ବାର୍ଡ ଫ୍ଲୁ ଭୟ, ରାଜଧାନୀରୁ ୧୦୦ କୁକୁଡ଼ାଙ୍କ ନମୁନା ସଂଗ୍ରହ

ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ ଅଞ୍ଚଳରୁ ଆଜି ୧୦୦ କୁକୁଡ଼ାଙ୍କ ନମୁନା ସଂଗ୍ରହ ହୋଇଛି। ବାର୍ଡ ଫ୍ଲୁ’କୁ ନଜରରେ ଏହି ନମୁନା ସଂଗ୍ରହ କରାଯାଇ କେନ୍ଦ୍ରୀୟ ପଶୁରୋଗ ଗବେଷଣା ପ୍ରତିଷ୍ଠାନ ବା ଏଡିଆରଆଇକୁ ପଠାଇ ଦିଆଯାଇଛି। ରାଜଧାନୀରେ ଯେପରି ବାର୍ଡ ଫ୍ଲୁ ନ ବ୍ୟାପେ, ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ରାଜଧାନୀର କିଛି ଅଞ୍ଚଳରେ କାଉ ଓ ପାରା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବାର୍ଡ ଫ୍ଲୁର ଆଶଙ୍କା ପାଇଥିଲା। ପ୍ରାଣୀ ଚିକିତ୍ସା ବିଭାଗ ସତର୍କ ହୋଇ ଉଠିଥିଲା। କିଛି ଦିନ ପୂର୍ବରୁ ଏଥିପାଇଁ ରାପିଡ ରେସପନ୍‌ସ ଟିମ୍ ବା ଆରଆରଟି ଗଠନ କରାଯାଇଥିଲା। ତେବେ ଆଜି ଚନ୍ଦକାର ଆଖପାଖ ଅଞ୍ଚଳରୁ ୪୦, ସହିଦ ନଗର ଅଞ୍ଚଳରୁ ୩୦ ଓ ରାଜଧାନୀ ଆଖପାଖ ଅଞ୍ଚଳକୁ ମିଶାଇ ସମୁଦାୟ ୧୦୦ଟି ନମୁନା ସଂଗ୍ରହ କରାଯାଇଛି। କୁକୁଡ଼ାଙ୍କ ରକ୍ତ, ଟ୍ରାକିଆ ସ୍ବାବ ଓ ମଳଦ୍ବାରର ସ୍ବାବ ସଂଗ୍ରହ ହୋଇଛି। ବଫର ସାଲାଇନ୍‌ ସହାୟତାରେ ଏହି ସମସ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଏଡିଆରଆଇକୁ ପଠାଇ ଦିଆଯାଇଛି। ଆସନ୍ତା ୭ଦିନ ଭିତରେ ଏହି ନମୁନା ରିପୋର୍ଟ ମିଳିବ ବୋଲି କହିଛନ୍ତି ଏସ୍‌ଡିଭିଓ ଡା. ହରେକୃଷ୍ଣ ସାହୁ। ଡା. ସାହୁ କହିଛନ୍ତି, ରାଜଧାନୀରେ ବାର୍ଡ ଫ୍ଲୁ’ର ନିୟନ୍ତ୍ରଣ ନେଇ ଆରଆରଟି ସତର୍କ ରହିଛି। ଦାରୁଠେଙ୍ଗରେ ମଲା କାଉ ରିପୋର୍ଟ ମିଳିବା ପରେ ଏହାର ଯାଞ୍ଚ ପାଇଁ ଏକ ଟିମ୍ ପଠା ଯାଇଥିଲା। ‌ହେଲେ ସେଠାରେ କୌଣସି କାଉର ସନ୍ଧାନ ମିଳି ନ ଥିଲା। ଏଥିନେଇ ସ୍ଥାନୀୟ ବଜାର ଲୋକମାନଙ୍କ ଦସ୍ତଖତ ନିଆଯାଇଛି। ପାଣିପାଗର ଯେଉଁ ପରିବର୍ତନ ହୋଇଛି, ଏଥିରେ ବାର୍ଡ ଫ୍ଲୁ’ର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଆରଆରଟି ସବୁ ସମୟରେ ସତର୍କ ହୋଇ ରହିଛି ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର