ଟଙ୍କା ନେଲେ, ଦୋକାନ ଦେଲେନି, ସୁଧ ଖାଇଲା ପରେ ବିଏମ୍‌ସି କହୁଛି ମୂଳ ଟଙ୍କା ନିଅ

ବିଡିଏ ପ୍ଲାନ୍ ଖାରଜ କରିଦେବାରୁ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ହୋଇପାରୁନି: ବିଏମ୍‌ସି

ଭୁବନେଶ୍ବର: କଳ୍ପନା ଛକ ନିକଟରେ ବସୁଥିବା କେତେକ ବ୍ୟବସାୟୀଙ୍କୁ ଉଠାଇ ସେଠାରେ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ବିଏମ୍‌ସି ଯୋଜନା କରିଥିଲା। ମାର୍କେଟ୍‌ କମ୍ପ୍ଲେକ୍ସ କେଉଁଠି ହେବ, କେମିତି ହେବ, କେତେ ଖର୍ଚ୍ଚ ହେବ, କେତେ ବ୍ୟବସାୟୀଙ୍କ ପାଇଁ ହେବ ତା’ର ଡିପିଆର୍‌ ପ୍ରସ୍ତୁତ ନକରି ବିଏମ୍‌ସି ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରିଦେଲା। ଏମିତି ୩୮ଜଣ ବ୍ୟବସାୟୀଙ୍କଠାରୁ ୧୯ଲକ୍ଷ ଟଙ୍କା ଆଦାୟ କଲା। ବର୍ଷ ବର୍ଷ ଧରି ଏହାର ସୁଧ ବି ଖାଇଲା। ହେଲେ ଦୀର୍ଘ ବର୍ଷ ହେଲା ଥଇଥାନ କରିପାରୁନି। ଦୋକାନ ଘର ଦେବା ତ ଦୂର କଥା। ଏବେ ବିଏମ୍‌ସି କହୁଛି ଯେଉଁ ୫୦ହଜାର ଟଙ୍କା ଦେଇଥିଲ ତାକୁ ଫେରାଇ ନିଅ। ଏହା ଶୁଣିବା ପରେ ଦୀର୍ଘ ବର୍ଷ ହେଲା ସ୍ଥାୟୀ ‌େଦାକାନ ଘର ପାଇବାକୁ ଆଶା ରଖିଥିବା ବ୍ୟବସାୟୀଙ୍କ ମୁଣ୍ଡରେ ଏବେ ବଜ୍ର ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କଳ୍ପନା ଛକ ନିକଟରେ ରାସ୍ତା ସମ୍ପ୍ରସାରଣ କରିବା, ଏହି ଅଞ୍ଚଳର ଭିଡ଼ କମାଇବା ସହ ବ୍ୟବସାୟୀଙ୍କୁ ଗୋଟିଏ ସ୍ଥାନରେ ବସାଇବା ପାଇଁ ବିଏମ୍‌ସି ପ୍ରାୟ ୧୦ ବର୍ଷ ତଳେ କଳିଙ୍ଗ ଅଶୋକ ହୋଟେଲ ଏବଂ ଫର୍ଚୁନ୍ ହୋଟଲ ମଧ୍ୟବର୍ତ୍ତୀ ଅଞ୍ଚଳରେ ଲିଙ୍ଗରାଜ ମାର୍କେଟ୍ ନାମରେ ଏକ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଏହି ଅଞ୍ଚଳରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ହଟାଇ ଏହି ମାର୍କେଟ୍‌ କମ୍ପ୍ଲେକ୍ସରେ ଦୋକାନ ଘର ଆବଣ୍ଟନ ହୋଇଥାନ୍ତା। ୧୫୦ରୁ ଅଧିକ ଦୋକାନ ଘର ନିର୍ମାଣ କରି ବ୍ୟବସାୟୀଙ୍କୁ ଆବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଖର୍ଚ୍ଚ ଆକଳନ ଓ କିଛି ପ୍ରସ୍ତୁତି ନକରି ବିଏମ୍‌ସି ବ୍ୟବସାୟୀଙ୍କୁ ଅଗ୍ରୀମ ଆକାରରରେ ୫୦ହଜାର ଟଙ୍କା ଲେଖାଏଁ ଜମା କରିବାକୁ କହିଦେଲା। ଏହାପରେ ମାତ୍ର ୩୮ଜଣ ଅର୍ଥ ଜମା କଲେ। ହେଲେ ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ବାଟ ଫିଟିଲାନି। ଏଠାରେ ଭବି‌ଷ୍ୟତରେ ବି ମାର୍କେଟ୍‌ କମ୍ପ୍ଲେକ୍ସ ହେବାର ନାହିଁ। ତେଣୁ ବିଏମ୍‌ସି ଏବେ ଟଙ୍କା ଫେରାଇବାକୁ ନୋଟିସ୍‌ ଜାରି କରିଛି। ବାହନା କରିଛି ବର୍ତ୍ତମାନ ଦୋକାନ ଘର ନିର୍ମାଣରେ ବିଳମ୍ବ ହେଉଥିବାରୁ ଟଙ୍କା ଫେରାଇ ଦିଆଯିବ। ଟଙ୍କା ଜମା କରିବା ସମୟରେ ବିଏମ୍‌ସି ଦେଇଥିବା ମନି ରିସିପ୍ଟ ଏବଂ ପରିଚୟପତ୍ର ଦେଖାଇ ବିଏମ୍‌ସି ଅଫିସରୁ ଟଙ୍କା ନେଇଯିବାକୁ କୁହାଯାଇଛି। ହେଲେ ଏବେ ବ୍ୟବସାୟୀମାନେ କହୁଛନ୍ତି ଆମେ କ’ଣ ଟଙ୍କା ଫେରସ୍ତ ନେବାକୁ ଦେଇଥିଲୁ। ବିଏମ୍‌ସି କର୍ତ୍ତୃପକ୍ଷ ଜମି ମାଫିଆଙ୍କ କବଳରୁ ଜମି ମୁକୁଳାଇ ପାରୁ ନଥିବାରୁ ଆମକୁ ଟଙ୍କା ଫେରାଉଛନ୍ତି। ଆମେ ଟଙ୍କା ନେବୁନି। ବିଏମ୍‌ସି ଯେଉଁଠି ମାର୍କେଟ୍‌ କମ୍ପ୍ଲେକ୍ସ କରିବ ବୋଲି କହିଛି ସେଠାରେ କରିକି ଦେଉ। ନଚେତ୍‌ ବିଏମ୍‌ସିକୁ କୋର୍ଟକୁ ଟାଣିବୁ। ଆଉ କିଛି ବ୍ୟବସାୟୀ କହିଛନ୍ତି, ବିଏମ୍‌ସିକୁ ଆମେ ବହୁ ବର୍ଷ ତଳେ କଷ୍ଟ ଉପାର୍ଜିତ ୫୦ହଜାର ଟଙ୍କା ଦେଇଥିଲୁ। ବିଏମ୍‌ସି ଏହି ଟଙ୍କାର ସୁଧ ଖାଇଲା। ଏବେ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ହୋଇପାରିବନି କହି ଟଙ୍କା ଫେରସ୍ତ କରୁଛି। ଆମ ଟଙ୍କାର ମୂଳ, ସୁଧ ସବୁ ହିସାବ କରିକି ଦିଆଯାଉ।

ଅପରପକ୍ଷେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଯେଉଁ ସ୍ଥାନରେ ମାର୍କେଟ୍ କମ୍ପ୍ଲେକ୍ସ କରିବୁ ବୋଲି ସ୍ଥିର କରିଥିଲୁ ସେଠାରେ ବିଡିଏ ଅନୁମତି ଦେଉନି। ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ଯେଉଁ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା ତାହାକୁ ବିଡିଏ ଖାରଜ କରିଦେଇଛି। ତେଣୁ ଏଠାରେ ମାର୍କେଟ୍‌ କମ୍ପ୍ଲେକ୍ସ ହେବନି। ସେଥିପାଇଁ ବ୍ୟବସାୟୀମାନଙ୍କୁ ଟଙ୍କା ଫେରାଇ ନେବାକୁ କୁହାଯାଇଛି। ଦୁଇ ଜଣ ଟଙ୍କା ଫେରସ୍ତ ନେଇସାରି‌େଲଣି। ଲିଙ୍ଗରାଜ ମାର୍କେଟ୍ କମ୍ପ୍ଲେକ୍ସ ହାଇ ନପାରିବା ନେଇ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁଠି ମାର୍କେଟ୍‌ କମ୍ପ୍ଲେକ୍ସ କରିବାକୁ ବିଏମ୍‌ସି ଯୋଜନା କରିଥିଲା ସେଠାରେ ଏବେ ଖାଲି ଜମି ନାହିଁ। ଏଠାରେ ଥିବା ସରକାରୀ ଜମିକୁ ଏକ ହୋଟେଲ ମାଡ଼ି ବସିଥିବାବେଳେ ଆଉ କିଛି ଜମିକୁ କେତେକ ବଡ଼ବଡ଼ିଆ ମାଡ଼ି ବସିଛନ୍ତି। ବାକି ଜାଗାରେ ଏବେ ମିନି ଟ୍ରକ୍ ପାର୍କିଂ ହେଉଛି। ଜମି ନଥିବାରୁ ବିଏମ୍‌ସି ବିଡିଏ ପ୍ଲାନ୍ ଦେଲାନି ବୋଲି କହୁଛି। ବିଡିଏ ପ୍ଲାନ୍ ଦେଲାନି ବୋଲି ଯୁକ୍ତିକୁ ସୁଦୃଢ଼ କରିବାକୁ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ଯେଉଁ ସ୍ଥାନରେ ମାର୍କେଟ୍ କମ୍ପ୍ଲେକ୍ସ ହେବାର ଥିଲା ସେହି ଅଞ୍ଚଳଟି ଏଏସ୍ଆଇ ଜୋନ୍‌ ଅଧୀନରେ ଯାଉଛି। ତେଣୁ ଏଠାରେ ଉଚ୍ଚ ଅଟ୍ଟାଳିକା ହୋଇପାରିବନି। ଏଏସ୍‌ଆଇରୁ ଏନ୍‌ଓସି ମିଳି ନଥିବାରୁ ବିଡିଏ ପ୍ଲାନ୍ ଦେଉନି।ଯଦି ବିଡିଏ ଏଏସ୍ଆଇ ଜୋନ୍‌ ବୋଲି ପ୍ଲାନ୍‌ ଦେଉନି ତେବେ କଳ୍ପନା ଛକ ନିକଟରେ ଥିବା ସୁଉଚ୍ଚ ଆପାର୍ଟମେଣ୍ଟ ଏବଂ ଏବେ ନିର୍ମାଣ ହେଉଥିବା ସପିଂ ମଲ୍‌ ପାଇଁ ‌େକମିତି ବିଡିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠିଲାଣି।

ଏହି ଅଞ୍ଚଳ‌ର ଜଣେ ପୂର୍ବତନ କର୍ପୋରେଟର କହିଛନ୍ତି ଯେ, ବିଏମ୍‌ସି କର୍ତ୍ତୃପକ୍ଷ କିଛି ଯୋଜନା ପ୍ରସ୍ତୁତ ନକରି ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଘୋଷଣା ‌କରିଦେଇଥିଲେ। ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲେ ବଡ଼ ବଡ଼ ଜମି ମାଫିଆଙ୍କ ଜବରଦଖଲ ଦେଖି ଚୁପ୍‌ ବସିପଡ଼ିଲେ। ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏବେ ବ୍ୟବସାୟୀଙ୍କୁ ଟଙ୍କା ଫେରାଉଛନ୍ତି। ଯିଏ ସ୍ଥାୟୀ ଦୋକାନ ଘର ପାଇବ ବୋଲି ଦୀର୍ଘ ବର୍ଷ ହେଲା ଅପେକ୍ଷା କରିଛି ତାକୁ ଯଦି ଏବେ ମୂଳ ଟଙ୍କା ଫେରାଇ ନେବାକୁ କୁହାଯିବ ତେବେ ସ୍ଥିତି ଯାହା ହେବା କଥା ହେଉଛି।

ସମ୍ବନ୍ଧିତ ଖବର