ଭୁବନେଶ୍ବର ୟୁନିଟ୍‌-୨ କଳାକେନ୍ଦ୍ର : କଳାର ମନ୍ଦିର ଏବେ ଭୂତ କୋଠି

ଭୁବନେଶ୍ବର: ଦିନେ, ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଯେଉଁଠି ସଂଗୀତର ଖଡ଼ି ଛୁଇଁଥିଲେ ସେଇ କଳାର ଅନ୍ତୁଡ଼ିଶାଳ ଏବେ ଭୂତକୋଠି। ସଂଜ ନଇଁଲେ ଯେଉଁଠୁ ଦିନେ ସଂଗୀତର ଧାରା ସଞ୍ଚରି ଆସି ମନରେ ଉନ୍ମାଦନା ଭରୁଥିଲା ଆଜି ସେଇଠୁ ସରୀସୃପଙ୍କ ଚେଁ ଚାଁର କର୍କଶ ସ୍ବର ଭାସିଆସି ସେଇବାଟ ଦେଇ ଚାଲିଯାଉଥିବା ଲୋକଙ୍କୁ ବ୍ୟଥିତ କରୁଛି। ଅନେକ ପ୍ରତିଭାଙ୍କୁ ସଂଗୀତର ବର୍ଣ୍ଣବୋଧ ଶିଖାଇବାର ମୂକସାକ୍ଷୀ ଲଳିତ କଳା ପୀଠ ଏବେ ଅସ୍ତିତ୍ବ ପାଇଁ ଗୁମୁରି କାନ୍ଦୁଛି। ହେଲେ ନା ତା କାନ୍ଦ ପ୍ରଶାସନ ପାଖରେ ପହଞ୍ଚୁଛି, ନା ଏହାର ପୁନରୁଦ୍ଧାର ନେଇ କେହି କେବେ ଆଗେଇ ଆସିଛି। ସୁରମ୍ୟ ପ୍ରେକ୍ଷାଳୟ ନିର୍ମାଣରେ ମନ ନିବେଶ କରିବାରେ ଦ୍ବିମତ ନାହିଁ ମାତ୍ର ଗୌରବମୟ ଇତିହାସକୁ ପା‌ସୋରିଦେବା କେତେ ଦୂର ଯଥାର୍ଥ ତାହା ବୁଦ୍ଧିଜୀବୀମାନେ ବିଚାର କରିବେ।

୧୯୬୩ ମସିହାରେ ୟୁନିଟ୍‌-୨ ରେ ଗଢ଼ି ଉଠିଥିଲା ଲଳିତ କଳାପୀଠ। ତତ୍କାଳୀନ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରଫେସର ହୁମାୟୁନ କବିର ଏହାକୁ ଉଦ୍‌ଘାଟନ କରିଥିଲେ। ଦିନବେଳେ ଏଠାରେ ନୃତ୍ୟ ଓ ସଂଗୀତ ଶିକ୍ଷାଦାନ କରାଯାଉଥିଲା। ସନ୍ଧ୍ୟାରେ ରଙ୍ଗମଞ୍ଚରେ ଆୟୋଜିତ ହେଉଥିଲା ନୃତ୍ୟ ଓ ସଂଗୀତର କାର୍ଯ୍ୟକ୍ରମ। ବିପୁଳ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହେଉଥିଲା। ସଂଗୀତର ଚିର ସ୍ମରଣୀୟ ଗୁରୁ କାଶୀନାଥ ପୂଜାପଣ୍ଡା ଶିକ୍ଷାଦାନ କରୁଥିବା ବେଳେ ଭୁବନେଶ୍ବରୀ ମିଶ୍ରଙ୍କ ଭଳି ଶିଳ୍ପୀମାନେ ଏଠାରୁ ସଂଗୀତ ଶିକ୍ଷା କରିଥିଲେ। ଏହି ପୀଠରେ କଳା। ସଂଗୀତ ଜଗତର ଖ୍ୟାତନାମା ଶିଳ୍ପୀ ଉସ୍ତାଦ୍‌ ବିସ୍‌ମିଲ୍ଲା ଖାଁ ମଧ୍ୟ ଏହି ମଂଚରେ ନିଜର ବାଦ୍ୟ ପରିବେଷଣ କରିଥିଲେ। ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ନୃତ୍ୟଗୁରୁ ଦୟାନିଧି ଦାସ, ସଚ୍ଚିଦାନନ୍ଦ କାନୁନ୍‌ଗୋଙ୍କ ଭଳି ଶିଳ୍ପୀମାନେ ମଧ୍ୟ ଏଠାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏତଦ୍‌ବ୍ୟତୀତ ଶହଶହ ଶିଳ୍ପୀ ଏହି କଳାର ମନ୍ଦିରରୁ ସଂଗୀତ ଓ ନୃତ୍ୟର ଅ..ଆ.. ପଢ଼ିଥିଲେ। ୧୯୯୫ ମସିହା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ମାତ୍ର ପରେ ଏହାର ପତନ ଆରମ୍ଭ ହେଲା। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନିଆଗଲା ନାହିଁ। ସରକାର ଏ ପୀଠକୁ ପାସୋରି ଦେଲେ। ଫଳରେ ଦୀର୍ଘ ୧୪ ବର୍ଷ ହେଲା ପାଷାଣି ଅହଲ୍ୟା ଭଳି ଏହା ମୁକ୍ତି ପାଇବାକୁ ସଂଘର୍ଷ କରୁଛି। ଅତୀତରେ ଏହି କଳାପୀଠର ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସ୍ବର୍ଗତ ରାମକୃଷ୍ଣ ବେହେରା, ସ୍ବର୍ଗତ ଗୋପାଳ ମିଶ୍ର ଏହି ପରିଚାଳନା କମିଟିରେ ରହିଥିଲେ। ସବୁ ଠିକ୍‌ଠାକ୍‌ ଚାଲିଥିଲା। ମାତ୍ର ରକ୍ଷଣାବେକ୍ଷଣ ଓ ପରିଚାଳନା ଅଭାବରୁ ଧୀରେଧୀରେ ଏହି ପୀଠ ଅସ୍ତିତ୍ବ ହରାଇଲା। କାଳକ୍ରମେ ‌ଜରାଜୀର୍ଣ୍ଣ ହୋଇଗଲା। ଏପରିକି ପର୍ଯ୍ୟାୟକ୍ରମେ କିଛି ଅସାମାଜିକ ବ୍ୟକ୍ତି ଏହାକୁ କବଳିତ କରିଦେଲେ। ଏବେ ପ୍ରତି କୋଠରୀରେ ତାଲା ଝୁଲୁଛି। ଚାବି କିନ୍ତୁ କାହା ହାତରେ ଅଛି ସେ ସମ୍ବନ୍ଧରେ କେହି ସ୍ପଷ୍ଟ କହିପାରୁନାହାନ୍ତି। ଏନେଇ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଛନ୍ତି, ଏହି ପୀଠ ଅନେକଙ୍କ ପ୍ରତିଭା ପ୍ରଦର୍ଶନର ଏକମାତ୍ର ମାଧ୍ୟମ ପାଲଟିଥିଲା। ତେଣୁ ଏବେ ବି ଏହି ପୀଠର ପୁନରୁଦ୍ଧାର କରାଯାଇପାରିବ। ସଂସ୍କୃତି ସମ୍ପନ୍ନ ବ୍ୟକ୍ତିବିଶେଷକୁ ନେଇ ଏକ କମିଟି ଗଠନ ସହ ସଂସ୍କୃତି ବିଭାଗ ପୁନଃ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବା ପାଇଁ ଅଣ୍ଟା ଭିଡ଼ିବା ଉଚିତ୍‌ ବୋଲି ସେ କହିଛନ୍ତି। ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ କହିବା ମୁତାବକ, ମୁଁ ଲଳିତ କଳା ପୀଠର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଉକ୍ତ ପୀଠରେ ଦୟାନିଧି ଦାଶ ଓ ସଚ୍ଚିଦାନନ୍ଦ କାନୁନ୍‌ଗୋଙ୍କ ସହ ମିଶି ବହୁତ କାର୍ଯ୍ୟକ୍ରମ କରିଛି। ଏହାକୁ ଉଦ୍ଧାର କରାଗଲେ ଅନ୍ତତଃ ଏଠାରେ ପିଲାମାନେ ସଂଗୀତ, ନୃତ୍ୟ ଶିକ୍ଷା କରିପାରନ୍ତେ ବୋଲି ସେ କହିଛନ୍ତି। ସ୍ଥାନୀୟ ବ୍ୟକ୍ତିଙ୍କ କହିବା ମୁତାବକ ସଂପ୍ରତି ଏହା ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ସେଠାରେ ମଦ୍ୟପାନଠୁ ଆରମ୍ଭ କରି ଯାବତୀୟ ନିଶା କାରବାର ଚାଲୁଛି। ଚାରିପଟେ ଆବୁରୁଜାବୁରୁ ଗଛଲତା ପୀଠଙ୍କୁ ଅଶୋଭନୀୟ କରୁଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି, ଏହି ଲଳିତ କଳା ପୀଠ ସମ୍ବନ୍ଧରେ ମୁଁ ଶୁଣିଛି। ମାତ୍ର ଏହା ବିଏମ୍‌ସି ଅଧୀନରେ ଆସୁଛି। ସଂସ୍କୃତି ବିଭାଗ ଅଧୀନରେ ନଥିବାରୁ ଏ ଦିଗରେ ବିଭାଗ ପକ୍ଷରୁ କିଛି କରି ହେବ ନାହିଁ ବୋଲି ସେ କହିଛନ୍ତି। ଗୋଟେ ପଟେ ସଂସ୍କୃତି ବିଭାଗ ଏହି ପୀଠ ବିଏମ୍‌ସି ଅଧୀନରେ ରହିଥିବା କହୁଥିବା ବେଳେ ୧୪ ବର୍ଷ ଧରି ଏଭଳି ଜରାଜୀର୍ଣ୍ଣ ସ୍ଥିତିକୁ ସୁଧାରିବାରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ କଳାପ୍ରେମୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର