କିଏ କ’ଣ କାର୍ଯ୍ୟାନୁଷ୍ଠାନ ନେବେ ଜାଣିପାରୁନାହାନ୍ତି, ଏତଲା ଦେଇ ବିଏମ୍‌ସି ଚୁପ୍‌

ପାଇପ୍ ବିଛାଇବା ପାଇଁ ରାସ୍ତା ଖୋଳିଲେ ବିଏମ୍‌ସି ମରାମତି କରିବ: ୱାଟ୍‌କୋ

ଭୁବନେଶ୍ବର : ସାଲିଆ ସାହିରେ ପାଣି ପାଇପ୍ ବିଛାଇବା ପାଇଁ ୱାଟ୍‌କୋ (ଓଡ଼ିଶା ଜଳ ନିଗମ) ରାସ୍ତା ଖୋଳିବାର ୫ମାସ ପରେ ବି କାମ ନସାରିବାରୁ ଏବଂ ଲୋକଙ୍କର ଯାତାୟାତରେ ଅସୁବିଧା ହେବାରୁ ବିଏମ୍‌ସି ଗତ ୧୩ତାରିଖରେ ୱାଟ୍‌କୋର ଡିଭିଜନ-୧ର ମହାପ୍ରବନ୍ଧକଙ୍କ ନାମରେ ନୂଆପଲ୍ଲୀ ଥାନାରେ ଏତଲା ଦେଲା। ଏହି ଘଟଣାକୁ ୬ ଦିନ ବିତିଗଲାଣି। କିନ୍ତୁ ଆଜି ଯାଏଁ କିଛି ହେଲାନି। ନା ୱାଟ୍‌କୋ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉଛି ନା ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଉପରେ ଚାପ ପକାଉଛି। ସମସ୍ତେ ଚୁପ୍ ବସି ଯାଇଛନ୍ତି। ଏପଟେ ବିଏମ୍‌ସି କମିସନର ନିକଟରେ ଏକ ବୈଠକରେ କହିଛନ୍ତି ଯେ ପୂର୍ତ୍ତ, ସ୍ବେରେଜ୍ ବୋର୍ଡ ହେଉ କି ଯିଏ ବି ରାସ୍ତା ଖୋଳିକି ତୁରନ୍ତ କାମ ନ କରିବ, ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ୱାଟ୍‌କୋ ଉପରେ ପୁଲିସ କି ବିଏମ୍‌ସି କେହି କାର୍ଯ୍ୟାନୁଷ୍ଠାନ ନ ନେବାର କାରଣ ହେଲା କେହି ଜାଣିନାହାନ୍ତି ଯେ ଏଭଳି ସ୍ଥିତିରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ। ପୁଲିସ କହୁଛି ବିଏମ୍‌ସି ଯେଉଁ ଏଫ୍‌ଆଇଆର୍‌ ଦେଇଛି, ସେଥିରେ କାହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ଜାଣିପାରୁନୁ। ଏନେଇ ଆଇନରେ କ’ଣ ଅଛି ଆମେ ଜାଣିନୁ, ବିଏମ୍‌ସି ବି କିଛି କହୁନି।

ଏପଟେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲୋକଙ୍କ ମୌଳିକ ସୁବିଧା ଉପରେ ପ୍ରଭାବ ପଡ଼ିଲେ ବିଏମ୍‌ସି ପଦକ୍ଷେପ ନେବ। ସେହି ଆଧାରରେ ଏଫ୍‌ଆଇଆର୍‌ ହୋଇଛି। ଆମ ଉଦ୍ଦେଶ୍ୟ ନୁହେଁ ପୁଲିସ କାହାକୁ ଗିରଫ କରୁ। ଆମେ ଚାହୁଁଛୁ ଯିଏ ରାସ୍ତାଘାଟ ଖୋଳୁଛନ୍ତି, ସେମାନେ ତୁରନ୍ତ କାମ କରନ୍ତୁ। ସେମାନଙ୍କର ଭୟ ରହୁ। ଫଳରେ ସମସ୍ତ କାର୍ଯ୍ୟ ତ୍ବରିତ ବେଗରେ ହେବ। ଯେଉଁମାନେ ରାସ୍ତା ଖୋଳୁଛନ୍ତି, ସେମାନେ ରାସ୍ତାକୁ ସେମିତି ନଛାଡ଼ି ତାହାକୁ ମରାମତି କରନ୍ତୁ।

ଏପଟେ ୱାଟ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମସ୍ତ ପାଇପ୍‌ ପାଣି ଯୋଗାଣ ଯୋଜନାରେ ୱାଟ୍‌କୋ ସାଲିଆ ସାହିରେ ପାଣି ପାଇପ୍ ବିଛାଇବାକୁ ରାସ୍ତା ଖୋଳିଛି। ହେଲେ ଏହି ରାସ୍ତା ମରାମତି ଆମେ କରିବୁନି। ସେପ୍ଟେମ୍ବର ୩୦ ସୁଦ୍ଧା ଆମେ କାମ ସାରିବୁ ବୋଲି କହିଛୁ। ହେଲେ ରାସ୍ତା ମରାମତି ବିଏମ୍‌ସି କରିବ। ରାଜଧାନୀରେ ଅମୃତ ଯୋଜନାରେ ପାଣି ପାଇପ୍ ବିଛା କାମ ଆରମ୍ଭ ହେବା ବେଳେ ନିଷ୍ପତ୍ତି ହୋଇଥିଲା ଯେ ଯେଉଁ ସଂସ୍ଥା ଅଧୀନରେ ରାସ୍ତା ଥିବ, ସେହି ସଂସ୍ଥା ମରାମତି କରିବ। ଏବେ ବିଏମ୍‌ସି ରାସ୍ତା ଖୋଳା ହୋଇଛି ବିଏମ୍‌ସି ମରାମତି କରିବ। ଆମେ କାହିଁକି କରିବୁ।

ସମ୍ବନ୍ଧିତ ଖବର