ବିଏମ୍‌ସି ନିଦ ଭାଙ୍ଗିଲା, ଅଣଓଡ଼ିଆ ନାମଫଳକ ନ ବଦଳାଇଲେ ଜରିମାନା

ଭୁବନେଶ୍ବର: ରାଜଧାନୀର ସବୁ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖିବା ପାଇଁ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଏହା ଯେପରି ସୁନିଶ୍ଚିତ ହେବ, ସେଥିପାଇଁ ବିଏମ୍‌ସି ଓ ଶ୍ରମ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ଅନୁଷ୍ଠାନର ମୁଖ୍ୟମାନଙ୍କୁ ସଚେତନ କରିବା ସହ ଓଡ଼ିଆ ନାମଫଳକ ନିଶ୍ଚିତ ଲଗାଇବାକୁ ପଦକ୍ଷେପ ନେବାକୁ କହିଥିଲେ। କିନ୍ତୁ ଏହି ସମୟରେ କିଛି ବି ଆଖିଦୃଶିଆ ପରିବର୍ତ୍ତନ ହେଲାନି। ବିଏମ୍‌ସି କି ଶ୍ରମ ବିଭାଗ କିଛି ବି ପଦକ୍ଷେପ ନେଲେନି। ଅବଧି ପୂରିବାର ପ୍ରାୟ ୨୬ ଦିନ ପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ଆଜିଠାରୁ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ତନାଘନା କରାଯାଇଛି। ରାଜଧାନୀରେ ସମସ୍ତ ନାମଫଳକ ଓଡ଼ିଆରେ ଲେଖିବା ପାଇଁ ବିଏମ୍‌ସି ପକ୍ଷରୁ ଆଜି ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇଛି। ବିଏମ୍‌ସିର ତିନିଟି ଜୋନ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ସମସ୍ତ ନାମଫଳକ ନ ବଦଳିବା ପର୍ଯ୍ୟନ୍ତ ଏହି ଚଢ଼ଉ ଜାରି ରହିବ ବୋଲି କୁହାଯାଇଛି। ଏପରିକି ୧୦୦ରୁ ଅଧିକ ପ୍ରତିଷ୍ଠାନ, ଦୋକାନକୁ ନୋଟିସ୍ ଜାରି କରାଯାଇଛି। ଇଂରାଜୀ ଓ ଅଣଓଡ଼ିଆ ନାମଫଳକ ବଦଳାଇ ଓଡ଼ିଆରେ ନାମ ଫଳକ ଲଗାଇବାକୁ ତିନି ଦିନର ମହଲତ୍ ଦିଆଯାଇଛି। ଏହି ଅବଧିରେ ନାମଫଳକ ପରିବର୍ତ୍ତନ ନକଲେ ଜରିମାନା ଆଦାୟ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

୧୦୦ରୁ ଅଧିକ ଦୋକନକୁ ନୋଟିସ୍
ଦୁଇଟି ବଡ଼ ହୋର୍ଡିଂ ଉଚ୍ଛେଦ
ତିନି ଦିନିଆ ମହଲତ୍ ଦିଆଗଲା

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ର ଯୁଗ୍ମ କମିସନର ବିମଳେନ୍ଦୁ ରାୟ କହିଛନ୍ତି ଯେ ଆଜି ବାପୁଜୀ ନଗର, ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ୧୦୦ରୁ ଅଧିକ ଦୋକାନ ଓ ଅନୁଷ୍ଠାନକୁ ପ୍ରାଞ୍ଜଳ ଭାବେ ଓଡ଼ିଆରେ ନାମଫଳକ ଲଗାଇବାକୁ ନୋଟିସ୍ କରିଛୁ। ଯଦି ସେମାନେ ଏହାକୁ ତୁରନ୍ତ ନ ବଦଳାନ୍ତି, ଆମେ ଜରିମାନା ଆଦାୟ କରିବୁ। ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିସନର ଲଲାଟେନ୍ଦୁ ସାହୁ କହିଛନ୍ତି ଯେ ସିଆର୍‌ପି ଛକରୁ ଆଜି ଦୁଇଟି ବଡ଼ ଅଣଓଡ଼ିଆ ହୋର୍ଡିଂ ହଟାଯାଇଛି। ରବିବାରଠାରୁ ଅଣଓଡ଼ିଆ ହୋର୍ଡିଂ ଲଗାଇଥିବା ସଂସ୍ଥା, ଦୋକାନଗୁଡ଼ିକୁ ନୋଟିସ୍ ଜାରି କରାଯିବ। ଉତ୍ତର ଜୋନ୍ ଡେପୁଟି କମିସନର ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି, ଆମେ ‌ଏବେ ମାଇକ୍ ମାଧ୍ୟମରେ ପ୍ରଚାର କରି ବ୍ୟବସାୟୀମାନଙ୍କୁ ସଚେତନ କରୁଛୁ। ଖୁବ୍ ଶୀଘ୍ର ନିୟମ ଉଲ୍ଲଂଘନାକରୀଙ୍କୁ ନୋଟିସ୍ ଜାରି କରାଯିବ। ରାଜଧାନୀ ସମେତ ରାଜ୍ୟର ସମସ୍ତ ଦୋକାନ, ପ୍ରତିଷ୍ଠାନ ଓ ସଂସ୍ଥାର ନାମଫଳକ ଓଡ଼ିଆରେ ଲେଖିବା ପାଇଁ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ ଏପ୍ରିଲ ୩ରେ, ଅଗଷ୍ଟ ୨୧ରେ, ସେପ୍ଟେମ୍ବର ୧୫ରେ ତିନି ଥର ସମୀକ୍ଷା ବୈଠକ କରି ଏହିଭଳି ନିର୍ଦ୍ଦେଶନାମା ଦେଇଥିଲେ। ହେଲେ ଆଖିଦୃଶିଆ ନାମଫଳକ ପରିବର୍ତ୍ତନ ହୋଇପାରିଲାନି କି ଜରିମାନା ଆଦାୟ ହୋଇପାରୁନି।

ସମ୍ବନ୍ଧିତ ଖବର