ବାର୍ଡ ଫ୍ଲୁ ଭୟ: ଆଜିଠାରୁ ରାଜଧାନୀରେ ଟିକାକରଣ

ସାନି‌ଟାଇଜେସନ୍ ସାର୍ଟିଫିକେଟ୍ ପାଇବା ପରେ ‌ହେବ ନମୁନା ସଂଗ୍ରହ

ଭୁବନେଶ୍ବର: କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖାଦେବା ପରେ ରାଜଧାନୀରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜଧାନୀ ସୀମା ଅଞ୍ଚଳରୁ ଗତ ଦୁଇଦିନ ହେବ କୁକୁଡ଼ା, ବତକ ଓ ହଂସଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ପ୍ରତି ପଞ୍ଚାୟତ ପାଇଁ ରାପିଡ୍ ରେସପନ୍‌ସ ଟିମ୍ ବା ଆରଆରଟି ଗଠନ କରାଯାଇଛି। ତେବେ ଆସନ୍ତାକାଲିଠାରୁ କୁକୁଡ଼ା ଓ ବତକଙ୍କ ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରାଣୀ ଚିକିତ୍ସା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ବାର୍ଡ ଫ୍ଲୁ ଦେଖା ଦେଇଥିବା ଅଞ୍ଚଳର ୧ କି.ମି ପରିସୀମା ଭିତ‌ରେ ଆକ୍ରାନ୍ତ ପକ୍ଷୀକୁ ସଂପୂର୍ଣ୍ଣଭାବେ ମାରି ସାରିବା ପରେ ଏକ ସାନିଟାଇଜେସନ୍ ସାର୍ଟିଫିକେଟ୍ ଜାରି କରାଯିବାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ରହିଛି। ତେଣୁ ସାମୟିକଭାବେ ରାଜଧାନୀରେ ରକ୍ତ ନମୁନା ସଂଗ୍ରହ ବନ୍ଦ ରଖାଯାଇଛି। କଟକସ୍ଥିତ ଖପୁରିଆ ବତକ ପ୍ରଜନନ କେନ୍ଦ୍ରରୁ ଏଥିପାଇଁ ସାର୍ଟିଫିକେଟ୍ ଜାରି କରାଯିବା ପରେ ରାଜଧାନୀରେ ପକ୍ଷୀଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ ସର୍ବେକ୍ଷଣ କରାଯିବ। ପରେ ପୁଣିଥରେ ରକ୍ତ ନମୁନା ସଂଗ୍ରହ ହେବ। ତେବେ ରାଜଧାନୀର ୬ନଂ ୱାର୍ଡ ସହିତ ସୀମା ଭିତରେ ଥିବା ୧୮/୨୦ଟି ଗ୍ରାମରେ ଟିକାକରଣ ଆସନ୍ତାକାଲିଠାର ଆରମ୍ଭ ହେବ। ଏଥିପାଇଁ ୨୦ହଜାର ରାଣୀକ୍ଷେତ୍ ଟିକା ଦିଆଯିବ। ଘରେ ପୋଷା ଓ ଫାର୍ମରେ ଥିବା କୁକୁଡ଼ା, ବତକ ଆଦିଙ୍କୁ ଟିକା ଦିଆଯିବ। ତେବେ ରାଜଧାନୀରେ ଏ ପର୍ଯ୍ୟନ୍ତ ପକ୍ଷୀଙ୍କର ଅସ୍ବାଭାବିକ ମୃତ୍ୟୁ ଦେଖାଯାଇ ନ ଥିବା ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଗତ ଦୁଇ ଦିନ ଧରି ରାଜଧାନୀରୁ ସଂଗ୍ରହ ହୋଇଥିବା ରକ୍ତ ନମୁନା ରିପୋର୍ଟ ଆସାନ୍ତା ୪/୫ ଦିନ ମଧ୍ୟରେ ଆସିବ ବୋଲି କୁହାଯାଉଛି।

ଉଲ୍ଲେଖ ଯେ, ଖପୁରିଆ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖା ଦେବା ପରେ ଖୋର୍ଧା ସିଡିଭିଓଙ୍କ ନେତୃତ୍ବରେ ଦୁଇ ଦିନ ତଳେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜଧାନୀର ସୀମାବର୍ତୀ ଅଞ୍ଚଳଗୁଡ଼ିକରୁ କୁକୁଡ଼ା, ବତକଙ୍କ ରକ୍ତ ନମୁନା ସଂଗ୍ରହ ପାଇଁ ନିର୍ଦେଶ ଦିଆଯାଇଥିଲା। ଏହାସହ ପକ୍ଷୀଙ୍କର ଅସ୍ବାଭାବିକ ମୃତ୍ୟୁ ନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆରଆରଟି ଗଠନ କରାଯାଇଛି।

ସମ୍ବନ୍ଧିତ ଖବର