ଭରତପୁର ଶୋଭାଯାତ୍ରା ମାମଲା, ପୁଣି ପଦାରେ ପଡ଼ିଲା ବିଜେଡି ବିବାଦ

ଖଣ୍ଡଗିରି: ଗତକାଲିର ବିରୋଧୀ ଶୋଭାଯାତ୍ରା ପରେ ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପାଇଁ ଅଣ୍ଟା ଭିଡ଼ିଛି ସମର୍ଥକ ଗୋଷ୍ଠୀ। ଗତକାଲିର ବିରୋଧୀ ଶୋଭାଯାତ୍ରାକୁ ଟକ୍କର ଦେବା ପାଇଁ ଆଜି ଉକ୍ତ ଗୋଷ୍ଠୀ ଭରତପୁରରେ ସ୍ବାଭିମାନ ପଦଯାତ୍ରା ଆୟୋଜନ କରିଥିଲା। ବିଧାୟକ ଶ୍ରୀ ମିଶ୍ରଙ୍କ ଉପରେ ଅଞ୍ଚଳବାସୀଙ୍କ ଆସ୍ଥା ଥିବାର ପ୍ରମାଣ ପ୍ରଦର୍ଶନ ପାଇଁ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ ବ୍ୟକ୍ତି ସାମିଲ୍ ହୋଇଥିଲେ ବି ସ୍ଥାନୀୟ କର୍ପୋରେଟର୍‌ ନଥିବାରୁ ବିଜେଡିର ଦଳୀୟ ବିବାଦକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଜି ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ବରେ ସ୍ଥାନୀୟ କିଛି ମହିଳା ଓ ଯୁବକମାନେ ଏହି ପଦଯାତ୍ରାରେ ସାମିଲ୍ ହୋଇଥିଲେ। ପଦଯାତ୍ରାରେ ସାମିଲ୍ ବ୍ୟକ୍ତିମାନେ ବିଧାୟକଙ୍କ ସପକ୍ଷରେ ବିଭିନ୍ନ ସ୍ଳୋଗାନ ଦେଇ ଭରତପୁର ବୁଲିଥିଲେ। କିନ୍ତୁ ହରେକୃଷ୍ଣ ନାଏକ ବି‌ଜେଡିର ପୂର୍ବତନ କର୍ପୋରେଟର ହୋଇଥିଲେ ମଧ୍ୟ ତାଙ୍କୁ ଏହି ପଦଯାତ୍ରାରେ ଦେଖିବାକୁ ମିଳି ନଥିଲା। ତେଣୁ ବିଧାୟକ ଶ୍ରୀ ମିଶ୍ର ଓ କର୍ପୋରେଟର ଶ୍ରୀ ନାଏକଙ୍କ ମଧ୍ୟରେ ଥିବା ବିବାଦ ପଦାକୁ ଫୁଟି ବାହାରିଥିଲା ବୋଲି ଲୋକେ ଆଲୋଚନା କରୁଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ବିଧାୟକ ଶ୍ରୀ ମିଶ୍ରଙ୍କ ବିରୋଧରେ ଭରତପୁରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ବିକ୍ଷୋଭକାରୀମାନେ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତାଙ୍କୁ ହଟାଇବା ଦାବିରେ ଅର୍ଥାତ୍ ଆଗାମୀ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ ନକରୁ ବୋଲି ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ରାଲି ଆୟୋଜନ ପଛରେ ପୂର୍ବତନ କର୍ପୋରେଟର ଶ୍ରୀ ନାଏକଙ୍କ ହାତ ଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାକୁ ଶ୍ରୀ ନାଏକ ଖଣ୍ଡନ କରିଥିଲେ। ଏମିତିକି ସେହି ରାଲିର ଆୟୋଜକମାନଙ୍କ ବାବଦରେ ପ୍ରଶ୍ନ ସବୁକୁ ଏଡ଼ାଇ ଯାଇଥିଲେ। ତେଣୁ ଆଜିର ପଦଯାତ୍ରା ଓ ଗତକାଲିର ବିରୋଧୀ ଶୋଭାଯାତ୍ରା ଭରତପୁର ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧିତ ଖବର