ରକ୍ତଦାନ ବାର୍ତା ବାଣ୍ଟି ଅତିକ୍ରମ କଲେଣି ୯ ହଜାର କିଲୋମିଟର

ଭୁବନେଶ୍ୱର: ସେ ବୁଝିଛନ୍ତି ଜୀବନର ମୂଲ୍ୟ। ରକ୍ତଦାନ ଯେ ମହତ ଦାନ ଏହାକୁ ହୃଦୟରୁ ଖାଲି ଗ୍ରହଣ କରିନାହାନ୍ତି, ଜୀବନରେ ଅଙ୍ଗେ ଲିଭାଇଛନ୍ତି। ହୃଦ୍‌ବୋଧ କରିଛନ୍ତି ଦେଶରେ ରକ୍ତର ଅଭାବକୁ ଏବଂ ଏହା ଅଭାବରୁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାର ଦୁଃଖକୁ। ଭାରତରେ ପ୍ରତି ବର୍ଷ ପ୍ରାୟ ୧ କୋଟି ୨୦ ଲକ୍ଷ ୟୁନିଟ୍‌ ରକ୍ତର ଆବଶ୍ୟକତା ରହିଥିବା ବେଳେ ମାତ୍ର ୯୦ ଲକ୍ଷ ରକ୍ତ ୟୁନିଟ୍‌ ହିଁ ପ୍ରତିବର୍ଷ ଉପଲବ୍ଧ ହୋଇପାରୁଛି। ତେବେ ଏହି ଅଭାବକୁ କମାଇବା ପାଇଁ ସେ ଆରମ୍ଭ କରି ଦେଇଛନ୍ତି କସରତ। ନିଜେ ଆଜି ପର୍ଯ୍ୟନ୍ତ ୪୦ରୁ ଊର୍ଧ୍ୱ ଥର ରକ୍ତଦାନ କରିଥିବା ବେଳେ ଏବେ ବାହାରି ପଡ଼ିଛନ୍ତି ରକ୍ତଦାନ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅଭିଯାନରେ। ୯ ହଜାରରୁ ଊର୍ଧ୍ୱ କିମି ତଥା ୧୯ଟି ରାଜ୍ୟ ସମେତ କିଛି କେନ୍ଦ୍ରଶାସିତ ଅଞ୍ଚଳ ଅତିକ୍ରମ କରି ଲୋକଙ୍କୁ ବୁଝାଇ ଚାଲିଛନ୍ତି ରକ୍ତଦାନର ସୁଫଳ ଓ ଗୋଟିଏ ଜୀବନର ମୂଲ୍ୟ ବିଷୟରେ। କିରଣ ବର୍ମା। ଘର ଦିଲ୍ଲୀରେ। ବୟସ ପ୍ରାୟ ୩୩ ହେବ। ଦିଲ୍ଲୀର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ମାର୍କେଟିଂ ହେଡ୍‌ ଥିଲେ। ରକ୍ତଦାନ ତାଙ୍କ ନିଶା। ପୁଣି ଏନେଇ ସଚେତନତା ସୃଷ୍ଟି କରିବାକୁ ନିଜ ଜୀବନ ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏଥିପାଇଁ ଗତ ଜାନୁଆରି ୨୬ରୁ ଶ୍ରୀନଗରର ଲାଲ୍‌ଚକ୍‌୍‌ରୁ ତାଙ୍କର ଏହି ସଚେତନତା ଅଭିଯାନ ଆରମ୍ଭ କରି ଦେଇଛନ୍ତି। ବର୍ତମାନ ସୁଦ୍ଧା ୯ ହଜାର କିମି ଅତିକ୍ରମ କରିଥିବା ବେଳେ ଏଥିରୁ ୩ ହଜାର କିମି ନିଜେ ଚାଲି ଚାଲି ସଚେତନତା ବାର୍ତା ବାଣ୍ଟିଛନ୍ତି। ସେ ଜମ୍ମୁ କଶ୍ମୀର, ପଞ୍ଜାବ, ଚଣ୍ଡିଗଡ଼, ହରିୟାନା, ରାଜସ୍ଥାନ, ଗୁଜରାଟ, ଦାମନ, ଦାଦ୍ରାନଗର ହାବେଳି, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକା, ତାମିଲନାଡ଼ୁ, ପୁଡୁଚେରି, କେରଳ, ଆନ୍ଧ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦେଇ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ବର୍ତମାନ ସୁଦ୍ଧା ସେ ୭ ଲକ୍ଷ ଲୋକଙ୍କୁ ଏହି ବାର୍ତା ବାଣ୍ଟିଛନ୍ତି। ଜୁନ୍‌ ୧୪ ତାରିଖ ‘ବିଶ୍ୱ ରକ୍ତଦାତା ଦିବସ’ ପର୍ଯ୍ୟନ୍ତ ସାରା ଦେଶ ସମେତ ଭୁଟାନ ଓ ନେପାଳର ୧୫ ହଜାର କିମି ଯାତ୍ରା କରିବାର ଯୋଜନା କରିଛନ୍ତି। କିରଣ କୁହନ୍ତି, ସେ ପ୍ରତି ୧ କିମିରେ ୧୦ ଜଣ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରନ୍ତି। ଫଳରେ ୧୫ ହଜାର କିମିରେ ୧ ଲକ୍ଷ ୫୦ ହଜାର ଲୋକଙ୍କୁ ସଚେତନ କରାଯାଇପାରିବ। ସେଥି ମଧ୍ୟରୁ ଯଦି ଜଣେ ଲୋକ ବି ସଚେତନ ହୁଅନ୍ତି ତେବେ ପ୍ରତିବର୍ଷ ରକ୍ତ ଅଭାବରୁ ପ୍ରାଣ ହରାଉଥିବା ୧୨ ହଜାର ଲୋକଙ୍କୁ ବଞ୍ଚା ଯାଇପାରିବ।

ତେବେ ଏଦିଗରେ କିଭଳି ପ୍ରେରିତ ହେଲେ ଏକ ପ୍ରଶ୍ନର ଉତ୍ତରରେ କିରଣ କହିଛନ୍ତି, ପିଲା ଦିନୁ କର୍କଟ ରୋଗରେ ମା’ ପ୍ରାଣ ହରାଇଥିଲେ। ତେଣୁ ପିଲା ଦିନୁ ଗୋଟିଏ ଜୀବନର ମୂଲ୍ୟ ମୁଁ ବେଶ୍‌ ବୁଝିଛି। ବଡ଼ ହେଲା ପରେ ପରୀକ୍ଷାରେ ପାସ୍‌ କରାଇଦେବେ ଭାବି ଶିକ୍ଷକଙ୍କୁ ରକ୍ତଦାନ କରିଥିଲି। ପରେ ଯେତେବେଳେ ତାଙ୍କ ପରିବାର ଆସି ସାର୍‌ଙ୍କ ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ ଜଣାଇଥିଲେ, ସେତେବେଳେ ଏହା ଏକ ମହତ କାମ ବୋଲି ଉପଲବ୍ଧ ହୋଇଥିଲା। ସେବେଠାରୁ ରକ୍ତଦାନରେ ମନ ନିବେଶ କରିଥିଲି। କିନ୍ତୁ ୨୦୧୬ର ଏକ ଘଟଣା ମୋ ହୃଦୟକୁ ବ୍ୟସ୍ତ କରି ପକାଇଥିଲା। ସେତେବେଳେ ହଠାତ୍‌ ମୋତେ ଏକ ଫୋନ୍‌ ଆସିଥିଲା ରକ୍ତ ଦରକାର ବୋଲି। ମୁଁ ଯାଇ ରକ୍ତଦାନ କରି ଫେରୁଥାଏ। ଭାବିଲି ରୋଗୀଙ୍କ ପରିବାର ଲୋକଙ୍କୁ ଦେଖା କରିଯିବି। ତାଙ୍କ ପତ୍ନୀଙ୍କୁ ଦେଖା କରି ଜାଣିଲି ସ୍ତ୍ରୀ ଲୋକ ଜଣଙ୍କ ନିଜକୁ ବିକି ସ୍ୱାମୀଙ୍କ ଚିକିତ୍ସା କରୁଛନ୍ତି। ପୁଣି ଯେଇଁ ଦଲାଲ୍‌ ମତେ ଫୋନ୍‌ କରି ଡାକିଥିଲା ସେ ଲୋକ ଉକ୍ତ ସ୍ତ୍ରୀ ଲୋକଙ୍କଠାରୁ ଏନେଇ ୧୫୦୦ ଟଙ୍କା ନେଇଥିଲା। ଏଭଳି ପରିସ୍ଥିତି ମତେ ହତବାକ୍‌ କରି ଦେଇଥିଲା। ସମାଜ ମତେ ବହୁତ ଦେଇଛି, ଏବେ ସମାଜ ପାଇଁ କିଛି କରିବାର ସମୟ ଆସିଛି ବୋଲି ଭାବି ଏହି ଅଭିଯାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର