ବିଜେଇଏମ ସ୍କୁଲ-୨ର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁରସ୍ଥିତ ବିଜେଇଏମ୍‌ (ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ) ବିଦ୍ୟାଳୟ-୨ର ଦ୍ୱାଦଶ ବାର୍ଷିକ ଉତ୍ସବ ‘ପାଲସାଶିଓ’ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ଉଚ୍ଚ ଶିକ୍ଷା ପାଇଁ ଉତ୍ତମ ଆଚରଣର ଅବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଲିଙ୍ଗରାଜ ଗ୍ରୁପ୍‌ ଅଫ୍‌ କମ୍ପାନିର ପରିଚାଳନା ନିର୍ଦେଶକ ଏସ୍‌କେ ସୁରେଖା ଯୋଗ ଦେଇଥିଲେ।

ବିଦ୍ୟାଳୟ ପରିଚାଳକ ପ୍ରତାପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା କ୍ଷଣିକା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ଉପସଭାପତି ଡ. ଅଶ୍ୱିନୀ ତିୱାରୀ, ସହ ପରିଚାଳକ ଚିରନ ବରିସଲ ଓ ବିଜେ ଶିକ୍ଷା ପରିଷଦର ସଦସ୍ୟଗଣ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପତ୍ରିକା ‘ସ୍ପେକ୍‌ଟ୍ରମ୍‌’ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ନିମନ୍ତେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ। ୨୦୧୭-୧୮ ଶିକ୍ଷା ବର୍ଷ ନିମନ୍ତେ ଏକାଦଶ ଶ୍ରେଣୀ ଛାତ୍ରୀ ଝରଣା ନାୟକ, ଦଶମ ଶ୍ରେଣୀ ଛାତ୍ର ସୌରଭ ପାଣିଗ୍ରାହୀ ଶ୍ରେଷ୍ଠ ବିବେଚିତ ହୋଇ ସ୍ୱତନ୍ତ୍ର ପୁରସ୍କାର ଲାଭ କରିଥିବା ବେଳେ ନବମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ବଡ଼ଜେନା ‘ବିଜେଜେଏମ୍‌’ ବିବେଚିତ ହୋଇଥିଲେ। ଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ଅଷ୍ଟମ ଶ୍ରେଣୀର ଶିବାନୀ ଶତରୂପା ସାହୁ ବିବେଚିତ ହୋଇ ସ୍ୱତନ୍ତ୍ର ପୁରସ୍କାର ଲାଭ କରିଥିଲେ। ଏହି ଦୁଇ ଦିନିଆ ଉତ୍ସବକୁ ବିଶିଷ୍ଟ ଶିକ୍ଷାବିତ୍‌ ଅବସରପ୍ରାପ୍ତ ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଶୁକ୍ରବାର ଉଦ୍‌ଘାଟନ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର