ଏଓବିଏସ୍‌ଏର ଅଭିଯୋଗ : ନିମ୍ନଗାମୀ ହେଉଛି ବିପିୟୁଟି

ଭୁବନେଶ୍ୱର : ବାଟବଣା ହୋଇଗଲାଣି ବୈଷୟିକ ଶିକ୍ଷା। ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନ କୌଶଳ ଶିକ୍ଷା ପ୍ରଦାନ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ନିମ୍ନଗାମୀ ଦେବାରେ ଲାଗିଛି। ପିଲାଙ୍କୁ ଚାକିରି ପ୍ରଦାନ କରି ସ୍ୱାବଲମ୍ବନଶୀଳ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ବିପିୟୁଟିରେ ସ୍ଥାୟୀ ପରିଚାଳକ ନାହାନ୍ତି। ଯେଉଁମାନେ ଶିକ୍ଷା ବ୍ୟବସ୍ଥା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ସେମାନଙ୍କ ହାତରେ ବୈଷୟିକ ଶିକ୍ଷା ବ୍ୟବସ୍ଥାକୁ ଟେକି ଦିଆଯାଉଛି। ଯେଉଁଥିପାଇଁ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଲାଣି ବୋଲି ଅଭିଯୋଗ କରିଛି ଅଲ୍‌ ଓଡ଼ିଶା ବିପିୟୁଟି ଷ୍ଟୁଡେଣ୍ଟସ୍‌ ଆସୋସିଏସନ (ଏଓବିଏସ୍‌ଏ)।

ଏଓବିଏସ୍‌ଏ ପକ୍ଷରୁ ଆଜି ନେହେରୁ ଯୁବ କେନ୍ଦ୍ର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ ବିପିୟୁଟି କମାଚଳା କୁଳପତିରେ ଚାଲିଛି। ପରୀକ୍ଷା ନିୟନ୍ତ୍ରକ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଛନ୍ତି। କୁଳସଚିବ ବି ଇସ୍ତଫା ଦେଉଛନ୍ତି ପୁଣି କାର୍ଯ୍ୟରେ ଯୋଗଦେଉଛନ୍ତି। ପରୀକ୍ଷା କେବେ ହେବ ସେନେଇ ବି କାହା କଥାରେ ତାଳମେଳ ରହୁନି। ଏନେଇ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବିଭାଗୀୟ ସଚିବ ତଥା ଭାରପ୍ରାପ୍ତ କୁଳପତି ସଞ୍ଜୟ ସିଂଙ୍କ ନିକଟରେ ଅଭିଯୋଗ କରିବାକୁ ଗଲେ ସେ ପିଲାଙ୍କୁ ଗୁଣ୍ଡା ସଜାଇ ଗିରଫ କରୁଛନ୍ତି। ଏବେ ବି ବିପିୟୁଟି ଛାତ୍ରଙ୍କ ଉପରେ ପୁଲିସର ବର୍ବରତା ଜାରି ରହିଛି। ଏହାକୁ ବିରୋଧ କରି ଆଗାମୀ ଦିଗରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ଧମକ ଦେଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଏଓବିଏସ୍‌ଏର ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ମହାନ୍ତି, ଅଭିଷେକ ଆଚାର୍ଯ୍ୟ, ଆଦ୍ୟପ୍ରାଣ ସୁବୁଦ୍ଧି, ଅମରେନ୍ଦ୍ର ଧଳ, ପାର୍ଥର୍ ସାରଥି ମହାପାତ୍ର, ରୁଦ୍ରଦେବ ମଲ୍ଲିକ, ଗୋପାଳକୃଷ୍ଣ ସାହୁ, ଲିଜନ ପରିଡ଼ା, ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର