କୁଡ଼ୁଆରେ ଚଢ଼େଇଙ୍କ ମନ୍ଦିର

ପୁରୁଣା ଭୁବନେଶ୍ବର: ଶୁଭିବ ଚଢ଼େଇଙ୍କ କଳରବ। କିଚିରିମିଚିରି ଶବ୍ଦ‌ରେ ଆହ୍ଲାଦିତ ହେବ ତନ ଆଉ ମନ। ବିନ୍ଦୁସାଗର କୂଳରେ ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ସାଙ୍ଗକୁ ଏଭଳି ନିଆରା ଅନୁଭବ ନେବେ ପର୍ଯ୍ୟଟକ। ଶହଶହ ଚଢ଼େଇଙ୍କୁ ଏକାଠି କରିବାର ଏହିଭଳି ଏକ ଅବକାଶ ସୃଷ୍ଟି କରିବ ‘ଚଢ଼େଇ ମନ୍ଦିର’ ତଥା ‘ଟେମ୍ପଲ୍‌ ଫର୍‌ ଦି ବାର୍ଡ’। ଗଛ ଡାଳରେ ନୁହେଁ, ବରଂ ଲୁହା ଫ୍ରେମ୍‌ରେ ସୁସଜ୍ଜିତ କୁଡ଼ୁଆର ମନ୍ଦିରରେ ରହିବେ ଚଢ଼େଇ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରରୁ ସଂଗୃହୀତ ୯୫୦ ପରିତ୍ୟକ୍ତ ଅବଢ଼ା କୁଡ଼ୁଆରେ ପ୍ରସ୍ତୁତି ଚାଲିଛି ଏହି କୃତ୍ରିମ ଚଢ଼େଇ ବସା। ଏଥିସହ ଶହଶହ ଐତିହ୍ୟ ମନ୍ଦିରର ପୃଷ୍ଠଭୂମି ପୁରୁଣା ଭୁବନେଶ୍ବରରେ ଶୋଭା ପାଇବ ଏହି ତ୍ରିକୋଣୀୟ ଚଢ଼େଇ ମନ୍ଦିର। ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରତୁଲ ଦାଶଙ୍କ ସୃଜନୀ ପରିକଳ୍ପନାରୁ ଏମିତି ଏକ ରୂପ ନେବାକୁ ଯାଉଛି ଏହି ଅଭିନବ ମନ୍ଦିର। ରାଜଧାନୀରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭୁବନେଶ୍ବର ଆର୍ଟ ଟ୍ରାଏଲ୍‌ (ବ୍ୟାଟ୍‌) ଅବସରରେ ଶିଳ୍ପୀଙ୍କ ଏହି ଉପଯୋଗୀ ସୃଜନୀ ପ୍ରତ୍ୟକ୍ଷ କରିବାର ଅବକାଶ ଜୁଟିବ। ୨୦ ଫୁଟ ଉଚ୍ଚ ଏବଂ ୧୦ ଫୁଟ ଓସାର ବିଶିଷ୍ଟ ଏହି ମନ୍ଦିର ଦେଖିବାକୁ ଆକର୍ଷଣୀୟ ହୋଇଥିବା ବେଳେ ଗଠନ ଶୈଳୀ ମନ୍ଦିର ସଦୃଶ ହୋଇଛି। ଅକ୍ଟୋବର ୨୦ ତାରିଖରୁ ଏହାର କାମ ଆରମ୍ଭ ହୋଇଛି। ମନ୍ଦିରର ୯୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି। ପ୍ରତୁଲଙ୍କ ସମେତ ୪ ଜଣ ଯୁବ ଶିଳ୍ପୀଙ୍କ ସହଯୋଗରେ ଚଢ଼େଇଙ୍କ ପାଇଁ ଅଭିନବ ବସା ତଥା ମନ୍ଦିର ପ୍ରସ୍ତୁତ କରାଯାଇଛି।

ଏକାମ୍ର ବନ ପଛ ପାର୍ଶ୍ବରେ ବିନ୍ଦୁସାଗର ବିଶ୍ରାମ ଘାଟ ନିକଟରେ ଏହା ନିର୍ମାଣ ଚାଲିଛି। ପରିତ୍ୟକ୍ତ କୁଡ଼ୁଆ ସଂଗ୍ରହ କରାଯାଇଥିବା ବେଳେ ଯୁବ ଶିଳ୍ପୀମାନେ ସ୍ବେଚ୍ଛାକୃତ ‌ଭାବେ ସାମିଲ୍‌ ହୋଇ ନିର୍ମାଣ କରୁଛନ୍ତି। ତେଣୁ ଏଥିପାଇଁ ଏତେ ଖର୍ଚାନ୍ତ ହେବାକୁ ପଡ଼ିନାହିଁ। ପ୍ରତୁଲଙ୍କ କହିବା ମୁତାବକ, ଏହା ଟେରାକୋଟା କଳା। ଯଦି ଏଗୁଡ଼ିକର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରାଯାଏ, ତେବେ ଶହଶହ ବର୍ଷ ଧରି ଏହା ତିଷ୍ଠି ରହିପାରିବ। ଏକାମ୍ର ବନ ମଧ୍ୟରେ ଏହା ଚଢ଼େଇଙ୍କ ପାଇଁ ଉପଯୁକ୍ତ ବାସ ହୋଇଥିବାରୁ ସେଠାରେ ଏହାକୁ ସ୍ଥାନିତ କଲେ ଆଗନ୍ତୁକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର