ରକ୍ତଦାନ କରିବା ଭଗବାନଙ୍କ ଆଶୀର୍ବାଦ

ଅମ୍ବିକା ଫାଉଣ୍ଡେସନର ‘ସଂକଳ୍ପ’ ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର ଅମ୍ବିକା ଫାଉଣ୍ଡେସନ ପକ୍ଷରୁ ନାରୀ ନିର୍ଯାତନା, ଶଶୁ ଶ୍ରମିକ, ଅନ୍ୟାୟ, ଦୁର୍ନୀତି ଆଦି ବିରୋଧରେ ସ୍ୱର ଉତ୍ତୋଳନ କରିବା ନେଇ ‘ସଂକଳ୍ପ’ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ସାମାଜିକ ସମସ୍ୟାର ସମାଧାନ କରିବା ସହ ଉନ୍ନତିମୂଳକ କାର୍ଯ୍ୟ କରିବା ନେଇ ଅନୁଷ୍ଠାନ ଏହି ଅଭିଯାନ ଆରମ୍ଭ କରିଥିବା ଫାଉଣ୍ଡେସନର ମୁଖ୍ୟ ଅମ୍ବିକା ମହାରଣା କହିଛନ୍ତି। ଅନୁଷ୍ଠାନ ପକ୍ଷରୁ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରି ନିଜ ଲକ୍ଷ୍ୟରେ ଆଗେଇବା ନେଇ ଅନୁଷ୍ଠାନର କର୍ମକର୍ତା ସଂକଳ୍ପ ନେଇଥିଲେ।

ଏହି ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ, ରକ୍ତଦାନ କଲେ ଶରୀରର କିଛି କ୍ଷତି ହୁଏ ନାହିଁ। ବରଂ ମଣିଷ ପୂର୍ବାପେକ୍ଷା ଅଧିକ ସୁସ୍ଥସବଳ ହୁଏ। ଅଠର ବର୍ଷ ହୋଇଥିବା, ସୁସ୍ଥ ଥିବା ବ୍ୟକ୍ତି ଠାରୁ ରକ୍ତ ନିଆଯାଇ ପାରିବ। ତେଣୁ ଏହା ଭଗବାନଙ୍କ ଆଶୀର୍ବାଦ ସଦୃଶ, ସୁସ୍ଥ ଥିବା ବ୍ୟକ୍ତି କେବଳ ରକ୍ତ ଦେଇ ଅନ୍ୟକୁ ସାହାଯ୍ୟ କରିପାରିବ। ରକ୍ତଦାନ କରୁଥିବା ବ୍ୟକ୍ତି ମଧ୍ୟରେ ସେ ରକ୍ତଦାନ କରୁଛି ବୋଲି ଗର୍ବ ରହିବା ଉଚିତ ନୁହେଁ।

ଏଥିସହିତ ଶ୍ରୀ ପଟ୍ଟନାୟକ ଅମ୍ବିକା ଫାଉଣ୍ଡେସନକୁ ପରାମର୍ଶ ଦେଇ କହିଲେ, ନୂତନ ଭାବେ ଆରମ୍ଭ ହୋଇଥିବା ସଂକଳ୍ପ କାର୍ଯ୍ୟକ୍ରମ ଜରିଆରେ ଅନେକ ଗୁଡ଼ିଏ ବିଷୟରେ କାର୍ଯ୍ୟ ନକରି, ନିର୍ଦ୍ଦିଷ୍ଟ ଗୋଟିଏ ବିଷୟରେ ଧ୍ୟାନ ଦେଇ ଏହାର କର୍ମକର୍ତା ଅଗ୍ରସର ହୁଅନ୍ତୁ। ଉତ୍ସବରେ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ଘୋଷଣା କରାଯାଇଥିଲା।

ଅନ୍ୟତମ ଅତିଥି ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର କହିଲେ, ଫାଉଣ୍ଡେସନର କର୍ମକର୍ତା ସଂକଳ୍ପ କରିଥିବା କାର୍ଯ୍ୟକୁ ନିଷ୍ଠାର ସହ ପ୍ରତିପାଦନ କରି ଆଗକୁ ବଢ଼ନ୍ତୁ। ସମାଜସେବୀ ସୌମ୍ୟଦୀପ ଘୋଷ, ବିକ୍ରମ ପତି ଉପସ୍ଥିତ ଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ଆଲୋକ ରଞ୍ଜନ ପାଲ ଧନ୍ୟବାଦ ଦେଇଥିଲେ। ବିଏମ୍‌ସି ବ୍ଲଡ ବ୍ୟାଙ୍କ ଅଧିକାରୀ ଜୟଦୀପ ଘୋଷଙ୍କ ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା। ଅମ୍ବିକା ଫାଉଣ୍ଡେସନ ଓ ଆମ ଓଡ଼ିଶାର କର୍ମକର୍ତା ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର