ବାଣ କାରଖାନା ବିସ୍ଫୋରଣ ଘଟଣା: ଭୟଙ୍କର, ଲୋମଟାଙ୍କୁରା

ବାଲିପାଟଣା ବନମାଳିପୁର ନୂଆସାହିରେ ବାଣ ବିସ୍ଫୋରଣ ଘଟଣା ଥିଲା ଭୟଙ୍କର ଓ ଲୋମଟାଙ୍କୁରା। ଘଟଣାସ୍ଥଳର ଚିତ୍ର ଏପରି ବୟାନ କରୁଥିଲା। ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ପ୍ରାୟ ୩ କିମି ପର୍ଯ୍ୟନ୍ତ ଅଞ୍ଚଳ ଥରି ଉଠିଥିଲା। କଂକ୍ରିଟ ଛାତ,ଇଟା କାନ୍ଥ ଓ ଲୁହା ଗ୍ରିଲ ୫୦ ମିଟର ଦୂରରେ ପଡ଼ିଥିଲା। ବିସ୍ଫୋରଣରେ ମୃତ ଜ୍ଞାନେନ୍ଦ୍ରଙ୍କ ପଛପଟ ଘର ଓ ପଡ଼ୋଶୀ ଜିତେନ୍ଦ୍ର ମିଶ୍ରଙ୍କ ଛାତ ଘର ଉଡ଼ି ପ୍ରାୟ ପଚାଶ ମିଟର ଦୂରରେ ପଡ଼ିଥିଲା।

ଶବ ଖୋଜିବାକୁ ପୁଲିସ୍‌ ନାକେଦମ୍‌: ଗୋଟିଏ ମିଳିଲା, ଅନ୍ୟଟି ମିଳୁନି

ଦମ୍ପତିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ୍‌ ଏବେ ଚିନ୍ତାରେ ପଡ଼ି ଯାଇଛି। ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ରହି ଚିହ୍ନବର୍ଣ୍ଣ ନ ଥିବା ମୃତଦେହର ମାଂସ, ହାଡ଼, କେଶକୁ ଗୋଟାଇବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଲକ୍ଷ୍ମୀପ୍ରିୟାଙ୍କ ଶବ ମିଳିଥିବା ବେଳେ ଜ୍ଞାନେନ୍ଦ୍ରଙ୍କ ଶବ ଚିହ୍ନଟ ହୋଇପାରୁନାହିଁ। ଜେସିବି ଲଗାଇ ଘରର ଭଗ୍ନାବଶେଷ କଢ଼ା ଯାଉଛି। କିନ୍ତୁ ଜ୍ଞାନେନ୍ଦ୍ରଙ୍କ ଶବ ମିଳିନାହିଁ କି ଚିହ୍ନଟ ବି ହୋଇ ପାରିନାହିଁ।

 ଗଛ ବଞ୍ଚାଇଦେଲା ଲୋକଙ୍କ ଜୀବନ

ଜ୍ଞାନେନ୍ଦ୍ରଙ୍କ ଘର ପଛପଟେ ଥିବା ବଡ଼ବଡ଼ ଦେବଦାରୁ ଗଛ ବହୁ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣରେ କାନ୍ଥ ଇଟା ଓ ଗ୍ରିଲ ୫୦ ଫୁଟ ପର୍ଯ୍ୟନ୍ତ ଉଡ଼ି ଯାଇଥିଲା। କିନ୍ତୁ ବଡ଼ବଡ଼ ଗଛରେ ସେଗୁଡ଼ିକ ମାଡ଼ ହୋଇ ୫୦ ମିଟର ଦୂରରେ ପଡ଼ିଥିଲା। ଗଛ ନ ଥିଲେ ଇଟା ଓ ଗ୍ରିଲଗୁଡ଼ିକ ଗାଁ ଲୋକଙ୍କ ଉପରେ ପଡ଼ି ଅନେକ ଜୀବନ ଯାଇଥାନ୍ତା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଲକ୍ଷଲକ୍ଷ ଟଙ୍କାର ବେଆଇନ୍‌ ବାଣ ମହଜୁଦ୍‌

ଏବେ ବି ଗାଁରେ ଲକ୍ଷଲକ୍ଷ ଟଙ୍କାର ବେଆଇନ ବାଣ ଲୁଚାଇ ରଖାଯାଇଛି। ସୁତୁଲି ବମ୍‌(ଗଡ଼ମ୍ବା), ସୁନୁ ‌େଫାଟକା, ତାଳ ଫୋଟକା, ହାବେଳି, ଲଙ୍କାବାଣ ଆଦି ପ୍ରଚଣ୍ଡ ଶବ୍ଦ କରି ଫୁଟୁଥିବା ବାଣ ଟ୍ରକ୍‌ଟ୍ରକ୍‌ ମହଜୁଦ୍‌ ରହିଛି। ମୃତ ଲକ୍ଷ୍ମୀପ୍ରିୟାଙ୍କ ଭାଇ ସୋନଗୋରଡ଼ିର ସୁଶାନ୍ତ କୁମାର ପତି ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ଆଗ‌ରେ ଏଭଳି ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ବାଣକୁ ଜବତ ନକଲେ ଆଗକୁ ବହୁ ଲୋକଙ୍କ ଜୀବନ ଯିବ ବୋଲି କହିବା ପରେ ବି ଅଧିକାରୀମାନେ ଚୁପ୍‌ ରହିଛନ୍ତି। ବାଣ ଜବତ ପାଇଁ ପ୍ରଶାସନ, ପୁଲିସ ଓ ଅଗ୍ନିଶମ ବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ସନ୍ଧ୍ୟା ପର୍ଯ୍ୟନ୍ତ ନେଇ ନଥିବାରୁ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ବାରୁଦ ଗଦା ଭିତରେ ଗାଁ

ଗାଁ ଭିତରେ ଦୁଇପଟେ ଧାଡ଼ିଧାଡ଼ି ଘର। କିନ୍ତୁ ବେଆଇନ ବାଣ କାରଖାନା ଗାଁ ଭିତରେ ବର୍ଷବର୍ଷ ଧରି ଚାଲି ଆସୁଛି। ଗଦାଗଦା ବିସ୍ଫୋରକ ସାଙ୍ଗକୁ ବାଣ ବି ଭର୍ତି ହୋଇ ରହିଛି ବୋଲି  ସ୍ଥାନୀୟ ଲୋକ ଓ ମୃତା ଲକ୍ଷ୍ମୀପ୍ରିୟାଙ୍କ ଭାଇ ସୁଶାନ୍ତ ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ତଳେ ବି ଛୋଟ ଧରଣର ବିସ୍ଫୋରଣ ହେବାରୁ ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା। ବାରୁଦ ଗଦା ଭିତରେ ଗାଁଟି ଏକପ୍ରକାର ଥିବାରୁ ସ୍ଥାନୀୟ ଲୋକେ ଓ ଭୟରେ ରହୁଥିବା କଥା କହିଛନ୍ତି।

ପଡ଼ୋଶୀଙ୍କ ବ୍ୟାପକ କ୍ଷତି

ଜ୍ଞାନେନ୍ଦ୍ରଙ୍କ ଘରର ପଶ୍ଚିମପଟରେ ଥିବା ପଡ଼ୋଶୀ ଜିତେନ୍ଦ୍ର ମିଶ୍ରଙ୍କ ୩ ବଖରା ଛାତ, ପାଇଖାନା ଓ ଏକ ଆଜବେଷ୍ଟସ୍‌ ଘର ବିସ୍ଫୋରଣରେ ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ସେହିପରି ଦକ୍ଷିଣ ଦିଗରେ ଥିବା ଭରତ କୁମାର ମିଶ୍ରଙ୍କ ଆଜବେଷ୍ଟସ୍‌ ଘର ବି ଭାଙ୍ଗି ଚୂରମାର୍‌ ହୋଇଯାଇଛି। ତୁରନ୍ତ ପ୍ରଶାସନ କ୍ଷତିଗ୍ରସ୍ତ ପରିବାରଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

 

ଅନାଥ ହୋଇଗଲେ ଦୁଇ ଝିଅ

ବାଣ ବିସ୍ଫୋରଣରେ ବାପା ଜ୍ଞାନେନ୍ଦ୍ର ଓ ମା’ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିବା ପରେ ଏବେ ଦୁଇ ଝିଅ  ଅନାଥ ହୋଇ ଯାଇଛନ୍ତି। ଦୁହେଁ କିନ୍ତୁ ଆଜି ବିସ୍ଫୋରଣରୁ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି। ବଡ଼ ଝିଅ ସ୍କୁଲ ଯାଇଥିବା ବେଳେ ସାନ ଝିଅ ମାଉସୀଙ୍କ ଘରକୁ ଯାଇଥିଲା। ମୃତ ଜ୍ଞାନେନ୍ଦ୍ର ୪ ଭାଇ। ବାପାଙ୍କ ମୃତ୍ୟୁ ଘଟି ସାରିଛି। ବଡ଼ ଭାଇଙ୍କର ମଧ୍ୟ ବାଣ ବିସ୍ଫୋରଣରେ ମୃତ୍ୟୁ ଘଟିଥିଲା। ଜ୍ଞାନେନ୍ଦ୍ରଙ୍କ ଅନ୍ୟ ୩ ଭାଇ ଅଲଗା ଅଲଗା ରହୁଛନ୍ତି। ଏଭଳି ପରିସ୍ଥିତିରେ ଏବେ ଦୁଇ ଝିଅ କ’ଣ କରିବେ, କେଉଁଠି ରହିବେ ତାକୁ ନେଇ ସମସ୍ତଙ୍କ ମୁହଁରେ ପ୍ରଶ୍ନ। ଦୁହିଁଙ୍କୁ ୧୦ ବର୍ଷ ମଧ୍ୟ ହୋଇନାହିଁ। ଦୁହେଁ ବାପା ମା’ଙ୍କ ଏଭଳି ଅକାଳ ମୃତ୍ୟୁକୁ ସହଜରେ ବିଶ୍ବାସ କରି ପାରୁନାହାନ୍ତି। ଦୁହେଁ ଏବେ ମାଉସୀ ଘରେ। କେମିତି ସେମାନଙ୍କ ଭବିଷ୍ୟତ କଟିବ, ସେହି ଚିନ୍ତା ଏବେ ଗ୍ରାମବାସୀଙ୍କ ମନରେ ଉଙ୍କି ମାରୁଛି।

ବାଣ ନେଇଥିଲା ବଡ଼ ଭାଇଙ୍କ ଜୀବନ, ଆଜି ଚାଲିଗଲା ସାନ 

ବାଣ ତିଆରି ସମୟରେ ପ୍ରାୟ ପନ୍ଦର ବର୍ଷ ତଳେ ବଡ଼ଭାଇ ନଗେନ୍ଦ୍ର ମିଶ୍ରଙ୍କ ଜୀବନ ଯାଇଥିଲା। ଆଜି ସାନଭାଇ ଜ୍ଞାନେନ୍ଦ୍ରଙ୍କ ଜୀବନ ଗଲା। ବାପାଙ୍କଠାରୁ ପୁଅମାନେ ବାଣ କାମ ଶିଖି ବାଣ ତିଆରି କରୁଥିଲେ। ତାଙ୍କ ଆଖି ଆଗରେ ୨ପୁଅ ଓ ଜଣେ ବୋହୂଙ୍କ ଜୀବନ ଚାଲିଗଲା।

ସମ୍ବନ୍ଧିତ ଖବର