ମୋବାଇଲ ଆପ୍‌ରେ ଜନ୍ମ, ମୃତ୍ୟୁ ପଞ୍ଜୀକରଣ

ୟୁଜର୍‌ ଫ୍ରେଣ୍ଡଲି ହେବ ପଞ୍ଜୀକରଣ େଓ୍ଵବସାଇଟ୍‌

ଭୁବନେଶ୍ୱର: ମୋବାଇଲ ଆପ୍‌ରେ ହେବ ଜନ୍ମ/ମୃତ୍ୟୁର ପଞ୍ଜୀକରଣ। ବିଶେଷକରି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଲୋକଙ୍କୁ ଏହି ସୁବିଧା ମିଳିବ। ଫଳରେ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍‌ ପାଇବା ପାଇଁ ନଗର ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଉ ଧାଡ଼ି ଲଗାଇବାକୁ ପଡ଼ିବ ନାହିଁ। ସାର୍ଟିଫିକେଟ୍‌ ଡାକ ଯୋଗେ ଆବେଦନକାରୀଙ୍କ ଘରେ ପହଞ୍ଚିଯିବ। େଓ୍ଵବସାଇଟ୍‌ ଓ ମୋବାଇଲ ଆପ୍‌ ଜନ୍ମ/ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାକୁ ସହଜ କରିବ ବୋଲି ଆଶା କରାଯାଉଛି। ଖୁବଶୀଘ୍ର ବିଏମ୍‌ସି ପକ୍ଷରୁ ଏଭଳି ଯୋଜନା ଆରମ୍ଭ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ରାଜଧାନୀରେ ୪୦୦ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯାଉଛି। କ୍ୟାପିଟାଲ୍‌ ହସ୍ପିଟାଲରେ ଜନ୍ମ ହେଉଥିବା ୪୦ଜଣ ନବଜାତକଙ୍କୁ ମିଶାଇ ସମୁଦାୟ ୩୫୦ ଓ ୫୦ଜଣ ମୃତକଙ୍କ ପଞ୍ଜୀକରଣ ହେଉଛି। ଏଥିରୁ ଅଧିକାଂଶ ଅଫ୍‌ଲାଇନ ଜରିଆରେ ହେଉଛି। ଫଳରେ ପଞ୍ଜୀକରଣ ସାର୍ଟିଫିକେଟ୍‌ ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। କେବଳ ସାର୍ଟିଫିକେଟ୍‌ ପାଇବାକୁ ନୁହେଁ, ଅନେକ ସମୟରେ ସାର୍ଟିଫିକେଟ୍‌ରେ ନାଁ ଓ ଠିକଣା ଭୁଲ ରହିଥିଲେ ଏଥିରେ ସଂଶୋଧନ କରିବା ପାଇଁ ଲୋକମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଉଭୟ ନୂତନ ପଞ୍ଜୀକରଣ ଓ ସଂଶୋଧନ ପାଇଁ ଲୋକ ଭିଡ଼ ଜମାଉଛନ୍ତି। ଅନେକ ସମୟରେ ସାର୍ଟିଫିକେଟ ମଧ୍ୟ ଅଦଳ ବଦଳ ହୋଇଯାଉଛି। ।

ଏହି ସମସ୍ୟାର ସମାଧାନ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଓଡ଼ିଶା ଇ-ମ୍ୟୁନସିପାଲଟିରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ କରାଯାଉଛି। ଦୀର୍ଘଦିନରୁ ଏଥିପାଇଁ ‘www.ulbodisha.gov.in’ େଓ୍ଵବସାଇଟ୍‌ ରହିଛି। ଟିସିଏସ୍‌ ଦ୍ୱାରା ଏହା ପରିଚାଳିତ ହେଉଛି। ତେବେ ଅଧିକାଂଶ ଲୋକ ଅନଲାଇନ୍‌ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ ହେଉଥିବା ସଂପର୍କରେ ଜାଣି ନାହାନ୍ତି। ଏପରିକି ଏହି େଓ୍ଵବସାଇଟ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଅନଲାଇନ୍‌ରେ ଆବେଦନ କରିବା ପରେ ଫର୍ମ ଡାଉନଲୋଡ୍‌ କରି ନଗର ସ୍ୱାସ୍ଥ୍ୟ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ୁଛି। କାର୍ଯ୍ୟାଳୟରେ ଧାର୍ଯ୍ୟ ଫି’ ଦାଖଲ କରିବା ପରେ ଆବେଦନକାରୀଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ସାର୍ଟିଫିକେଟ୍‌ ନେବା ପାଇଁ କୁହାଯାଉଛି। ଆଜି ପର୍ଯ୍ୟନ୍ତ ଏହି େଓ୍ଵବସାଇଟ୍‌ ୟୁଜର୍‌ ଫ୍ରେଣ୍ଡଲି ବା ଲୋକମାନଙ୍କ ପାଇଁ ସହଜ ହୋଇପାରି ନାହିଁ। ଫଳରେ ଅଫଲାଇନ୍‌ ହିଁ ଲୋକମାନଙ୍କ ଏକମାତ୍ର ବାଟ ପାଲଟିଛି। ଦିନଭରି ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟରେ ଭିଡ଼ ଲାଗି ରହୁଛି। ଯାହାର ସୁଯୋଗ ନେଉଛନ୍ତି ସ୍ଥାନୀୟ ଦଲାଲ। ନଗର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନିକଟରେ ଏ ସଂପର୍କରେ ସୂଚନା ଥିଲେ ମଧ୍ୟ ଏହାକୁ ବନ୍ଦ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ତେବେ ଅନଲାଇନ୍‌ରେ ସମସ୍ତ ପ୍ରକ୍ରିୟା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନଲାଇନ୍‌ରେ ଆବେଦନ ଓ ଫି’ ଦାଖଲ କରିବା ପରେ ଡାକ ଯୋଗେ ଆବେଦନକାରୀଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯିବ। କେବଳ େଓ୍ଵବସାଇଟ୍‌ ନୁହେଁ ମୋବାଇଲ ଆପ୍‌ ମଧ୍ୟ ଏ ଦିଗରେ ସହାୟକ ହେବ। ଏଥିପାଇଁ ହନିେଓ୍ଵଲ ନାମକ ଏକ କମ୍ପାନି ସହିତ ବିଏମ୍‌ସିର ଆଲୋଚନା ଜାରି ରହିଛି। ଆବଶ୍ୟକ ମୋବାଇଲ ସଫ୍‌ଟେଓ୍ଵୟାର ପ୍ରସ୍ତୁତ କରାଯିବା ପରେ ଲୋକମାନେ ଏହାର ସହାୟତା ନେଇପାରିବେ। ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା.ରାମଚନ୍ଦ୍ର ରାଉତ କହିଛନ୍ତି, ଜନ୍ମ/ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାକୁ ଶତ ପ୍ରତିଶତ ଅନଲାଇନ୍‌ ଜରିଆରେ କରିବା ପାଇଁ ଯୋଜନା କରାଯାଉଛି। ପୂର୍ବରୁ ଏଥିପାଇଁ େଓ୍ଵବସାଇଟ୍‌ ରହିଛି। ତେବେ ଏହି େଓ୍ଵବସାଇଟ୍‌କୁ ନେଇ ଲୋକମାନେ ବାରମ୍ବାର ଅଭିଯୋଗ କରୁଛନ୍ତି। ତେଣୁ ଏହା କିପରି ଅଧିକ ଲୋକାଭିମୁଖୀ ହୋଇପାରିବ ସେଥିପାଇଁ ଚେଷ୍ଟା କରାଯାଉଛି। ଅଧିକାଂଶ ଲୋକମାନେ ମଧ୍ୟ ଅନଲାଇନ୍‌ ବ୍ୟବସ୍ଥା ସଂପର୍କରେ ଅଜ୍ଞ ରହିଛନ୍ତି। ତେଣୁ ସଚେତନତା ଜରିଆରେ ଲୋକମାନଙ୍କୁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିବା ପାଇଁ କୁହାଯିବ ବୋଲି ଡା.ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର