ରକ୍ତଦାନ କରି ଗିରିଜା, ଚନ୍ଦ୍ରାଂଶୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଗଲା ପୁଅ ଆଉ ବାହୁଡ଼ିବ ନାହିଁ। ହେଲେ ତା’ରି ସ୍ମୃତିରେ ତା’ ସାଙ୍ଗମାନଙ୍କ ସ୍ନେହ ଓ ସଦିଚ୍ଛାର ବୁନ୍ଦାବୁନ୍ଦା ରକ୍ତ ଅନେକ ପୁଅଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିବ। ରକ୍ତଦାନ ତ ଅନେକ ହୋଇଛି କିନ୍ତୁ ଆଜି ‘ଆମ ଓଡ଼ିଶା’ ପରିସରରେ ଚାଲିଥିବା ରକ୍ତଦାନ ଶିବିରରେ ଦୁଇ ଜଣ ମା’ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ନିଜ ପୁଅଙ୍କ ସ୍ମୃତିରେ ଆୟୋଜନ କରିଥିବା ଏହି ନିଆରା ରକ୍ତଦାନ ଶିବିରରେ ଅମିୟବାଳା ପରିଡ଼ାଙ୍କ ମୁହଁର ଏଇ କେଇପଦ କଥା ପରିବେଶକୁ ଆବେଗମୟ କରିଥିଲା।

ମେ’ମାସ ୨୫ ତାରିଖରେ ଦୁଇ ତରୁଣ ବନ୍ଧୁ ଗିରିଜା ଶଙ୍କର ଓ ଚନ୍ଦ୍ରାଂଶୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କରି ସ୍ମୃତିରେ ସମ୍ବାଦ-ଆମ ଓଡ଼ିଶା ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌ ପକ୍ଷରୁ ଆୟୋଜିତ ଶିବିରରୁ ୬୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ସୋସିଆଲ୍‌ ମିଡିଆ ଓ ଗଣମାଧ୍ୟମରୁ ଏ ସମ୍ପର୍କରେ ଖବର ପାଇ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଧାଇଁ ଆସିଥିଲେ ସେଇ ଦୁଇ ତରୁଣଙ୍କ ସାଙ୍ଗସାଥୀ। ସବୁଠୁ ବଡ଼କଥା ହେଲା, ସେମାନଙ୍କ ମଧ୍ୟରେ ୫୦ ପ୍ରତିଶତ ପ୍ରଥମଥର ରକ୍ତଦାନ କରିଥିଲେ। ଏହା ହିଁ ଗିରିଜା ଓ ଚନ୍ଦ୍ରାଂଶୁଙ୍କ ପ୍ରତି ଥିଲା ସେମାନଙ୍କ ସହପାଠୀ ଓ ପରିବାରବର୍ଗଙ୍କ ଅସଲ ଶ୍ରଦ୍ଧାଞ୍ଜଳି। ଅମିୟବାଳାଙ୍କ ସହ ତାଙ୍କ ଭାଇ ଗୌରକିଶୋର ପରିଡ଼ା, ଦିବଂଗତ ଚନ୍ଦ୍ରାଂଶୁଙ୍କ ପିତା ହିମାଂଶୁ ପତି ମିଶ୍ର ଓ ମା’ ନମିତା ପତି ମିଶ୍ର ଉପସ୍ଥିତ ଥିଲେ। ଟ୍ରଷ୍ଟ ପକ୍ଷରୁ ସାଗର ଦାଶ, ଦୀପକ ପାତ୍ର, ରାକେଶ ମହାପାତ୍ର ଓ ରୋଜା ଘୋଷ ଶିବିର ପରିଚାଳନା କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର, ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଜଗନ୍ନାଥ ମହାନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ଆଇଏସ୍‍ଡିର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ, କ୍ୟାପିଟାଲ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର, ଡାକ୍ତର ଶ୍ରୀକାନ୍ତ ଦାସ, ଉଦ୍ଧବ ଫାଉଣ୍ଡେସନ୍‍ର ଅଧ୍ୟକ୍ଷ ନରୋତ୍ତମ ଦାସ, ଇନର ହୁଇଲ କ୍ଲବ୍‌ (ଏକାମ୍ର)ର ସଭାନେତ୍ରୀ ଚୁମୁକି ଚାଟାର୍ଜୀ, ପରିବର୍ତ୍ତନ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ସଫେକ୍‍ ଇ ଆଫତାବ ଓ ସମାଜସେବୀ ସୁନନ୍ଦା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ସଂଯୋଜକ ତଥା ସହକର୍ମୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର