ଆସୁଛି ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍‌ ‘ଏସ୍‌ପ୍ଲାନେଡ୍‌’

ସପିଂରୁ ଆରମ୍ଭ କରି ମନରୋଞ୍ଜନ ପର୍ଯ୍ୟନ୍ତ ସୁବିଧା ମିଳିବ, ୭ଟି ପରଦା ବିଶିଷ୍ଟ ମଲ୍ଟିପ୍ଲେକ୍ସ ସହ ପିଲାଙ୍କ ପାଇଁ ଖେଳ ପଡ଼ିଆ

0 1,448

ଭୁବନେଶ୍ୱର : ରସୁଲଗଡ଼ରୁ ବମିଖାଲ ରାସ୍ତାରେ ଖୁବ୍‌ ଶୀଘ୍ର ଖୋଲିବାକୁ ଯାଉଛି ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍‌ ‘ଏସ୍‌ପ୍ଲାନେଡ୍‌’। ଏଠାରେ ବିଭିନ୍ନ ବ୍ରାଣ୍ଡର ସପିଂ ଷ୍ଟୋର ଖୋଲିବାକୁ ଥିବାବେଳେ ଲୋକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା ମିଳିବ। ଏହା ସହିତ ସିନେମା ହଲ୍‌, ଫୁଡ୍‌ କୋର୍ଟର ବ୍ୟବସ୍ଥା ରହିବ। ୪ଲକ୍ଷ ୫୦ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୦୦କୋଟି। ବିଶ୍ୱର ସବୁଠାରୁ ବଡ଼ ନିର୍ମାଣକାରୀ ସଂସ୍ଥା ଅଷ୍ଟ୍ରେଲିଆର ଲିଗ୍‌ଟନ୍‌ କମ୍ପାନି ଏହି ମଲ୍‌ ନିର୍ମାଣ କରୁଛି।

ଏଠାରେ ରିଟେଲ୍‌ ଆଉଟଲେଟ୍‌, ଖାଦ୍ୟ ଓ ମନୋରଞ୍ଜନ ପାଇଁ ପ୍ରାୟ ୧୫୦ଟି ଷ୍ଟୋର ଖୋଲାଯିବାର ଯୋଜନା ରହିଛି। ଯେଉଁଥିରେ ପୋଷାକଠାରୁ ଆରମ୍ଭକରି ଲୋକମାନଙ୍କର ବିଭିନ୍ନ ଦରକାରି ଜିନିଷ ଉପଲବ୍ଧ ହେବ। ଏଥିରେ ସିନେପଲିସ୍‌ ନାମକ ମଲ୍ଟିପ୍ଲେକ୍ସ ‘ସିନେମା ହଲ୍‌’ ରହିବ । ଏକସଙ୍ଗେ ୭ଟି ପରଦାରେ ସିନେମା ଚାଲିବ। ଯେଉଁଥିରେ ୧,୨୫୦ ଜଣ ଦର୍ଶକଙ୍କ ପାଇଁ ଆରାମ ଦାୟକ ସିଟ୍‌ ରହିବ। ଲାଇଫ୍‌ ଷ୍ଟାଇଲ୍‌, ମ୍ୟାକ୍ସ, ହୋମ୍‌ ସେଣ୍ଟର ପରି ସପିଂ ମଲ୍‌ ବି ରହିବ। ଖାଲି ସେତିକି ନୁହେଁ ଏହାର ତୃତୀୟରୁ ନବମ ମହଲା ପର୍ଯ୍ୟନ୍ତ ଅଫିସ୍‌ ପାଇଁ ଭଡ଼ା ଦିଆଯିବ। ଗ୍ରାହକଙ୍କ ସୁବିଧା ପାଇଁ ଲିଫ୍ଟ, ୨୪ ଘଣ୍ଟିଆ ପାଣିର, ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସୁବିଧା କରାଯାଇଛି।

ମଲ୍‌ର ଭିଡ଼କୁ ନଜରରେ ରଖି ୧୦୦୦ କାର୍‌ ଓ ବାଇକ୍‌ ପାର୍କିଂ ସୁବିଧା ରହିବ। ଏହା ସହିତ ଯୁବପିଢ଼ିଙ୍କ ପାଇଁ ଫିଟ୍‌ନେସ୍‌ ସେଣ୍ଟର୍‌, ମନୋରଂଜନ କ୍ଲବ୍‌ ହାଉସ୍‌ ବି ରହିବ। ଏହି ମଲ୍‌ର ଅନ୍ୟତମ ନିଆରା କଥା ହେଲା ଏଠାରେ ଛୋଟ ପିଲା ଖେଳିବା ପାଇଁ ଖେଳ ପଡ଼ିଆ ରହିବ। ଏଠାରେ ଏକାଧିକ ବ୍ୟାଙ୍କର ଏଟିଏମ୍‌ ମଧ୍ୟ ଖୋଲିବ। କାଫେଟେରିଆ, ଫୁଡ୍‌ କୋର୍ଟ, ଆଡ଼ମ୍ବରପୂର୍ଣ୍ଣ ଭୋଜନାଳୟ, ବାର୍‌, ସମ୍ମିଳନୀ କକ୍ଷ ଆଦି ରହିବ ବୋଲି ସୂଚନା ମିଳିଛି। ଯାହାଫଳରେ ଲୋକମାନେ କିଣାକିଣି ସହିତ ପ୍ରତିଟି ସମୟକୁ ଆଡ଼ମ୍ବର ସହିତ ବିତାଇବେ। ସୂଚନାଯୋଗ୍ୟ ଯେ, ସିଙ୍ଗାପୁର, ବ୍ୟାଙ୍କକ୍‌, କେନେର ଆଦି ସ୍ଥାନରେ ଏହି ମଲ୍‌ ଥିବା ବେଳେ ଏବେ ଓଡ଼ିଶାରେ ଏହାର ଶାଖା ଖୋଲିବାକୁ ଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.