ପୁଣି ବିଜେଡି ଦଖଲରେ ଭୁବନେଶ୍ବର

ଭୁବନେଶ୍ବର : ଲଗାତର ତୃତୀୟ ଥର ପାଇଁ ବିଜେଡି ଭୁବନେଶ୍ବରର ତିନିଟି ବିଧାନସଭା ଆସନକୁ ଦଖଲ କରିଛି। ଏଠାରେ ଗତ ଦୁଇଥର ଭଳି ଏଥର ବି ବିଜେଡି ପ୍ରାର୍ଥୀମାନେ ଏକତରଫା ବିଜୟ ହାସଲ କରିଛନ୍ତି। ତିନିଟିଯାକ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ ହେଁ କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ପଡ଼ିଯାଇଛନ୍ତି। ବିଜେଡିର ଏହି ହାଟ୍ରିକ ବିଜୟ ପରେ ଭୁବନେଶ୍ବର ପୁଣି ୫ବର୍ଷ ପାଇଁ ବିଜେଡି ଦଖଲକୁ ଯାଇଛି।

ଏକାମ୍ର ଭୁବନେଶ୍ବରରେ ଅଶୋକ ଚନ୍ଦ୍ର ପଣ୍ଡା ଲଗାତର ତୃତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଥିବାବେଳେ ଏଥର ବି ସେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି। ଭୁବନେଶ୍ବର ମଧ୍ୟରେ ବିଜେଡି ପ୍ରାର୍ଥୀ ବଦଳାଇଥିଲେ ବି ପ୍ରଥମ କରି ବିଧାନସଭା ନିର୍ବାଚନ ଲଢ଼ୁଥିବା ଅନନ୍ତ ନାରାୟଣ ଜେନା ଏଠାରେ ବହୁ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ସେହିପରି ଭୁବନେଶ୍ବର ଉତ୍ତରରେ ବିଜେଡି ଲଗାତର ତୃତୀୟ ଥର ପାଇଁ ପ୍ରାର୍ଥୀ ବଦଳାଇଥିଲେ ହେଁ ଏଠାରେ ବି ବିଜୟ ହାସଲ କରିଛି। ଯଦିଓ ପୂର୍ବ ଅପେକ୍ଷା ଭୋଟ୍‌ ବ୍ୟବଧାନ କମିଛି କିନ୍ତୁ ସୁଶାନ୍ତ ରାଉତ ଏକତରଫା ବିଜୟ ହାସଲ କରିଛନ୍ତି।

ବିଜେଡିର ଏକତରଫା ବିଜୟ ପରେ ବିରୋଧୀମାନେ ଚିତପଟାଙ୍ଗ ମାରିଛନ୍ତି। ସବୁଠି ବିଜେପି ପ୍ରାର୍ଥୀମାନେ ଯଦିଓ କିଛି ବୁଥ୍‌ରେ ଅଧିକ ଭୋଟ୍‌ ପାଇ ବିଜୟୀ ପ୍ରାର୍ଥୀଙ୍କୁ ମଝିରେ ମଝିରେ ଚକ୍‌ମା ଦେଉଥି‌େଲ କିନ୍ତୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବାଭଳି କେଉଁଠି ବି ଅନୁଭବ ହୋଇନଥିଲା।

ସମ୍ବନ୍ଧିତ ଖବର