୟକ୍ଷ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୁଲଗ୍ନା ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାରିଗରଙ୍କ ଦୁଃଖ ବୁଝିବ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ପରିଷଦ
କାରିଗର ଓ ବୁଣାକାରଙ୍କୁ କଞ୍ଚାମାଲ୍‌ ନେଇ ଉପୁଜୁଥିବା ସମସ୍ୟାର ସମାଧାନ ସହ ବଜାର ଯୋଗାଇ ଦେବା ନେଇ ସହଯୋଗ କରିବ ‘ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ’। ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁ ଏହି ପରିଷଦର ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି। ପରିଷଦରେ ମୋଟ୍‌ ୨୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୯ ଜଣ ରାଜ୍ୟର ବିଭିନ୍ନ ଅଞ୍ଚଳର କାରିଗର। ଅନ୍ୟ ୩ ଜଣ ସରକାରୀ ଅଧିକାରୀ ଏହି ପରିଷଦରେ ରହିଛନ୍ତି। ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଏନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ସରକାର ଗୁରୁତ୍ୱକୁ ଉପଲବ୍ଧି କରି ପରିଷଦ ଗଠନ କରିଛନ୍ତି।

୮ ଗ୍ୟାଲେରିରେ ୧୦୦ ବର୍ଷର ୧୯୪୧ ହସ୍ତଶିଳ୍ପ

ସଂଗ୍ରହାଳୟ ପରିସରରେ ‘ଟେରାକୋଟା ଗ୍ୟାଲେରି’ ମଧ୍ୟରେ ୨୧୫ଟି ଟେରାକୋଟା ସାମଗ୍ରୀ ରହିଥିବା ବେଳେ ‘ପାରମ୍ପରିକ ପେଣ୍ଟିଂ ଗ୍ୟାଲେରି’ରେ ୧୭୫ଟି ପେଣ୍ଟିଂ, ତାଳପତ୍ର ଖୋଦେଇ କଳା, ମୁଖା କଳା, କାଠ ଖୋଦେଇ କଳା ରହିଛି। ‘ପଥର ଓ କାଠ ଖୋଦେଇ ଗ୍ୟାଲେରି’ରେ୧୭୮ଟି ମନ୍ଦିର ସ୍ଥାପତ୍ୟ, ପଥର ଓ କାଠ ଖୋଦେଇ କଳା ରହିଥିବା ବେଳେ ‘ଧାତୁ କଳା ଗ୍ୟାଲେରି’ରେ ୪୨୮ଟି ତମ୍ବା, ଡୋକ୍ରା, ଚାନ୍ଦି କଳାକୃତି ରହିଛି। ‘ହସ୍ତତନ୍ତ ଗ୍ୟାଲେରି’ରେ ରାଜ୍ୟର ୧୧୩ଟି ହାତବୁଣା ହସ୍ତତନ୍ତ ପ୍ରଦର୍ଶିତ ହେଉଥିବା ବେଳେ ‘ପ୍ରାକୃତିକ ସାମଗ୍ରୀ କଳା ଗ୍ୟାଲେରି’ରେ ୨୦୪ଟି ଧାନ, ଶିଙ୍ଘ, ସବାଇଘାସ, ନଡ଼ା, ଷଢ଼େଇ, ଚାନ୍ଦୁଆ, ଗୋବର କଣ୍ଢେଇ ଓ ବେତ କଳା ରହିଛି। ‘ବୁଣା ସାମଗ୍ରୀ କୌଶଳ ଗ୍ୟାଲେରି’ରେ ରେଶମ ବୁଣା ପ୍ରକ୍ରିୟାକୁ ନେଇ ୧୧୮ଟି ସାମଗ୍ରୀ ପ୍ରଦର୍ଶିତ ହେଉଥିବା ବେଳେ ‘ଆଦିବାସୀ କଳା ଓ ହସ୍ତଶିଳ୍ପ ଗ୍ୟାଲେରି’ରେ ୫୧୦ ପ୍ରକାରର ଆଦିବାସୀ ହସ୍ତତନ୍ତ, ଘରକରଣା ଆସବାବ, ଅଳଙ୍କାର ଓ ଅସ୍ତ୍ର ଶୋଭା ପାଉଛି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଏସବୁକୁ ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.