ବାଇକ୍‌ରୁ ଖସିପଡ଼ି ଦୁଇ ମାଟ୍ରିକ୍‌ ପରୀକ୍ଷାର୍ଥୀ ଗୁରୁତର

ବାଲିଅନ୍ତା: ଆଜି ମଧ୍ୟାହ୍ନରେ ପରୀକ୍ଷା କେନ୍ଦ୍ରରୁ ମାଟ୍ରିକ୍‌ ପରୀକ୍ଷା ଦେଇସାରି ଘରକୁ ଫେରୁଥିବା ବେଳେ ବାଳକାଟି ସ୍ଥିତ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାର ସାତକାଣିଆଗ୍ରାମ ନିକଟରେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ଦ୍ୱୟ ହେଲେ ଦିପଟିସାହି (ବାଳକାଟି) ଶିବରାମ ସାହୁଙ୍କର ପୁଅ ଯଶୋବନ୍ତ ସାହୁ ଓ ଉକ୍ତ ଗ୍ରାମର ଅରକ୍ଷିତ ବେହେରାଙ୍କର ପୁଅ ଚିଣ୍ଟୁ ବେହେରା। ଯଶୋବନ୍ତ ଓ ଚିଣ୍ଟୁଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ରାସ୍ତାକଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏଥିସହିତ ସେମାନଙ୍କ ସହ ବାଇକ୍‌ରେ ଥିବା ଗ୍ରାମର ଆଉ ଜଣେ ପରୀକ୍ଷାର୍ଥୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଆହତ ୩ଜଣ ଯାକ ପାଣିକଟା ପଞ୍ଚାୟତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଦେଇ ସାରି ଦ୍ରୁତ ବେଗରେ ଘରକୁ ଫେରୁଥିଲେ। ହେଲେ ସାତକାଣିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ରୁ ଖସି ପଡ଼ିଥିଲେ।

ସମ୍ବନ୍ଧିତ ଖବର