ବିଏମ୍‌ସିର ବଜେଟ୍‌ ଛୁଇଁବ ୭୦୦କୋଟି: ଆୟ ୧୦୦କୋଟି, ଖର୍ଚ୍ଚ କରିବେ ଅଧିକ ୬୦୦କୋଟି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ (ବିଏମ୍‌ସି)ର ୨୦୨୦-୨୧ ବଜେଟ୍‌ ରେକର୍ଡ କରିବାକୁ ଯାଉଛି। ବିଏମ୍‌ସି ଏହି ଆର୍ଥିକ ବର୍ଷରେ ୭୦୦କୋଟିର ବଜେଟ୍‌ କରିବାକୁ ଯୋଜନା କରୁଛି। ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସି ଏଥର ୧୦୦କୋଟି ରାଜସ୍ବ ଆଦାୟ କରିପାରିବ କି ନାହିଁ ସେନେଇ ଦ୍ବନ୍ଦ୍ବରେ ଥିବାବେଳେ ଖର୍ଚ୍ଚ କିନ୍ତୁ ୭୦୦କୋଟି କରିବେ ବୋଲି ଯୋଜନା କରିସାରିଲେଣି।

ବିଏମ୍‌ସି ପକ୍ଷରୁ ଆଜି ଆସନ୍ତା ଆର୍ଥିକ ବର୍ଷର ବଜେଟ୍‌ ପ୍ରସ୍ତୁତି ନେଇ ବୈଠକ ବସିଥିବାବେଳେ ୨୦୨୦-୨୧ରେ ବିଏମ୍‌ସି ୭୦୦କୋଟି ଖର୍ଚ୍ଚ କରିବ ବୋଲି ଅଟକଳ କରିଛି। ପୂର୍ବରୁ ୧୦୦ରୁ ୧୩୫କୋଟି ମଧ୍ୟରେ ଆୟ କରୁଥିବାବେଳେ ୪୫୦ରୁ ୪୬୦କୋଟି ଖର୍ଚ୍ଚ ଅଟକଳ କରୁଥିଲା। ଏଥିରେ ବହୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ମିଶାଇ ଖର୍ଚ୍ଚ ଅଟକଳ ହେଉଥିଲା। ପ୍ରତିବର୍ଷ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନକୁ ହିସାବ କରି ଏହି ଖର୍ଚ୍ଚ ଅଟକଳ ହେଉଥିଲା। ଆସନ୍ତା ଆର୍ଥିକ ବର୍ଷରେ ବିଏମ୍‌ସିକୁ ବଡ଼ ଆକାରରେ କିଛି ଅନୁଦାନ ମିଳିବ ବୋଲି ଏପର୍ଯ୍ୟନ୍ତ ଘୋଷଣା ହୋଇନି। ରାଜ୍ୟ ବଜେଟ୍‌ ବି ବିଏମ୍‌ସିକୁ ସେତେ ଅଧିକ ଅନୁଦାନ ମିଳିନି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ କେଉଁ ଆଧାରରେ ଏତେ ଅର୍ଥ ଖର୍ଚ୍ଚ କରିବେ ବୋଲି ଯୋଜନା କରିଛନ୍ତି ତାହା ଜଣାପଡ଼ିନି।
ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏତେ ଅର୍ଥ କେଉଁଠୁ ଆସିବ ବୋଲି ପଚାରିବାରୁ ଉତ୍ତର ମିଳିଛି ଯେ, ବିଏମ୍‌ସି ଆସନ୍ତା ଆର୍ଥିକ ବର୍ଷରେ ଆୟ ବଢ଼ାଇବ। ହୋଲଡିଂ ଟିକସରୁ ପ୍ରାୟ ୧୫୦କୋଟି ଆୟ କରିବ। ୨୦୨୦-୨୧ରେ ଆୟ ୨୫୦କୋଟି ଛୁଇଁବ। ତାହାକୁ ନଜରରେ ଖର୍ଚ୍ଚ ଅଟକଳ ପ୍ରସ୍ତୁତ ହୋଇଛି। ଚଳିତ ବଜେଟ୍‌ରେ ପ୍ରତି ୱାର୍ଡକୁ ଲକ୍ଷ୍ୟ ରଖି ବଜେଟ୍‌ ପ୍ରସ୍ତୁତ ହେବ। ଏଥିରେ ୱାର୍ଡ ଅଫିସ ନିର୍ମାଣ, ୱାର୍ଡ ଅଫିସ ଉନ୍ନତୀକରଣ, ବିଏମ୍‌ସି ପାର୍କଗୁଡ଼ିକରେ ବିଭିନ୍ନ ସୁବିଧା ସୁଯୋଗ, ଆଲୋକୀକରଣ, ସଂରଚନା, ରାସ୍ତା ମରାମତି ଓ ନୂତନ ରାସ୍ତା ନିର୍ମାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ସହ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମାଛ ଚାଷ କରିବାକୁ ଯୋଜନା ‌ଅଛି। ମାର୍ଚ୍ଚ ୧୫ସୁଦ୍ଧା ବିଏମ୍‌ସିର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସେମାନଙ୍କ ଯୋଜନା ଖର୍ଚ୍ଚ ପ୍ରସ୍ତାବ ଦେବାକୁ କୁହାଯାଇଛି।

ଆଜିର ବଜେଟ୍‌ ପ୍ରସ୍ତୁତି ବୈଠକରେ ବିଏମ୍‌ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ଅବନି ପଟ୍ଟନାୟକ, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ସମସ୍ତ ବିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନର, ଜୋନାଲ୍ ଡେପୁଟି କମିସନର, ସମସ୍ତ ନିର୍ବାହୀ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର