ବିଜେଡି ପାଇଁ କାମ କରୁଛନ୍ତି ବିଡିଏ ଅଧିକାରୀ, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଦୁଇ ଜଣ ଅଧିକାରୀ ଅମ୍ବିକା ମହାନ୍ତି ଓ ଏଲ୍‌ ପି ମହାପାତ୍ର ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଲୋଭ ଦେଖାଇ ବିଜେଡି ସପକ୍ଷରେ ଭୋଟ୍‌ ହାତେଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଆଜି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଏ ନେଇ ଫେରାଦ ହୋଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ଏହି ଦୁଇ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଗତକାଲି ଶାନ୍ତିପଲ୍ଲୀ ବସ୍ତି ଓ ଈଶାଣେଶ୍ବର ବସ୍ତିକୁ ଯାଇ ସେଠାରେ ଥିବା ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବାର ପ୍ରତିଶ୍ରୁତି ‌େଦଇଥିଲେ। ଏହି ଘରଗୁଡ଼ିକ କିପରି ନିର୍ମାଣ ହେବ, ସେ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ବେ ଏହି ଅଧିକାରୀମାନେ ସରକାରୀ ଯୋଜନାର ଲୋଭ ଦେଖାଇ ଶାସକ ବିଜେଡି ସପକ୍ଷରେ ଭୋଟ୍‌ ମାଗୁଛନ୍ତି। ଏପରିକି ବସ୍ତିବାସିନ୍ଦାଙ୍କୁ ମିଥ୍ୟା କାର୍ଯ୍ୟାଦେଶ ଦେଇ ବିଜେଡିକୁ ଭୋଟ୍‌ ଦେବା ପାଇଁ କହୁଛନ୍ତି। ୧୯ ବର୍ଷର ଶାସନ‌ରେ ସରକାର ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇପାରିଲେ ନାହିଁ। ଏବେ ନିର୍ବାଚନ ଚାଲିଥିବା ବେଳେ ସରକାରୀ କଳକୁ ଅପବ୍ୟବହାର କରି ବିଜେଡି ଭୋଟ୍‌ ହାତେଇବା ପାଇଁ କାମ କରୁଛି। ତୁରନ୍ତ ଏହି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ବିଡିଏ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ପ୍ରତିନିଧି ଦଳରେ ଜୀବନ ସାହୁ, ପ୍ରତାପ ମିଶ୍ର, ରବି ଶଙ୍କର ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର