ସବୁ ବିଭାଗରେ ବିଜେବି ଆଗରେ

ଯୁକ୍ତ୨ କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ବିଗତବର୍ଷ ପରି ଏଥର ମଧ୍ୟ ଭୁବନେଶ୍ୱରର ପ୍ରମୁଖ କଲେଜର କଟ୍‌ ଅଫ୍‌ ମାର୍କ ଅଧିକ ରହିଥିଲେ ମଧ୍ୟ ଗତବର୍ଷ ତୁଳନାରେ ହ୍ରାସ ପାଇଛି। ସମସ୍ତ କଲେଜର କଟ୍‌ ଅଫ୍‌ ମାର୍କ ୩ରୁ ୫ପ୍ରତିଶତ ପର୍ଯ୍ୟନ୍ତ କମିଛି। ବିଜ୍ଞାନରେ ଆବେଦନକାରୀଙ୍କ ପ୍ରଥମ ପସନ୍ଦ ପାଲଟୁଥିବା ବିଜେବି କଲେଜରୁ ମୁହଁ ଫେରାଇଛନ୍ତି ମେଧାବୀ ଛାତ୍ରଛାତ୍ରୀ। ବାଣିଜ୍ୟ ବିଭାଗକୁ ଛାଡ଼ି ଦେଲେ କୌଣସି ବି ବିଭାଗରେ ସହରର କଲେଜଗୁଡ଼ିକରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅଗ୍ରହ ପ୍ରକାଶ କରିନାହାନ୍ତି। ଯେଉଁଥିପାଇଁ କଳା ବିଭାଗର ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ କଲେଜ ତାଲିକାରେ କେବଳ ବିଜେବି ଥିବା ବେଳେ ବିଜ୍ଞାନ ବିଭାଗର ଶ୍ରେଷ୍ଠ ୧୦ରେ ବିଜେବି ଓ ବେସିକ୍‌ ସାଇନ୍ସ ଏବଂ ବାଣିଜ୍ୟ ବିଭାଗର ଶ୍ରେଷ୍ଠ ୧୦ ମଧ୍ୟରେ ୫ଟି କଲେଜ ରହିଛି। ୪ଟି ଘରୋଇ କଲେଜର କଟ୍‌ ଅଫ୍‌ ମାର୍କ ୭୦ ପ୍ରତିଶତରୁ ଅଧିକ ରହିଛି। ଚଳିତବର୍ଷ ଶିକ୍ଷାବର୍ଷରେ ରାଜଧାନୀର ୫୯ଟି କଲେଜର ୧୭ ହଜାର ୮ ଶହ ୮ ସିଟ୍‌ ପାଇଁ ନାମଲେଖା ହେବ। ଏଥିରେ କଳା ବିଭାଗରେ ୪ ହଜାର ୫୭୬ ସିଟ୍‌ ଥିବା ବେଳେ ବିଜ୍ଞାନ ବିଭାଗରେ ୧୧ ହଜାର ୮ ସିଟ୍‌ ଓ ବାଣିଜ୍ୟ ବିଭାଗରେ ୨ ହଜାର ୨୨୪ ସିଟ୍‌ ରହିଛି। ବେସିକ୍‌ ସାଇନ୍ସ କଲେଜର ବିଜ୍ଞାନ ବିଭାଗରେ ୩୮୪, ବିଜେବି କଲେଜର କଳା ବିଭାଗର ୫୧୨, ବିଜ୍ଞାନର ୫୪୪, ବାଣିଜ୍ୟର ୧୯୨ ସିଟ୍‌, ବିଜୁ ପଟ୍ଟନାୟକ କଲେଜର କଳା ଓ ବିଜ୍ଞାନ ବିଭାଗର ୨୫୬ ଲେଖାଏ ସିଟ୍‌ ଓ ବାଣିଜ୍ୟ ବିଭାଗର ୧୨୮ ସିଟ୍‌, ସିଟି ଓ୍ଵମେନ୍ସ କଲେଜର କଳା ବିଭାଗର ୨୫୬ ଓ ବିଜ୍ଞାନ ବିଭାଗର ୬୪ ସିଟ୍‌, ଦେବରାୟ ଓ ଏକାମ୍ର କଲେଜର କଳା ବିଭାଗର ୨୫୬ ଲେଖାଏ ସିଟ୍‌, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୧୨୮ ଲେଖାଏ ସିଟ୍‌ ପାଇଁ ନାମଲେଖା କରାଯିବ। କମଳା ନେହେରୁ କଲେଜର କଳା ବିଭାଗରେ ୨୫୬, ବିଜ୍ଞାନରେ ୧୨୮ ଓ ବାଣିଜ୍ୟରେ ୬୪ଟି ସିଟ୍‌, ମହର୍ଷି କଲେଜର କଳା ବିଭାଗରେ ୧୨୮, ବିଜ୍ଞାନରେ ୨୫୬ ଓ ବାଣିଜ୍ୟରେ ୧୨୮, ମହର୍ଷି ମହିଳା କଲେଜର କଳା ବିଭାଗରେ ୨୫୬ ଓ ବିଜ୍ଞାନରେ ୧୨୮, ରାଜଧାନୀ କଲେଜର କଳାରେ ୨୫୬, ବିଜ୍ଞାନରେ ୩୮୪ ଓ ବାଣିଜ୍ୟର ୧୨୮ ସିଟ୍‌, ରମାଦେବୀ ମହିଳା କଲେଜର କଳାରେ ୫୧୨, ବିଜ୍ଞାନରେ ୩୮୪ ଓ ବାଣିଜ୍ୟ ବିଭାଗର ୨୫୬ ସିଟ୍‌, ସତ୍ୟସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳାରେ ୧୯୨ ଓ ବିଜ୍ଞାନ ବିଭାଗର ୧୨୮ ସିଟ୍‌ ଲାଗି ନାମଲେଖା ହେବ।

ସମ୍ବନ୍ଧିତ ଖବର