ବିଏମ୍‌ସିର ଅଜବ ଯୁକ୍ତି! ବର୍ଷାରେ ବୋହିଯିବ ବୋଲି ବ୍ଲିଚିଂ ପଡ଼ୁ ନ ଥିଲା

ଖଣ୍ଡଗିରି: ବର୍ଷା ପାଣିରେ ବ୍ଲିଚିଂ ଧୋଇ ଯାଇଥାଆନ୍ତା। ତେଣୁ ରାସ୍ତାଘାଟ, ବଜାରର ଅଳିଆ ଗଦା ହେଉଥିବା ସ୍ଥାନ ଓ ଡ୍ରେନ୍‌ରେ ବ୍ଲିଚିଂ ପକାଇ କିଛି ଲାଭ ହୋଇନଥାଆନ୍ତା। ଏହି ଯୁକ୍ତି‌ରେ ଦୀର୍ଘ ଦିନ ହେଲା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ସ‌ଫେଇ କାର୍ଯ୍ୟକ୍ରମରେ ବ୍ଲିଚିଂ ବ୍ୟବହାର କରୁନାହିଁ। ପ୍ରାୟ ୧୦ମାସ ହେଲା ବିନା ବ୍ଲିଚିଂରେ ସବୁ ପ୍ରକାର ସଫେଇ କାର୍ଯ୍ୟ ଚାଲିଛି ବୋଲି ଅଭିଯୋଗ ହେଉଛି। କେବଳ ଅଳିଆ ଉଠାଇବା ଛଡ଼ା ସଫେଇରେ ଅନ୍ୟ କିଛି କରାଯାଉନାହିଁ। ଫଳରେ ଏବେ ବହୁ ୱାର୍ଡରେ ମଶା, ମାଛିଙ୍କ ଉପଦ୍ରବ ଯେତିକି ବୃଦ୍ଧି ପାଇଛି, ପରିବେଶ ସେତିକି ଗନ୍ଧମୟ ହୋଇପଡ଼ିଛି ବୋଲି ଅଭିଯୋଗ ହେଉଛି।

ବରମୁଣ୍ଡା, ଜାଗମରା, ଗଣ୍ଡମୁଣ୍ଡା, ଯଦୁପୁର, ଡୁମୁଡୁମା ହାଉସିଂ ବୋର୍ଡ କଲୋନି, ଆଇଗିଣିଆ, ଘାଟିକିଆ, ଶ୍ୟାମପୁର ଓ ଭରତପୁର ଆଦି ଅଞ୍ଚଳରୁ ମିଳିଥିବା ଅଭିଯୋଗ ଅନୁସାରେ ବହୁ ଦିନ ହେଲା ସେମାନଙ୍କ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମରେ ବ୍ଲିଚିଂ ବ୍ୟବହାର କରାଯାଉନାହିଁ। ଗତ ଫେବ୍ରୁଆରି ମାସରୁ ଏଭଳି ଅବସ୍ଥା। କର୍ପୋରେଟରମାନଙ୍କ କାର୍ଯ୍ୟକାଳ ସରିବା ପରଠାରୁ ଏଭଳି ଅବସ୍ଥା ଲାଗି ରହିଛି। ୱାର୍ଡ ଅଧିକାରୀମାନଙ୍କୁ ଅଭିଯୋଗ କଲେ, ସେମାନେ ଉପରିସ୍ଥ ଅଧିକାରୀଙ୍କ ଆଡ଼କୁ ଇଙ୍ଗିତ କରି କାନ୍ଧ ଖସାଇ ଦେଉଛନ୍ତି। ଗତ ବର୍ଷା ଋତୁରେ ବିଭିନ୍ନ ବସ୍ତି ଅଞ୍ଚଳ ଗନ୍ଧମୟ ହୋଇପଡ଼ିଥିଲେ ବି ବିଏମ୍‌ସି ମୁଠାଏ ବ୍ଲିଚିଂ ପକାଇଲା ନାହିଁ ବୋଲି ଲୋକେ କହିଛନ୍ତି। ଫଳରେ ରାସ୍ତାଘାଟ, ଦୋକାନ ବଜାର ଓ ଘରଦ୍ବାର ସବୁଆଡ଼େ ମଶା, ମାଛିଙ୍କ ଦାଉ ଅସହ୍ୟ ହୋଇପଡ଼ିଲା ବୋଲି ଅଭିଯୋଗ ହୋଇଛି। ତେଣୁ ବ୍ଲିଚିଂ ବାଟମାରଣା ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। କେବଳ ଖଣ୍ଡଗିରି ନୁହେଁ, ସମଗ୍ର ରାଜଧାନୀ‌‌‌‌ରେ ଏହି ଅବ୍ୟବସ୍ଥା। ଏ ନେଇ କିଛି ୱାର୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କୌଣସି ମତାମତ ଦେବାକୁ ମନା କରି ଦେଇଥିଲେ। ତେବେ ଏ ବାବଦରେ ସିଏଚ୍‌ଓ ଡ. ବସନ୍ତ ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ, ବ୍ଲିଚିଂ ବାଟମାରଣା ହେବା ଅଭିଯୋଗ ମିଛ। ବର୍ଷା ଦିନ ପାଇଁ ବ୍ଲିଚିଂ ବ୍ୟବହାର କରାଯାଉନଥିଲା। ବର୍ଷା ପାଣିରେ ବ୍ଲିଚିଂ ଧୋଇ ଯାଇଥାଆନ୍ତା। ତେଣୁ ଅଯଥା ବ୍ଲିଚିଂ ବ୍ୟବହାରକୁ ବନ୍ଦ କରାଯାଇଥିଲା। ଏଣିକି ବର୍ଷା ବନ୍ଦ ହୋଇ ଆସୁଥିବାରୁ ପୁଣି ବ୍ଲିଚିଂ ପକାଇ ସଫେଇ କାର୍ଯ୍ୟକ୍ରମ କରାଯିବ। ସିଏଚ୍‌ଓଙ୍କ ଏଭଳି ଯୁକ୍ତିକୁ ବହୁ ପୂର୍ବତନ କର୍ପୋରେଟର୍‌ ନାପସନ୍ଦ କରିଛନ୍ତି। ପୂର୍ବରୁ ଏଭଳି କଥା ଶୁଣା ଯାଇନଥିଲା ବୋଲି ସେମାନେ କହିଛନ୍ତି, ବରଂ ବର୍ଷା ଦିନରେ ସଫେଇ କାର୍ଯ୍ୟକ୍ରମ ପାଇଁ ବ୍ଲିଚିଂର ବହୁଳ ଆବଶ୍ୟକତା ଥିବା ନେଇ ସେମାନେ ଯୁକ୍ତି କରିଛନ୍ତି। ପୂର୍ବରୁ ସେମାନଙ୍କୁ ୱାର୍ଡ ପିଛା ମାସିକ ୪/୫ବସ୍ତା ବ୍ଲିଚିଂ ମିଳୁଥିଲା। ବର୍ଷା ଦିନରେ ଅଧିକ ମିଳୁଥିଲା ବୋଲି ସେମାନେ କହିଛନ୍ତି। ନିର୍ବାଚିତ ପରିଚାଳନା କମିଟି ନଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମନମାନି ଚାଲିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର