ପରିବର୍ତନ ପାଇଁ ସାମ୍ରାଜ୍ୟବାଦ ବିରୋଧରେ ଲଢ଼େଇ ଲୋଡ଼ା

ପାଇକ ବିଦ୍ରୋହ ଦ୍ୱିଶତ ବାର୍ଷିକୀ ଉତ୍ସବ

ଭୁବନେଶ୍ୱର : ଉପନିବେଶବାଦ ଶେଷ ହୋଇଛି କିନ୍ତୁ ସାମ୍ରାଜ୍ୟବାଦ ସରିନି। ସାମ୍ରାଜ୍ୟବାଦର ରୂପ ବଦଳିଛି କିନ୍ତୁ ତତ୍ତ୍ୱ ବଦଳିନାହିଁ। ଏବେ ବି ଆୟ ଉପରେ ଚାପ ସୃଷ୍ଟି ହେଉଛି। ତେଣୁ ଦେଶରେ ପରିବର୍ତନ ଆଣିବା ପାଇଁ ହେଲେ ଠିକ୍‌ ପାଇକ ବିଦ୍ରୋହ ଭଳି ସାମ୍ରାଜ୍ୟବାଦ ବିରୋଧରେ ଲଢ଼େଇ କରିବା ଦରକାର। ପାଇକ ବିଦ୍ରୋହ ଦ୍ୱିଶତ ବାର୍ଷିକୀ ପାଳନ କମିଟି ପକ୍ଷରୁ ଭଂଜ କଳା ମଣ୍ଡପରେ ଅନୁଷ୍ଠିତ ‘ପ୍ରତିରୋଧରୁ ପ୍ରଜାତନ୍ତ୍ର ଓ ତା’ ପରେ’ ଶୀର୍ଷକ ବିଷୟ ଉପରେ ଉଦ୍‌ବୋଧନ ଦେଇ ଏପରି କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଅର୍ଥଶାସ୍ତ୍ର ବିଶାରଦ ପ୍ରଫେସର ପ୍ରଭାତ ପଟ୍ଟନାୟକ।

ପାଇକ ବିଦ୍ରୋହକୁ ଏକ ଗଣବିଦ୍ରୋହ ଭାବେ ଅଭିହତ କରି ସେ କହିଲେ, ଏହି ବିଦ୍ରୋହ ପଛରେ ଅନେକ କାରଣ ଥିଲା। ଘୁମୁସରର ଲୋକେ ଜଙ୍ଗଲ ଅଧିକାର ହରାଇବା, ଲିଭରପୁଲ୍‌ର ଲୁଣ ଆସି ଓଡ଼ିଶାରେ ବିକ୍ରି ହେବା ପରେ ଓଡ଼ିଶାର ଲୁଣ ବ୍ୟବସାୟ ପ୍ରଭାବିତ ହେବା, ପାଇକମାନେ ପାରମ୍ପରିକ ଭାବେ ଜମି କର ଦେଉ ନଥିବା ବେଳେ ଇଷ୍ଟଇଣ୍ଡିଆ କମ୍ପାନି ନୂଆ ନୀତି କରି ତାଙ୍କଠାରୁ କର ଆଦାୟ କରିବା ଭଳି ଅନେକ ଘଟଣା ଦାୟୀ ଥିଲା। ପାଇକ, ଚଷା, କନ୍ଧ, ମଲାଙ୍ଗୀ, ହରିଜନ, ବ୍ରାହ୍ମଣ, କରଣ ସମସ୍ତେ ଏଥିରେ ସାମିଲ୍‌ ଥିଲେ। ସେ ସାଂପ୍ରତିକ ଅର୍ଥ ବ୍ୟବସ୍ଥା ସହ ଏକ ତୁଳନାତ୍ମକ ଚିତ୍ର ଦେଇ ବିଶ୍ୱସ୍ତରୀୟ ପୁଞ୍ଜିବାଦ ବ୍ୟବସ୍ଥା ବାବଦରେ କହିଥିଲେ। ସେ ଏକଥା ମଧ୍ୟ କହିଲେ, ଭାରତ ପାଇଁ ସବୁଠୁ ବଡ଼ ପୁଞ୍ଜିନିବେଶ ମରିସସରୁ ଆସେ। ତେବେ ମରିସସ ଏତେ ବଡ଼ ଦେଶ ନୁହେଁ। କିନ୍ତୁ ଆମେରିକା, ବ୍ରିଟିସ୍‌, ଫ୍ରାନ୍ସ, ଜର୍ମାନୀର କମ୍ପାନି ମରିସସ ବାଟ ଦେଇ ତାଙ୍କର ପୁଞ୍ଜିନିବେଶ ଭାରତରେ କରିଥାଆନ୍ତି। କାରଣ ଡବଲ୍‌ ଟାକ୍ସେସନ୍‌ ଏଗ୍ରିମେଣ୍ଟ୍‌ ନାମକ ଏକ ଟ୍ୟାକ୍ସ ଟ୍ରିଟି ଅନୁଯାୟୀ ଯଦି ପୁଞ୍ଜିନିବେଶ କରୁଥିବା ରାଷ୍ଟ୍ରର କମ୍ପାନି ତାଙ୍କ ଦେଶରେ କର ଦିଅନ୍ତି ତେବେ ସେମାନଙ୍କୁ ଭାରତରେ କର ଦେବାକୁ ପଡ଼େ ନାହିଁ।

ଐତିହାସିକ ଡ.ପ୍ରଭାତ ମଲ୍ଲିକ ଉଦ୍‌ବୋଧନ ଦେଇ କହିଲେ, ପାଇକ ବିଦ୍ରୋହ ଥିଲା ଏକ ପ୍ରତିରୋଧ ସଂଗ୍ରାମ। ଏହା ଥିଲା ଅନ୍ୟ ଜାତୀୟ ଆନ୍ଦୋଳନର ପ୍ରେରଣାର ଉତ୍ସ। ଗଡ଼ଜାତ ପ୍ରଜା ଆନ୍ଦୋଳନ ହେଉ କି ସ୍ୱାଧୀନତା ସଂଗ୍ରାମ ପାଇଁ ଏହା ଥିଲା ଏକ ବଡ଼ ପ୍ରେରଣା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବକ୍ତବ୍ୟ ରଖିଥିଲେ। କମିଟିର ସମ୍ପାଦକ ସନ୍ତୋଷ ଦାସ ପ୍ରାରମ୍ଭିକ ସୂଚନା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପରେ ନୟାଗଡ଼ର ସଣ୍ଡେ ଆର୍ଟ୍‌ସ ସ୍କୁଲ୍‌ ପକ୍ଷରୁ ଆଲୋଚ୍ୟ ପ୍ରସଙ୍ଗ ଉପରେ ଏକ ଗୀତିନାଟ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର