ବାର୍ଡ ଫ୍ଲୁ ଭୟ : ସଂଗୃହୀତ ସବୁ ନମୁନା ନେଗେଟିଭ୍

ଭୁବନେଶ୍ବର : ଗତ ମାସରେ କଟକସ୍ଥିତ ଖପୁରିଆ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖାଦେବା ପରେ ସତର୍କତାମୂଳକ ପଦକ୍ଷେପ ସହିତ ଏହାର ୧୦ କି.ମି ବ୍ୟବଧାନ‌ରେ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ଏସବୁ ନମୁନା ରିପୋର୍ଟ ନେଗେଟିଭ୍ ରହିଥିବା ସୂଚନା ମିଳିଛି। ଫଳରେ ରାଜଧାନୀ ଉପକଣ୍ଠରେ ବାର୍ଡ ଫ୍ଲୁ ଆଶଙ୍କା ଟଳିଛି।

ସୂଚନା ମୁତାବକ, ଖପୁରିଆର ୧୦ କି.ମି. ବ୍ୟବଧାନରେ ରାଜଧାନୀର ସୀମା ଅଞ୍ଚଳରେ ଚଳିତମାସ ଆରମ୍ଭରୁ ୫୦ରୁ ଅଧିକ ନମୁନା ସଂଗ୍ରହ କରାଯାଇଥିଲା। ସେସବୁକୁ ଏଡିଆରଆଇକୁ ପଠାଇ ଦିଆଯାଇଥିଲା। ମାତ୍ର ସମସ୍ତ ନମୁନା ନେଗେଟିଭ୍ ରହିଥିବା ସୂଚନା ମିଳିଛି। ପ୍ରାଣୀ ଚିକିତ୍ସା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସମସ୍ତ ନମୁନା ନେଗେଟିଭ୍ ରହିଛି। ସଂଗୃହୀତ ନମୁନାରେ ଯଦି ବାର୍ଡ ଫ୍ଲୁ ଜୀବାଣୁ ରହିଥାନ୍ତା, ତା’‌ହେଲେ ଏଡିଆରଆଇ ପକ୍ଷରୁ ଏଥିପାଇଁ ତୁରନ୍ତ ସୂଚନା ଦିଆଯାଇଥାନ୍ତା। ମାତ୍ର ପରୀକ୍ଷା କେନ୍ଦ୍ର ପକ୍ଷରୁ ବାର୍ଡ ଫ୍ଲୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏହାସହ ଖପୁରିଆସ୍ଥିତ ପ୍ରଜନନ କେନ୍ଦ୍ରରେ ମଧ୍ୟ ବାର୍ଡ ଫ୍ଲୁ ନିୟନ୍ତ୍ରଣକୁ ଚାଲି ଆସିଛି। ଫଳରେ ରାଜଧାନୀରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ କୌଣସି ଭୟ ନାହିଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କଟକରେ ବାର୍ଡ ଫ୍ଲୁ ଦେଖାଦେବା ପରେ ରାଜଧାନୀରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଥିଲା। ଏପରିକି ରାପିଡ୍ ରେସପନ୍‌ସ ଟିମ୍ ବା ଆରଆରଟି ମଧ୍ୟ ଗଠନ ହୋଇଥିଲା। ପ୍ରତି ପଞ୍ଚାୟତରେ ଆରଆରଟିଙ୍କୁ ବାର୍ଡ ଫ୍ଲୁ ନେଇ ସତର୍କ ରହିବା ସହ କୁକୁଡ଼ା, ବତକ ଓ ହଂସଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା।

ଚାଲୁ ହେଲା କୁକୁର ବନ୍ଧ୍ୟାକରଣ

ଔଷଧ ଅଭାବରୁ ରାଜଧାନୀରେ ବନ୍ଦ ହୋଇଥିବା କୁକୁର ବନ୍ଧ୍ୟାକରଣ ପୁଣିଥରେ ଆରମ୍ଭ ହୋଇଛି। ନିର୍ବାଚନ ଆଚରଣ ସଂହିତା ଯୋଗୁଁ ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଔଷଧକୁ ଟେଣ୍ଡର୍‌ ନ କରି ଏକକାଳୀନ ମାତ୍ର ୫୦ଟି କୁକୁରଙ୍କ ପାଇଁ ଔଷଧ କିଣାଯିବା ପରେ ବନ୍ଧ୍ୟାକରଣ ଆରମ୍ଭ ହୋଇଛି। ଆଜି ସହିଦନଗରସ୍ଥିତ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ହୋଇଛି। ୫୦ଟି କୁକୁରଙ୍କ ବନ୍ଧ୍ୟାକରଣ ପରେ ଅନ୍ୟ କୁକୁରଙ୍କ ପାଇଁ ପୁନର୍ବାର ଔଷଧ କିଣାଯିବ। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ଜରିଆରେ ବନ୍ଧ୍ୟାକରଣ ଜାରି ରହିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮/୧୯ ଆର୍ଥିକ ବର୍ଷ ପାଇଁ ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଔଷଧ ଶେଷ ହୋଇଯିବା ପରେ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ବନ୍ଦ ହୋଇଯାଇଥିଲା। ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ ଆଲୋଚନା ପରେ ନିର୍ବାଚନ କମିସନଙ୍କୁ ଭେଟି ଟେଣ୍ଡର୍‌ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ଏକ ବିଳମ୍ବିତ ପ୍ରକ୍ରିୟା ହୋଇଥିବାରୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଟେଣ୍ଡର୍‌ ଜରିଆରେ ଔଷଧ ନ କିଣି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କ୍ଷମତାକୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀ ଏକକାଳୀନ ୫୦ କୁକୁରଙ୍କ ପାଇଁ ଔଷଧ କିଣିବାର କ୍ଷମତା ରହିଛି।

ସମ୍ବନ୍ଧିତ ଖବର