ବିମାନବନ୍ଦର ଅଞ୍ଚଳରେ ବିଏମ୍‌ସିର ସ୍ୱତନ୍ତ୍ର ଅଭିଯାନ : ଗୋରୁ ପରେ ଧରାହେଲେ କୁକୁର

ଉଦ୍ଧାର ହେଲେ ୭ କୁକୁର, ଆଜି ପୁଣି ଗୋରୁଧରା
ଚିହ୍ନଟ ହେବେ ଗୋରୁ ରଖୁଥିବା ବସ୍ତିବାସିନ୍ଦା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଲାଗି ବିପଦ ସାଜିଛନ୍ତି ପଶୁପକ୍ଷୀ। ଅନେକ ଥର ପକ୍ଷୀ ମାଡ଼ ହେବା ଦ୍ୱାରା ବିମାନ ପ୍ରଭାବିତ ହେଇଥିବା ବେଳେ ବୁଲା କୁକୁରଙ୍କ ଚରାଭୂଇଁ ପାଲଟିଛି ବିମାନବନ୍ଦର ଅଞ୍ଚଳ। ଯେଉଁଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏବେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ନିଦ ଭାଙ୍ଗିଛି। ପକ୍ଷୀଙ୍କୁ ରୋକିବା ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ପାରି ନ ଥିବା ବେଳେ ଏବେ ଗାଈଗୋରୁ ଓ କୁକୁରଙ୍କୁ ଧରିବା ଲାଗି ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ।

ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଚଢ଼ଉ କରାଯାଇ ବିମାନବନ୍ଦର ଅଞ୍ଚଳରେ ବେଆଇନ ଗାଈ ଚରାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଗୋରୁଗୁଡ଼ିକୁ କାଞ୍ଜିଆହୁଦାରେ ରଖାଯାଇଥିଲା। ସେଠାରେ ମାଲିକମାନେ ପରିଚୟପତ୍ର ଦେଖାଇବା ସହ ୫୦୦ ଟଙ୍କା ଜରିମାନା ଦେଇ ଗୋରୁଗୁଡ଼ିକୁ ମୁକୁଳାଇ ନେଇଥିଲେ। ଗୋରୁ ନେବା ଲାଗି ମାଲିକ ଯେତେଦିନ ଡେରି କରିବେ ସେତେଦିନ ପର୍ଯ୍ୟନ୍ତ ପ୍ରତିଦିନ ଶହେ ଟଙ୍କା ଲେଖାଏ ଦେବାକୁ ହେବ। ଗୋରୁ ଧରାଯାଇଥିବା ବେଳେ ଏବେ ପଡ଼ିଛି କୁକୁରଙ୍କ ପାଳି। ବିମାନବନ୍ଦର ନିକଟରେ ବୁଲୁଥିବା କୁକୁରକୁ ଧରାଯାଇଛି। ଆନିମାଲ୍‌ ବର୍ଥ କଣ୍ଟ୍ରୋଲ୍‌(ଏବିସି) ଟିମ୍‌ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିମାନବନ୍ଦର ଅଞ୍ଚଳରୁ ୭ଟି କୁକୁର ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ କୁକୁରଙ୍କୁ ଧରିବାର ସେଭଳି ନିୟମ ନାହିଁ। କିନ୍ତୁ ରାଜ୍ୟ ସଚିବାଳୟ, ବିମାନବନ୍ଦର ପରି ଅଞ୍ଚଳରୁ କୁକୁରଙ୍କୁ ଉଦ୍ଧାର କରାଯାଇପାରିବ। ତାହାକୁ ଦୃଷ୍ଟିରେ ରଖି ଆଜି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏବିସି ସ୍କ୍ଵାଡ୍‌ ପକ୍ଷରୁ କୁକୁର ଧରା ଆଉ କିଛି ଦିନ ଜାରି ରହିବ। ବିମାନବନ୍ଦର ଅଞ୍ଚଳରେ ବୁଲା ଗୋରୁଗାଈଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ୁଥିବାରୁ ତାହାକୁ ପ୍ରତିହତ କରିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ଅଭିଯାନ ଚାଲିଛି। ଶନିବାର ବିମାନବନ୍ଦର ଅଞ୍ଚଳରେ ପୁଣିଥରେ ଗାଈ ଧରା ଅଭିଯାନ ହେବ। ବେଆଇନ ଭାବରେ ଗାଈ ଚରାଉଥିବା ଲୋକଙ୍କ ବିରୋଧରେ ଧରପଗଡ଼ କରାଯିବ।

ବିଏମ୍‌ସିର ଏନ୍‌ଫୋର୍ସମ୍ୟାଣ୍ଟ ଡେପୁଟି କମିସନର ଅବନୀ ପଟ୍ଟନାୟକ କହିଛନ୍ତି ଯେ ବିମାନବନ୍ଦର ଅଞ୍ଚଳକୁ ଲାଗି ରହିଥିବା ସୁନ୍ଦରପଦା, ଜାଗମରା, କାର୍‌ଗିଲ୍‌ ବସ୍ତିରେ କେଉଁମାନେ ଗାଈ ରଖିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। ସେମାନେ ଗାଈ କେଉଁଠାରେ ଚରାଉଛନ୍ତି ସେନେଇ ମଧ୍ୟ ଏକ ରିପୋର୍ଟ ପ୍ରସ୍ତୁତ ହେବ। ବିମାନବନ୍ଦର ଅଞ୍ଚଳରେ ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନାର ତଦାରଖ କରିବା ଓ ପରିବେଶ ଜନିତ ବିଷୟଗୁଡ଼ିକୁ ସମୀକ୍ଷା କରିବା ପାଇଁ ବିଏମ୍‌ସିର ସ୍ୱଚ୍ଛ ଭୁବନେଶ୍ୱର ସେଲ୍‌ର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି।

ସମ୍ବନ୍ଧିତ ଖବର