ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷାଫଳ, ନତାଶା ଟପର୍‌

ଟପର୍‌ ତାଲିକାରେ ଛାତ୍ରୀ ଆଗରେ, ସଙ୍ଗୀତ ବିଭାଗରେ କେହି ପାସ୍‌ କଲେନି, ୩ ବିଭାଗରେ ଶତ ପ୍ରତିଶତ ରେଜଲ୍ଟ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ହାର ୮୭% ରହିଥିବା ବେଳେ କଳାରେ ୮୧%, ବିଜ୍ଞାନରେ ୯୩% ଏବଂ ବାଣିଜ୍ୟରେ ୮୭% ରହିଛି। ବିଜ୍ଞାନ ବିଭାଗରେ ପ୍ରଦାର୍ଥ ବିଜ୍ଞାନ ବିଷୟର ଛାତ୍ରୀ ନତାଶା ନାୟକ ସର୍ବାଧିକ ନମ୍ବର ରଖି ବିଭାଗ ଏବଂ କଲେଜ ଟପ୍ପର ହୋଇଛନ୍ତି। ସେ କେବଳ ଅନର୍ସରେ ୧୨୭୩ ମାର୍କ ଓ ମୋଟ ୨୧୧୦ ମାର୍କ ରଖିଛନ୍ତି। କଳାରେ ମନୋବିଜ୍ଞାନ ବିଭାଗ ଛାତ୍ରୀ ନିକିତା ଦାସ ଓ ବାଣିଜ୍ୟରେ ଆକାଉଣ୍ଟିଂ ଛାତ୍ର ଆଦିତ୍ୟ ପୃଷ୍ଟି ଟପର୍‌ ହୋଇଛନ୍ତି। କଳା ବିଭାଗରେ ମୋଟ ୪୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୦୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୧୨ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍ଗସନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୬ ଜଣ ପ୍ରଥମ, ୭୮ ଜଣ ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଙ୍ଗସନ, ୬୮ ଜଣ ଦ୍ୱିତୀୟ ଶ୍ରେଣୀ, ୨ ଜଣ ବିନା ଅନର୍ସରେ କୃତକାର୍ଯ୍ୟ ହୋଇଛନ୍ତି। ସଙ୍ଗୀତ ବିଭାଗରେ ଜଣେ ଛାତ୍ର ପରୀକ୍ଷା ଦେଇଥିଲେ ମଧ୍ୟ ସେ ପାସ୍‌ କରି ପାରିନାହାନ୍ତି। ପରିସଂଖ୍ୟାନ ବିଭାଗରେ ପରୀକ୍ଷା ଦେଇଥିବା ୪ ଜଣଙ୍କ ମଧ୍ୟରୁ ମାତ୍ର ଜଣେ ପାସ୍‌ କରିଛନ୍ତି।

ବିଜ୍ଞାନ ବିଭାଗରେ ୨୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୦୨ ଜଣ ପାସ୍‌ କରିଛନ୍ତି। ୧୪୮ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍ଗସନ, ୪୭ଜଣ ପ୍ରଥମ, ଜଣେ ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଙ୍ଗସନ, ୫ ଜଣ ଦ୍ୱିତୀୟ ଶ୍ରେଣୀ ଓ ଜଣେ ବିନା ଅନର୍ସରେ ପାସ୍‌ କରିଛନ୍ତି। ବଟାନି, କମ୍ପ୍ୟୁଟର ସାଇନ୍ସ ଓ ଷ୍ଟାଟିଷ୍ଟିକ୍ସରେ ସମସ୍ତେ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ୨୮୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୫୦ ଜଣ ପାସ୍‌ କରିଛନ୍ତି। ୧୬୧ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍ଗସନ, ୧୮ ଜଣ ପ୍ରଥମ, ୩୦ ଜଣ ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଙ୍ଗସନ, ୩୯ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବିନା ଅନର୍ସରେ ଦୁଇ ଜଣ ପାସ୍‌ କରିଛନ୍ତି। କୌଣସି ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ହୋଇନଥିବା ଜଣାପଡ଼ିଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ. ପ୍ରସନ୍ନ କୁମାର ମହାନ୍ତି, ଉପାଧ୍ୟକ୍ଷା ଡ. ରୀତା ପତି, ପରୀକ୍ଷା ନିୟନ୍ତ୍ରକ ସନ୍ଦୀପ କୁମାର ରାୟ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ନଳୀନ୍‌ ପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର