ପରଦାରେ ‘ବିଜୁ ବାବୁ’

ଭୁବନେଶ୍ବର: କଳିଙ୍ଗ ଷଣ୍ଢ ମୁଁ…। ବିଜୁ ସାଙ୍ଗେ ଲାଗନି। ନହେଲେ ମୁହଁର ନକ୍ସା ବଦଳେଇଦେବି। ଅନୁଭବଙ୍କ ମୁହଁର ଏ ରୋଚକ ସଂଳାପ ଆଜି ଶୁଣିବାକୁ ମିଳିଛି ଆଜିଠୁ ମୁକ୍ତିଲାଭ କରିଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବିଜୁ ବାବୁ’ରେ। ସିନେମାର କାହାଣୀ ସୋସିଆଲ୍‌ ମିଡିଆ ଯୁଗରେ ‘ମିଥ୍ୟା ଖବର’ର କରୁଣ ପରିଣତିକୁ ଦେଖାଇଛି। କାହାଣୀ ମୁତାବକ, ଚୋରଟିଏ ‘ଆନନ୍ଦ ଭବନ’ ସଂଗ୍ରହାଳୟରୁ ବିଜୁ ବାବୁଙ୍କ ଚଷମା ଚୋରି କରି ପିନ୍ଧିବା ପରେ ତା’ ଜୀବନରେ କିଭଳି ପରିବର୍ତନ ଆସୁଛି। ଏହି ପରିପ୍ରେକ୍ଷୀରେ ମିଥ୍ୟା ଖବରର ସୁଯୋଗ ନେଇ ରାଜନୀତିର ଶିଡ଼ି ଚଢ଼ୁଥିବା ଜଣେ ରାଜନେତାର କଳା କାରନାମାର ପର୍ଦାଫାସ କରୁଛି ଚୋରରୁ ହିରୋ ପାଲଟିଥିବା ବାବୁ। ନୀଳମାଧମ ପଣ୍ଡାଙ୍କ ନିବେଦିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରରେ ଅନୁଭବ ମହାନ୍ତି, ସୁପ୍ରିୟା ନାୟକ, ଚିତ୍ତ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ବିଜୁ ବାବୁ ଭୂମିକାରେ ଅଭିନୟ କରିଛନ୍ତି ଅଶ୍ରୁମୋଚନ ମହାନ୍ତି। ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ନିର୍ଦେଶନା ଦେଇଛନ୍ତି। ଏଲିଏନୋରା ଇମେଜେସ୍‌ ପକ୍ଷରୁ ଅକ୍ଷୟ ପରିଜା ପ୍ରଡକ୍ସନ୍‌ସ ଓ ପ୍ରକାଶ ଫିଲ୍ମସ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଆଜି ଓଡ଼ିଶାର ୯୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏସ୍‌ପ୍ଲାନେଡ୍‌ର ସିନେପଲିସ ଏବଂ କଟକର ବୃନ୍ଦାବନରେ ଏହାର ପ୍ରିମିୟର କରାଯାଇଛି। ବିଶେଷକରି ପ୍ରେମ ଆନନ୍ଦଙ୍କ ସଂଗୀତ ନିର୍ଦେଶନାରେ ଅଭିମାନିନୀ ଏ ଅମାନିଆ..ଗୀତକୁ ଏହି ଚଳଚ୍ଚିତ୍ରରେ ନିଆଯାଇଥିବା ବେଳେ ଓୟେ ରାମ୍‌ଜୀ.. ଓ ହାଏରେ ହାଏରେ ମୁଁ ଗଲିଣି ମରି.. ଗୀତ ଆକର୍ଷଣୀୟ ହୋଇଛି। ସୁବ୍ରତ ସ୍ବାଇଁ ସମସ୍ତ ଗୀତ ଲେଖିଛନ୍ତି। ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ ପ୍ରମୁଖ କଣ୍ଠଦାନ କରିଛନ୍ତି। ଆଜି ନୀଳମାଧମ ପଣ୍ଡାଙ୍କ ‌ସମେତ ଅକ୍ଷୟ ପରିଜା, ଅନୁଭବ, ସୁପ୍ରିୟା ପ୍ରମୁଖ ପ୍ରିମିୟମରେ ଉପସ୍ଥିତ ଥିଲେ। ଅନୁଭବ ନିଜର ମତ ରଖି କହିଛନ୍ତି ଯେ ଯୁବପିଢ଼ି ମିଥ୍ୟା ଖବରର କବଳରେ ପଡ଼ୁଥିବା ବେଳେ ସେମାନଙ୍କୁ ଏହି ଚଳଚ୍ଚିତ୍ର ସଚେତନ କରିବ। ଏହି ସମୟରେ ବିଜୁ ବାବୁ ଥିଲେ କିଭଳି ସାଂପ୍ରତିକ ସମସ୍ୟାକୁ ସମ୍ମୁଖୀନ ହୋଇଥାଆନ୍ତେ, ତାହାକୁ ଚଳଚ୍ଚିତ୍ରରେ ରୂପ ଦେବାକୁ ଚେଷ୍ଟା କରାଯାଇଛି। ତେବେ ଏହା ସହ ରାଜନୀତିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।

ପ୍ରୋସ୍‌ଥେଟିକ୍‌ ମେକଅପ୍‌ରେ ବିଜୁ ବାବୁ
ବିଜୁ ବାବୁ ଭୂମିକାରେ ଅଶ୍ରୁମୋଚନ ଦେଖା ଦେଇଥିବା ବେଳେ ତାଙ୍କୁ ଅବିକଳ ବିଜୁ ପଟ୍ଟନାୟକଙ୍କ ରୂପ ଦିଆଯାଇଛି। ଚଳଚ୍ଚିତ୍ର ପାଇଁ ସ୍ବତନ୍ତ୍ର ଭାବେ ପ୍ରୋସ୍‌ଥେଟିକ୍‌ ମେକଅପ୍ ପ୍ରଣାଳୀକୁ ଆପଣାଯାଇଛି। ମେକଅପ୍ ପାଇଁ ଅଶ୍ରୁମୋଚନଙ୍କୁ ପ୍ରାୟ ସାଢ଼େ ୩ ଘଣ୍ଟା ଧରି ମେକଅପ୍ କରିବାକୁ ପଡ଼ିଥିଲା। ସୁଧିର ଅଶ୍ରୁମୋଚନଙ୍କୁ ବିଜୁ ବାବୁଙ୍କ ରୂପରେ ମେକଅପ୍‌ କରିଥିଲେ।

ସମ୍ବନ୍ଧିତ ଖବର