‘ବୀର କଳିଙ୍ଗ ସମ୍ବାଦପତ୍ର’ର ସ୍ବନକ୍ଷତ୍ର ସମା‌ରୋହ : ‘ଯାହା ନ ଛାପିବାକୁ ଚାପ ପଡ଼େ, ତାହା ହିଁ ଖବର’

ଭୁବନେଶ୍ବର: ଚୀନ୍‌ ଜାତି ଯଦି ମାଟି ତିଆରି ଟେରାକୋଟା ଆର୍ମିଠାରୁ ପ୍ରେରଣା ନେଇ ବିଶ୍ବ ଇତିହାସ ରଚି ପାରିଲା, ତେବେ ନିଦା ପଥରର ମୂର୍ତି ଓ ବିଶାଳ ମନ୍ଦିରଠାରୁ ପ୍ରେରଣା ନେଇ ଏ କଳିଙ୍ଗ ଜାତି କାହିଁକି ତା’ଠାରୁ ବଡ଼ କଳିଙ୍ଗ ତିଆରି କରିପାରିବ ନାହିଁ। ଯେଉଁ ଓଡ଼ିଆ ଜାତି ବିପିଏଲ୍‌ କାର୍ଡ ପାଇଁ ବାୟା ହେଉ ନଥିଲା, ଟଙ୍କିକିଆ ଚାଉଳକୁ ଅନେଇ ବସୁ ନଥିଲା, ଯିଏ ସ୍ବପ୍ନ ଦେଖୁଥିଲା, ଯାହା ପାଦ ଶକ୍ତ ଥିଲା ସେମାନେ ଏହା କରିପାରିଥା’ନ୍ତେ। ଆଜି ଜୟଦେବ ଭବନଠାରେ ‘ବୀର କଳିଙ୍ଗ’ ସାପ୍ତାହିକ ଖବରକାଗଜର ସ୍ବନକ୍ଷତ୍ର ସମା‌ରୋହରେ ମୁଖ୍ୟବକ୍ତା ଭାବେ ଯୋଗ‌ ଦେଇ ବିଶିଷ୍ଟ କଥାକାର ଗୌରହରି ଦାସ ଏହା କହିଛନ୍ତି।

ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦାସ ଆହୁରି କହିଲେ ଯେ ସରକାରୀ ସହାୟତାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଏ। କିନ୍ତୁ ସେମାନେ ଜାଣି ରଖିବା ଉଚିତ, ସରକାରୀ ସହଯୋଗ ସେମାନଙ୍କୁ ପରାଧୀନ କରି ରଖିବ। ଆଜିକା ଦିନରେ ଯେଉଁ ଖବର ନ ଛାପିବାକୁ ଚାପ ପଡ଼େ, ତାହା ହିଁ ଖବର। ବାକି ଯାହା ଛପା ହେଉଛି ସେ ସବୁ ବିଜ୍ଞାପନ ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସେନା ଅଧିକାରୀ ନାରାୟଣ ଚନ୍ଦ୍ର ମହାନ୍ତି ଯୋଗଦେଇ ଓଡ଼ିଆ ଜାତିର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ। ଓଡ଼ିଶା ରିଭ୍ୟୁ ତଥା ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍‌ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବିଚାରପତି ପ୍ରଶାନ୍ତ ମହାନ୍ତି ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କବି ରାଜକିଶୋର ପତି ସଭାପତିତ୍ବ‌ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ‘ବୀର କଳିଙ୍ଗ’ର ମୁଖ୍ୟ ସମ୍ପାଦିକା ସରୋଜିନୀ ପାଣି ମଞ୍ଚ ସଂଯୋଜନା କରିଥିଲେ। କୁସୁମ ମଞ୍ଜରୀ ଦାସ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର