ଏମିତି ଚାଲିଛି ବିଜେବି ଜୁନିୟର କଲେଜ : ତିନି ବିଭାଗରେ ନାହାନ୍ତି ଅଧ୍ୟାପକ

ଭୁବନେଶ୍ୱର : ବିଜେବି ଜୁନିଅର କଲେଜରେ ଅଧ୍ୟାପକ ସଂକଟ। ଦୀର୍ଘ ବର୍ଷ ହେଲା ସମସ୍ୟା ଲାଗି ରହିଥିବା ବେଳେ ଏବେ ସ୍ଥିତି ଆହୁରି ଖରାପ ହୋଇଛି। ଗଣିତ ସମେତ ଦିନ୍ଦୀ ଓ ଲଜିକ୍‌ ବିଷୟରେ ପଢ଼ାଇବାକୁ କେହି ବି ଅଧ୍ୟାପକ ନାହାନ୍ତି। ୧୦ ଦିନ ଭିତରେ ଯୁକ୍ତ୨ ପାଠ୍ୟକ୍ରମରେ ନାମଲେଖା ହେବାକୁ ଯାଉଥିବାରୁ ଅଧ୍ୟାପକ ସଂକଟକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟର ଏହି ପ୍ରମୁଖ କଲେଜରେ ଏଭଳି ସଙ୍ଗିନ୍‌ ସ୍ଥିତି ହୋଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ଦିଗରେ କିଛି ବି ପଦକ୍ଷେପ ନେଉନି। ପଦବୀ ପୂରଣ କରାଯାଉ ନ ଥିବାରୁ କଲେଜ କର୍ତୃପକ୍ଷଙ୍କୁ ବି ହଟହଟା ହେବାକୁ ପଡ଼ୁଛି। କଷ୍ଟେମଷ୍ଟେ ଅତିଥି ଅଧ୍ୟାପକଙ୍କୁ ଡାକି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟକୁ ବାରମ୍ବାର ଚିଠି ପଠାଯାଉଥିଲେ ମଧ୍ୟ ସେମାନେ ଏଥିପ୍ରତି ଟିକିଏ ହେଲେ ଧ୍ୟାନ ଦେଉନାହାନ୍ତି।

ସବୁଠାରୁ ବଡ଼ କଥା ହେଲା, ଜୁନ୍‌ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଏବେ କେବଳ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ରହିଥିବା ବେଳେ ଖୁବ୍‌ଶୀଘ୍ର୍ର ପ୍ରଥମ ବର୍ଷର ପିଲା ବି ଆସିବେ। ସେମାନଙ୍କୁ ପଢ଼ାଇବା ଲାଗି ଅଧ୍ୟାପକ ନାହାନ୍ତି। କେବଳ ଉକ୍ତ ୩ଟି ବିଷୟ ନୁହେଁ। ରାସାୟନିକ ବିଜ୍ଞାନରେ ୫ଜଣ ଅଧ୍ୟାପକ ଦରକାର ଥିବା ବେଳେ ରହିଛନ୍ତି ମାତ୍ର ୩ ଜଣ। ସେହିପରି ଇଂରାଜୀ ବିଷୟରେ ୭ରୁ ୩, ପଦାର୍ଥ ବିଜ୍ଞାନରେ ୬ରୁ ୨, ପ୍ରାଣୀ ବିଜ୍ଞାନରେ ୪ରୁ ୧, ଭୌତିକ ବିଜ୍ଞାନରେ ୩ରୁ ୨ ଜଣ ରହିଥିବା ବେଳେ ଓଡ଼ିଆରେ ୫ରୁ ୪ ଜଣ ଅଧ୍ୟାପକ ଉପସ୍ଥିତ ରହିଛନ୍ତି। ଗଣିତ, ହିନ୍ଦୀ ଓ ଲଜିକ୍‌ରେ କୌଣସି ଅଧ୍ୟାପକ ନ ଥିବାରୁ ପିଲାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ସେଥିପାଇଁ ଅତିଥି ଅଧ୍ୟାପକଙ୍କ ସହଯୋଗ ନିଆଯାଉଛି।

ଯୁକ୍ତ୨ ପ୍ରଥମ ଓ ଦ୍ୱିତୀୟର ଛାତ୍ରଛାତ୍ରୀଙ୍କୁ ମିଶାଇ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ସମସ୍ତ ପିଲାଙ୍କ ପଢ଼ାଇବା ଲାଗି ଅଧ୍ୟାପକ ନ ଥିବାରୁ ଅସୁବିଧା ହେଉଥିବା ଜାଣି ମଧ୍ୟ କଲେଜ କର୍ତ୍ତୃପକ୍ଷ ହାତ ଟେକିଦେଲେଣି। ବାରମ୍ବାର ସରକାରଙ୍କୁ ଚିଠି ଲେଖିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଅଧ୍ୟାପକ ଅଭାବରୁ ଗତ କିଛି ବର୍ଷ ହେବ ପିଲାମାନଙ୍କ ପାଠପଢ଼ାରେ ବି ସମସ୍ୟା ସୃଷ୍ଟି ହେଉଛି। ଫଳରେ ଯୁକ୍ତ୨ ପରୀକ୍ଷାରେ ଆଶାନୁଯାୟୀ ରେଜଲ୍ଟ ହେଉ ନାହିଁ। ପିଲାମାନେ ଭଲ ପ୍ରଦର୍ଶନ କରି ପାରୁ ନାହାନ୍ତି। ବିଜେବିର ପିଲାମାନେ ପଛରେ ପଡ଼ୁଛନ୍ତି। ସେହିପରି ଅଧ୍ୟାପକଙ୍କୁ ଛାଡ଼ିଦେଲେ ଅନ୍ୟ କର୍ମଚାରୀଙ୍କ ଅଭାବ ମଧ୍ୟ ଦେଖିବାକୁ ମିଳିଛି। ୬ଟି କିରାଣି ପଦ ଖାଲି ପଡ଼ିଥିବା ଜଣାପଡ଼ିଛି।

କଲେଜର ଏଭଳି ସମସ୍ୟା ନେଇ ଅଧ୍ୟକ୍ଷ ଡ. ବିଷ୍ଣୁଚରଣ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏଭଳି ସ୍ଥିତି ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କୌଣସି ଉତ୍ତର ମିଳିନାହିଁ।

ସମ୍ବନ୍ଧିତ ଖବର