ରସୁଲଗଡ଼ ଛକରେ ଦିଶିବ ଭୁବନେଶ୍ବରର ଛବି, ସ୍କ୍ରାପ୍‌ରେ ନିର୍ମାଣ ହେଉଛି ୱାଟର ମ୍ୟୁଜିୟମ୍

ଭୁବନେଶ୍ବର: ଅବ୍ୟବହୃତ ଲୁହାକୁ ଶିଳ୍ପୀ ଦେଉଛନ୍ତି ଜୀବନ୍ତ ରୂପ। ଜଳ ହିଁ ଜୀବନର ବାର୍ତ୍ତାରୁ ଆରମ୍ଭ କରି ମନ୍ଦିରମାଳିନୀ ସହର ଭୁବନେଶ୍ବରର ଅନନ୍ୟ ପରିଚୟକୁ ଗୋଟିଏ ସ୍ଥାନରେ ପ୍ରତିକୃତି ଆକାରରେ ସଜାଉଛନ୍ତି। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ‌କେଇ ମିନିଟ୍‌ ଛିଡ଼ା ହୋଇଗଲେ ଆଖି ଆଗରେ ଝଲସି ଉଠିବ ଭୁବନେଶ୍ବରର ଜୀବନ୍ତ ଛବି। ଏହିଭଳି ପରିକଳ୍ପନା ନେଇ ରସୁଲଗଡ଼ ଛକରେ ନୂଆ ସ୍ଥାପତ୍ୟ ‘ନିରନ୍ତର ବିକାଶ’ କରୁଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଶ୍ରୀଲିଙ୍ଗରାଜ ମନ୍ଦିର, କେଦାରଗୌରୀ, ନନ୍ଦନକାନନ, ବିମାନ ବନ୍ଦରର ପ୍ରତିକୃତିକୁ ସ୍ଥାପତ୍ୟ କାରୁକାର୍ଯ୍ୟରେ ସଜାଉଛନ୍ତି ଅନ୍ତର୍ଜାତୀୟସ୍ତରର ସ୍ଥପତି ମାନବ ଗୁପ୍ତା। ରାଜଧାନୀର ବ୍ୟସ୍ତବହୁଳ ଛକ ତଥା ଟ୍ରକ୍‌ ଛକ କୁହାଯାଉଥିବା ରସୁଲଗଡ଼‌ର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି ଏନ୍‌ଏଚ୍ଆଇ। ଏନ୍‌ଏଚ୍ଆଇ ପକ୍ଷରୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ୱେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ଜେପିଏଲ୍‌) ସହାୟତାରେ ଏଠାରେ ‘ୱାଟର ମ୍ୟୁଜିୟମ ଆଣ୍ଡ ସଷ୍ଟେନେବୁଲ ଡେଭଲପ୍‌ମେଣ୍ଟ’ ଥିମ୍‌କୁ ନେଇ ସୌନ୍ଦର୍ଯ୍ୟକରଣ କରାଯାଉଛି। ହକି ବିଶ୍ବକପ୍‌ ଆୟୋଜନ ପୂର୍ବରୁ ଯେଉଁ ସବୁ କଳାକୃତି ସହରବାସୀ ଦେଖିଥିଲେ ତା’ ଠାରୁ ଭିନ୍ନ ତଥା ଏକ ନିଆରା କାରୁକାର୍ଯ୍ୟ ଏଠାରେ ଉପସ୍ଥାପନ ହେବାକୁ ଯାଉଛି। ପାଣିର ପୁନର୍ବିନିଯୋଗ ଏହି କଳାକୃତିର ପ୍ରମୁଖ ବାର୍ତ୍ତା ହେବ ବୋଲି ସେ କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏ ସବୁ କେବଳ ସ୍କ୍ରାପ୍‌ରେ ପ୍ରସ୍ତୁତ ହେଉଛି। କଠିନ ବର୍ଜ୍ୟବସ୍ତୁକୁ ଏକ ସୁନ୍ଦର ରୂପ ଦିଆଯାଉଛି। ଯାହରା ଏହି କଳାକୃତିର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ ବୋଲି କହିଛନ୍ତି ମାନବ ଗୁପ୍ତା। ଜଳଉତ୍ସର ପ୍ରତୀକ ଭାବରେ ଏଠାରେ ସ୍କ୍ରାପ୍‌ରେ ଏକ ଟ୍ୟୁବ୍‌ୱେଲ ପ୍ରସ୍ତୁତ କରାଯାଇଛି। ଏହି ଟ୍ୟୁବ୍‌ୱେଲ୍‌ ପାଖରୁ ବୋହି ଯାଉଥିବା ପାଣି କିଛି ଦୂରରେ ଏହି କଳାକୃତି ପାଖରେ ପହଞ୍ଚି ପୁନର୍ବିନିଯୋଗ କରାଯାଉଥିବା ଦର୍ଶାଯାଇଛି। କୌଣସି ନୂଆ ଜିନିଷ ବିନା କେବଳ ସ୍କ୍ରାପ୍‌ରେ ହେଉଥିବାରୁ ଏହି ‘ପବ୍ଲିକ୍‌ ଆର୍ଟ’ପାଇଁ କୌଣସି ଏକ ବଡ଼ ବଜେଟ୍‌ ନାହିଁ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି। ୟୁଏସ୍‌ଏରେ ଚିଲମରେ ମହୁଫେଣା, ଦକ୍ଷିଣ ଆଫ୍ରିକାରେ ଦୀପରେ ନଦୀ, ଦିଲ୍ଲୀରେ ଚିଲମରେ ବର୍ଷା ଟୋପା ସହ ଲଣ୍ଡନ, ଓମାନ୍‌, ନ୍ୟୁୟର୍କ ପ୍ରଭୃ୍ତି ସ୍ଥାନରେ ଏଭଳି ବିଭିନ୍ନ ପବ୍ଲିକ୍‌ ଆର୍ଟ ତିଆରି କରି ମାନବ ଚର୍ଚ୍ଚିତ ହୋଇଛନ୍ତି। ସ୍ମାର୍ଟ ସିଟିରେ ତାଙ୍କର ଏହା ପ୍ରଥମ ‘ପବ୍ଲିକ ଆର୍ଟ’ ହେବାକୁ ଯାଉଛି। ତେଣୁ ଏହା କିଭଳି ସମସ୍ତଙ୍କୁ ଆକୃଷ୍ଟ କରିପାରିବ ସେ ନେଇ ସେ ଲାଗି ପଡ଼ିଛନ୍ତି। ଆଗକୁ ଭୁବନେଶ୍ବରରେ ଏହି ‘ନିରନ୍ତର ବିକାଶ’କୁ ନେଇ ଏକ ସ୍ଥାୟୀ ମ୍ୟୁଜିୟମ ପ୍ରତିଷ୍ଠା କରିବା ପାଇଁ ‌ସେ ଯୋଜନା କରିଥିବା କହିଛନ୍ତି। ଏହି ଅନନ୍ୟ କଳାକୃତିକୁ ସେ ଦୁଇ ମାସରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର