ଅନନ୍ତଙ୍କୁ ଘେରିଲା ବିଜେପି, ଏଡିଏମ୍‌ ଅଫିସ୍‌ ଘେରାଉ, ପ୍ରାର୍ଥିପତ୍ର କାଏମ ରହିଲା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଣି ଆଜି ବିଜେପି ଏଡିଏମ୍‌ ଅଫିସ୍ ଘେରାଉ କରିଛି। ଏହାସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତାଙ୍କ ନାମରେ ମଧ୍ୟ ଅଭିଯୋଗ କରିଛି। ଶୁକ୍ରବାର ବିଜେପି ଭୁବନେଶ୍ବର ମଧ୍ୟର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗ ଆଣିଥିଲା ଯେ, ଅନନ୍ତ ବିଡିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ନଥିଲେ ହେଁ ତାଙ୍କ ଇସ୍ତଫାପତ୍ରରେ ଅଫିସ୍ ଅଫ୍ ପ୍ରଫିଟରେ ନଥିବା ଦର୍ଶାଇଛନ୍ତି। ସେ ନିର୍ବାଚନ କମିସନ ଆୟୋଗଙ୍କ ଦ୍ବାରା ପ୍ରଦତ୍ତ ଫର୍ମ-୨୬ର ସତ୍ୟପାଠ ପୂରଣ କରିନାହାନ୍ତି। ତେଣୁ ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୧୯୧ ଅନୁଯାୟୀ ଶ୍ରୀ ଜେନାଙ୍କ ନାମାଙ୍କନପତ୍ର ଅଫିସ୍‌ ଅଫ୍ ପ୍ରଫିଟ୍‌ ନିୟମ ଅନୁସାରେ ଖାରଜ ହେଉ। ଏପରିକି ତାଙ୍କ ନାମରେ ଋଷି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ନେଇ ମାମଲା ଦାୟର ହୋଇଥିଲେ ହେଁ ଏହାକୁ ସେ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ତେଣୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରାଯାଉ। ଏପରି ଅଭିଯୋଗ ଆଣି ବିଜେପିର ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏବଂ ତାଙ୍କ ସମର୍ଥକମାନେ ଏଡିଏମ୍‌ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ କମିସନରେଟ୍‌ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏହାପରେ ଶ୍ରୀ ପ୍ରଧାନ ଶୁକ୍ରବାର କରିଥିବା ଅଭିଯୋଗକୁ କାଉଣ୍ଟର ଆଫିଡେଭିଟ୍ ମାଧ୍ୟମରେ ଏଡିଏମ୍‌ଙ୍କୁ ଦେଇଥିଲେ। ଗତକାଲିର ଅଭିଯୋଗ ଉପରେ ଏଡିଏମ୍‌ ଶୁଣାଣି କରି ଅନନ୍ତଙ୍କ ପ୍ରାର୍ଥିପତ୍ର କାଏମ୍‌ ରଖିଛନ୍ତି। ଏନେଇ ଭୁବନେଶ୍ବର ଏଡିଏମ୍ କହିଛନ୍ତି ଯେ, ନିୟମ ଅନୁଯାୟୀ, ଯାହା କରିବା କଥା ଆମେ କରିଛୁ। ଏଡିଏମ୍‌ଙ୍କ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଶ୍ରୀ ଜେନାଙ୍କ ପ୍ରାର୍ଥିପତ୍ରକୁ ପୁନର୍ବାର ନିରପେକ୍ଷତାର ସହ ଯାଞ୍ଚ କରିବା ଏବଂ ଏବଂ ନାମାଙ୍କନପତ୍ର ନାକଚ କରିବାକୁ ଦାବି କରିଛି। ସେହିପରି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ବିଧାୟକ ପାର୍ଥୀ ହୋଇଥିବା ଅନନ୍ତ ଜେନାଙ୍କର ଋଷି ନାମକ ଏକ ଇଂଜିନିୟରିଂ ଛାତ୍ରର ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଥିଲା। ଏହାଛଡ଼ା ତାଙ୍କର ଯୌନ ବ୍ୟଭିଚାରର ଏକ ଭିଡିଓ ସାରା ରାଜ୍ୟରେ ମୋବାଇଲକୁ ମୋବାଇଲ ବୁଲୁଥିଲା। ସେହି ଭିଡିଓ ପାଇଁ ଋଷିର ହତ୍ୟା ହୋଇଥିଲା ବୋଲି ସେତେବେଳେ ମୃତ ଛାତ୍ର ଋଷିର ପରିବାର ଅଭିଯୋଗ କରିବା ସହ ନିଜେ ଅନନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲେ। ଏହିଭଳି ଅପରାଧୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତେଣୁ ରାଜଧାନୀବାସୀ ତାଙ୍କୁ ପ୍ରତ୍ୟାଖାନ କରିବା ଦରକାର। ଅପରପକ୍ଷେ ଅନନ୍ତ ଆଜି ୟୁନିଟ-୧ ଅଞ୍ଚଳରେ ‌ପ୍ରଚାର କରି ଭୋଟ୍ ‌ମାଗୁଥିଲେ। ଅନନ୍ତ କହିଛନ୍ତି ଯେ, ବିଜେପି ପ୍ରାର୍ଥୀ ପରାଜୟକୁ ଭୟ କରି ମୋ ନାମରେ ମିଛ ଅଭିଯୋଗ ଆଣୁଛନ୍ତି।

ସମ୍ବନ୍ଧିତ ଖବର