ବାର୍ଡ ଫ୍ଲୁ ଭୟ : ରାଜଧାନୀ ସୀମାରୁ ରକ୍ତ ନମୁନା ସଂଗ୍ରହ

ଭୁବନେଶ୍ବର : କଟକସ୍ଥିତ ଖପୁରିଆ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖାଦେବା ପରେ ରାଜଧାନୀରେ ଏଥିପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଖପୁରିଆଠାରୁ ୧୦ କି.ମି ଭିତରେ ଥିବା କୁକୁଡ଼ା, ବତକ ଓ ହଂସଙ୍କ ନମୁନା ସଂଗ୍ରହ ଆରମ୍ଭ ହୋଇଛି। ଗତ ଦୁଇ ଦିନିରେ ୫୦ରୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଏଡିଆରଆଇକୁ ପଠାଇ ଦିଆଯାଇଛି। ଏହାସହ ରାଜଧାନୀରେ ବାର୍ଡ ଫ୍ଲୁ ପାଇଁ ରାପିଡ୍ ରେସପନ୍‌ସ ଟିମ୍ ବା ଆରଆରଟି ଗଠନ କରାଯାଇଛି। ପ୍ରତି ପଞ୍ଚାୟତ ପାଇଁ ଆରଆରଟି ତତ୍ପର ରହିଛନ୍ତି।

ସୂଚନା ଅନୁସାରେ, ଗତ ମାସ ୨୩ରୁ ୨୮ତାରିଖ ମଧ୍ୟରେ ୨୩୫ରୁ ଅଧିକ ବତକଙ୍କ ମୃତ୍ୟୁ ହୋଇଥିଲା। ଏତେ ସଂଖ୍ୟକ ବତକଙ୍କ ମୃତ୍ୟୁ ନେଇ କର୍ତୃପକ୍ଷଙ୍କ ସନ୍ଦେହ ହେବା ପରେ ଏହାର ନମୁନାକୁ ଭୋପାଳସ୍ଥିତ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଇଥିଲେ। ରିପୋର୍ଟରେ ବାର୍ଡ ଫ୍ଲୁ ଥିବା ସ୍ପଷ୍ଟ ହୋଇଥିଲା। ଏହା ଜଣାପଡ଼ିବା ପରେ ଖୋର୍ଧା ସିଡିଭିଓଙ୍କ ନେତୃତ୍ବରେ ଦୁଇଦିନ ତଳେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଖପୁରିଆସ୍ଥିତ ‌ପ୍ରଜନନ କେନ୍ଦ୍ରର ୧୦ କି.ମି ମଧ୍ୟରେ ନମୁନା ସଂଗ୍ରହ ପାଇଁ ନିର୍ଦେଶ ଦିଆଯାଇଥିଲା। ଗତ ଦୁଇଦିନ ଭିତରେ ଏହିସବୁ ଅଞ୍ଚଳରେ ୫୦ରୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଏଡିଆରଆଇକୁ ପଠାଇ ଦିଆଯାଇଛି। ପରେ ଏହାକୁ ଭୋପାଳ ପଠାଯିବ। ପ୍ରଥମେ ଏହି ନମୁନା ଖୋର୍ଧାସ୍ଥିତି ଜିଲ୍ଲା ଡାଏଗ୍ନୋଷ୍ଟିକ୍ ଲାବୋରେଟାରି ଡିଡିଏଲକୁ ପଠାଇବାକୁ ନିଷ୍ପତ୍ତି ହୋଇଥିଲା।

ପ୍ରାଣୀ ଚିକିତ୍ସା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଖପୁରିଆରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏଥିପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି। ଖପୁରିଆର ୧ କି.ମି ଦୂରତା ମଧ୍ୟରେ ମାଂସ ବିକ୍ରିକୁ ବନ୍ଦ ରଖାଯାଇଛି। ଏହାକୁ ନଜରରେ ରଖି ରାଜଧାନୀରେ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜଧାନୀର ୬ନଂ ୱାର୍ଡ ସମେତ ଦାରୁଠେଙ୍ଗ, ଜଗନ୍ନାଥପୁର, ଚନ୍ଦକା, ବାରଙ୍ଗ ଓ ଫୁଲନଖରା ନିକଟରେ ଥିବା ଗାଁ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ପ୍ରତି ପଞ୍ଚାୟତ ପାଇଁ ଆରଆରଟି ଗଠନ କରାଯାଇଛି। ଏହି ଟିମ୍‌ରେ ଜଣେ ଭିଏସ୍‌, ୨ଜଣ ଏଲଆଇ ଓ ଅନ୍ୟ କର୍ମଚାରୀ ରହିଛନ୍ତି। କଟକ ସୀମାକୁ ଲାଗିଥିବା ଅଞ୍ଚଳରେ ରକ୍ତ ନମୁନା ସଂଗ୍ରହ କରିବା ପାଇଁ ଦାୟିତ୍ବ ଦିଆଯାଇଛି। ପ୍ରତି ଗାଁରେ ଏହି ନମୁନା ସଂଗ୍ରହ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଅପରପକ୍ଷରେ ବାର୍ଡ ଫ୍ଲୁ ପାଇଁ ସ୍ବତନ୍ତ୍ରଭାବେ କୌଣସି ଟିକା ନାହିଁ। ତେବେ ବାର୍ଡ ଫ୍ଲୁ ଓ ରାଣୀକ୍ଷେତ୍ ରୋଗର ଲକ୍ଷଣ ପ୍ରାୟ ଏକପ୍ରକାର ହୋଇଥିବା ବେଳେ ରାଜଧାନୀ ଅଞ୍ଚଳରେ ଥିବା କୁକୁଡ଼ା, ବତକମାନଙ୍କୁ ଟିକାକରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯୁଦ୍ଧକାଳନୀ ଭିତ୍ତିରେ ରାଜଧାନୀ ଅଞ୍ଚଳରେ ଥିବା କୁକୁଡ଼ା, ବତକଙ୍କର ଟିକାକରଣ କରାଯିବ। ତେବେ ରାଜଧାନୀ ପାଇଁ ବାର୍ଡ ଫ୍ଲୁର ବିଶେଷ ଆଶଙ୍କା ନ ଥିଲେ ହେଁ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଏହାର କିଛିଦିନ ପୂର୍ବରୁ ମଧ୍ୟ ରାଜଧାନୀ ଅଞ୍ଚଳରେ ଟିକାକରଣ କରାଯାଇଥିଲା।

ସମ୍ବନ୍ଧିତ ଖବର