ବିଜେବି କଲେଜରେ ପାଇକ ବିଦ୍ରୋହର ସ୍ମୃତିଚିତ୍ର

ଭୁବନେଶ୍ବର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସକୁ ନୂଆ ରୂପ ଦିଆଯାଇଛି। କ୍ୟାମ୍ପସରେ ଥିବା ବକ୍ସି ଗାର୍ଡେନ୍‌ ଚାରିପାଖ ପାଚେରିରେ ପାଇକ ବିଦ୍ରୋହର ସ୍ମୃତି ବହନ କରୁଥିବା ଚିତ୍ର ଅଙ୍କା ଯାଇଛି। ଏଥିରେ ବକ୍ସି ଜଗବନ୍ଧୁଙ୍କ ଚିତ୍ର ସମେତ ପାଇକ ବିଦ୍ରୋହ ସମୟର କିଛି ଦୃଶ୍ୟକୁ ଶିଳ୍ପୀମାନେ ରଙ୍ଗତୂଳୀ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ବିଭୂତି କାନୁନ୍‌ଗୋ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ସହଯୋଗରେ ଅଙ୍କା ଯାଇଥିବା ଏହି ଚିତ୍ରଗୁଡ଼ିକ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିଜ ବିଭାଗରୁ ଅର୍ଥ ପ୍ରଦାନ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ମନ୍ତ୍ରୀ ଶ୍ରୀ ପଣ୍ଡା ଆଜି ଅତିଥି ଭାବେ ଯୋଗଦେଇ ଏହି ଚିତ୍ରଗୁଡ଼ିକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନେ କହିଥିଲେ ଯେ ଉପନିବେଶବାଦ ଶାସନର ବିଲୋପ ଘଟାଇ ଭାରତର ସ୍ବାଧୀନତା ପାଇଁ ସଂଗ୍ରାମ କରିଥିବା ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣଧାର ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ରଙ୍କ ସ୍ମୃତିରେ ନାମିତ ଏହି କଲେଜରେ ପାଇକ ବିଦ୍ରୋହ ସ୍ମୃତିଚିତ୍ର ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବ। କଲେଜ ପରିସରର ସୌନ୍ଦର୍ଯ୍ୟକରଣକୁ ଏହା ଋଦ୍ଧିମନ୍ତ କରିବ। ଏହା ଛାତ୍ରଛାତ୍ରୀ ଓ ନାଗରିକଙ୍କ ଦ୍ବାରା ବେଶ ପ୍ରଶଂସିତ ହେବ ବୋଲି ଦୁଇ ମନ୍ତ୍ରୀ ଆଶାପ୍ରକଟ କରିଥିଲେ। ଅନ୍ୟପକ୍ଷରେ କ୍ୟାମ୍ପସରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, କଲେଜ ପ୍ରଫେସର ଓ କର୍ମଚାରୀଙ୍କ ନିମନ୍ତେ ନବନିର୍ମିତ ଲିଫ୍ଟକୁ ମଧ୍ୟ ଆଜି ଉଦ୍‌ଘାଟନ କରାଯାଇଛି। ଏହାଦ୍ବାରା କଲେଜର ଏକ ଜରୁରୀ ଆବଶ୍ୟକତା ପୂରଣ ହୋଇଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହି ଉଦ୍‌ଘାଟନୀ ଉତ୍ସବରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି, ଉପାଧ୍ୟକ୍ଷ ଇନ୍ଦୁଭୂଷଣ ମହାନ୍ତିଙ୍କ ସମେତ ପ୍ରଫେସର, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର