ବିଏମ୍‌ସି ନିର୍ବାଚନ ପ୍ରସ୍ତୁତି : ବିରୋଧୀଙ୍କୁ ମୂଳପୋଛ ପାଇଁ ବ୍ଲୁ ପ୍ରିଣ୍ଟ୍‌

ନଗର ଉନ୍ନୟନ ବିଭାଗକୁ ଗଲା ଚିଠା ପ୍ରସ୍ତାବ

କର୍ପୋରେଟର୍‌ ଖୁସ୍‌
୮୫% କର୍ପୋରେଟର୍‌ଙ୍କ ଆସନ ସୁରକ୍ଷିତ

ଭୁବନେଶ୍ୱର : ବିଏମ୍‌ସି ନିର୍ବାଚନ ପାଇଁ ଆଜି ସ୍ୱତନ୍ତ୍ର କାଉନସିଲ୍‌ ବୈଠକରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବ ପାରିତ ହୋଇଛି। ଏହାକୁ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି। ଏହାପରେ ନଗର ଉନ୍ନୟନ ବିଭାଗ ଲୋକଙ୍କ ଅଭିଯୋଗ ଓ ମତାମତ ଆହ୍ଵାନ କରିଛି। ଏହାକୁ ଭିତ୍ତିକରି ଆବଶ୍ୟକସ୍ଥଳେ ଚିଠା ପ୍ରସ୍ତାବରେ କିଛି ପରିବର୍ତ୍ତନ ଅଣାଯାଇପାରିବ। କିନ୍ତୁ ଏହି ଚିଠା ପ୍ରସ୍ତାବ ଶାସକ ଦଳର ପ୍ରାୟ ସମସ୍ତ କର୍ପୋରେଟର୍‌ଙ୍କୁ ଖୁସି କରିବା ଭଳି ପ୍ରସ୍ତୁତ କରାଯାଇଥିବାରୁ ଚୂଡ଼ାନ୍ତ ପ୍ରସ୍ତାବରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌।

ବିଏମ୍‌ସିର ଏହି ଚିଠା ପ୍ରସ୍ତାବରେ ଶାସକ ଦଳର ରଣନୀତି ଥିବା ଗନ୍ଧ ବାରି ହୋଇଯାଇଛି। ଯେଉଁ କର୍ପୋରେଟର୍‌ଙ୍କର ନିଜ ଓ୍ଵାର୍ଡରେ ଦବ୍‌ଦବା ରହିଛି ଏବଂ ସେମାନେ ନିଶ୍ଚିତ ଜିତିବାର ସମ୍ଭାବନା ଅଛି ତାଙ୍କ ଆସନ ସୁରକ୍ଷିତ ରହିଛି। ଯେଉଁ ଓ୍ଵାର୍ଡରେ ମେୟର/ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ଗତ ର୍ନିବାଚନରେ ହାରିଥିଲେ ସେମାନେ ଯେପରି ଏଥର ଜିତିପାରିବେ ସେ ବ୍ୟବସ୍ଥା ବି କରାଯାଇଛି, ଯେଉଁଠି ବିରୋଧୀ ଦଳ ପ୍ରାର୍ଥୀ ଦେବାକୁ ଯୋଜନା କରିଥିଲେ ବା ବିରୋଧୀଙ୍କ ଦବ୍‌ଦବା ଭଲ ଅଛି ବା ନୂଆ ବିଦ୍ରୋହୀ ସୃଷ୍ଟି ହୋଇଥିଲେ ସେମାନଙ୍କୁ ମୂଳପୋଛ କରିବାକୁ ସିଟ୍‌ ସଂରକ୍ଷଣ ଯୋଜନା ଖେଳାଯାଇଛି। ସଂରକ୍ଷଣ ନେଇ ଯେପରି କେହି ପ୍ରଶ୍ନ ଉଠାଇ ନ ପାରିବେ ସେଥିପାଇଁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ନିୟମକୁ ସେହି ଢଙ୍ଗରେ ପ୍ରୟୋଗ କରାଯାଇଛି।

ଆସନ୍ତା ନିର୍ବାଚନରେ ବିଏମ୍‌ସି ଦଖଲ ପାଇଁ ଶାସକ ଦଳ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟକୁ କମିସନର୍‌ ଠିକ୍‌ ରୂପ ଦେଇଥିବାରୁ ଆଜିର ସ୍ୱତନ୍ତ୍ର କାଉନସିଲ୍‌ ବୈଠକରେ କର୍ପୋରେଟର୍‌ମାନେ ବି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆସନ୍ତା ବିଏମ୍‌ସି ନିର୍ବାଚନରେ ବିଜେଡି ‘ମିସନ ୬୦’ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ଯେମିତି ନିର୍ବାଚନ ସମୟରେ ବାଧା ନ ଉପୁଜେ ସେନେଇ ଏବେଠୁ ପ୍ରସ୍ତୁତି ହୋଇଛି। ଏମିତି ଢଙ୍ଗରେ ଆସନ ସଂରକ୍ଷଣ ଓ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଛି ଯେ, ବିରୋଧୀ ମହଲରେ ଆତଙ୍କ ଖେଳିଯାଇଛି। ଏହି ଚିଠା ପ୍ରସ୍ତାବକୁ ନଗର ଉନ୍ନୟନ ବିଭାଗରେ ବିରୋଧ କରାଯିବ ବୋଲି ବିରୋଧୀ କହିଛନ୍ତି। ବିରୋଧୀଙ୍କ ଅଭିଯୋଗ ଯେ, ଚିଠା ପ୍ରସ୍ତାବରେ ଓ୍ଵାର୍ଡ ୧୯କୁ ଅନୁସୂଚିତ ବର୍ଗ ପାଇଁ ରଖାଯାଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ କର୍ପୋରେଟର୍‌ ଥିବାବେଳେ ଏହା କଂଗ୍ରେସର ଗଡ଼ ଅଛି। ତେଣୁ କର୍ପୋରେଟର୍‌ କି ତାଙ୍କ ସ୍ୱାମୀ ଯେପରି ଛିଡ଼ା ନ ହୋଇପାରିବେ ସେଥିପାଇଁ ଏହାକୁ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ କରି ଦିଆଯାଇଛି।

ସେହିପରି ଓ୍ଵାର୍ଡ ୧୩ରେ ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ କର୍ପୋରେଟର୍‌ଙ୍କୁ ହରାଇଥିବାରୁ ଏଥର ଏହାକୁ ମହିଳାଙ୍କ ପାଇଁ ସଂରକ୍ଷିତ କରିଦିଆଯାଇଛି। ଏହାଦ୍ୱାରା ପୂର୍ବତନ କର୍ପୋରେଟର୍‌ ପୁଣି ଲଢ଼ିବେ ବୋଲି କୁହଯାଉଛି।

ଗତ ନିର୍ବାଚନରେ ଓ୍ଵାର୍ଡ ୬୩ରେ କର୍ପୋରେଟର୍‌ ଥିବା ବିଜେପିର ରଘୁନାଥ ମହାନ୍ତି କହିଛନ୍ତି ଯେ, ତାଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ସୀମା ପୁନଃ ନିର୍ଦ୍ଧାରଣରେ ତାଙ୍କ ଓ୍ଵାର୍ଡକୁ ପୂରା ଖିନ୍‌ଭିନ୍‌ କରିଦିଆଯାଇଛି। ଏଥର ଓ୍ଵାର୍ଡ ୬୦ ହୋଇଥିବାବେଳେ ତାକୁ ମହିଳାଙ୍କ ପାଇଁ ସଂରକ୍ଷିତ କରିଦିଆଯାଇଛି।

ଓ୍ଵାର୍ଡ ୩୩ରେ ବିଜେପି କର୍ପୋରେଟର୍‌ ଥିବାବେଳେ ତାଙ୍କୁ ମାତ୍‌ ଦେବା ପାଇଁ ଏହାକୁ ନୂଆ କରି ଓ୍ଵାର୍ଡ ୪୦ ଓ ୪୧ରେ ସାମିଲ୍‌ କରାଯାଇଛି। ଆଉ ପଛୁଆ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ କରିଦିଆଯାଇଛି। ଓ୍ଵାର୍ଡ ୩୯ରେ ବିରୋଧୀ ଦଳ ସ୍ଥିତି ମଜଭୁତ୍‌ ହେଉଥିବା ଦେଖି ଏହାକୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ କରିଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ସୀମା ପୁନଃ ନିର୍ଦ୍ଧାରଣରେ ଓ୍ଵାର୍ଡ ୩୫ କରାଯାଇଛି।

ଓ୍ଵାର୍ଡ ୫୯ରେ ଲଗାତର ଭାବେ ଅଣସଂରକ୍ଷିତ ରହୁଥିବାରୁ ଏହାକୁ ସଂରକ୍ଷିତ ରଖିବାକୁ ସ୍ଥାନୀୟ ଲୋକ କମିସନର୍‌ଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣରେ ଏଥିରୁ କିଛି ଅଞ୍ଚଳ ବାଦ୍‌ ଦେଇ ପୁଣି ଅଣସଂରକ୍ଷିତ ରଖିଛନ୍ତି। ବର୍ତ୍ତମାନର କର୍ପୋରେଟର୍‌ଙ୍କ ସ୍ଥିତି ଭଲ ଥିବାରୁ ତାଙ୍କୁ ସୁହାଇବା ପାଇଁ କର୍ତ୍ତୃପକ୍ଷ ଏହିଭଳି ଚାଲ୍‌ ଖେଳିଥିବା ଚର୍ଚ୍ଚା ହେଉଛି। ଏହାବାଦ୍‌ ଆଉ କିଛି ଓ୍ଵାର୍ଡର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣକୁ ନେଇ ବିବାଦ ଆରମ୍ଭ ହେଲାଣି।

୪ ଓ୍ଵାର୍ଡରେ ପତ୍ନୀ ଓହରିବେ, ସ୍ୱାମୀ ଲଢ଼ିବେ

ମହିଳା ସଂରକ୍ଷଣ ଚାଲ୍‌ କେବଳ ବିରୋଧୀଙ୍କୁ ମାତ୍‌ ଦେବା ପାଇଁ କରାଯାଇନି। ବରଂ କେତେକ ସ୍ଥାନରେ ପୂର୍ବଥର ସଂରକ୍ଷଣ ପାଇଁ ବାଦ୍‌ ପଡ଼ିଥିବା କର୍ପୋରେଟର୍‌ଙ୍କୁ ସୁଯୋଗ ଦେବା ଏବଂ ପତ୍ନୀଙ୍କ ଜାଗାରେ ସ୍ୱାମୀଙ୍କୁ ଛିଡ଼ା କରିବାକୁ ପ୍ରୟୋଗ କରାଯାଇଛି। ଓ୍ଵାର୍ଡ ୧, ୩, ୮, ୫୫ର ଏହାର ଉଦାହରଣ ବୋଲି ଚର୍ଚ୍ଚା ହୋଇଛି। ସେହିପରି ମେୟରଙ୍କ ଓ୍ଵାର୍ଡ ନଂ ୪୭ରୁ ବଦଳି ୩୬ ହୋଇଛି। ମେୟର ନିଜ ସମର୍ଥିତ ପ୍ରାର୍ଥୀ ଦେବା ପାଇଁ ଏହାକୁ ଅଣସଂରକ୍ଷିତ ରଖିଥିବା ଚର୍ଚ୍ଚା ହେଉଛି। ଡେପୁଟି ମେୟର କେ.ଶାନ୍ତିିଙ୍କର ଓ୍ଵାର୍ଡ ୫୬ରେ କିଛି ପରିବର୍ତ୍ତନ ହୋଇନିି। ଏହାକୁ ପଛୁଆବର୍ଗ (ମହିଳା) କରାଯାଇଛି।

କାହା ପାଇଁ କେତେ ଓ୍ଵାର୍ଡ ସଂରକ୍ଷିତ ଅଛି

ଆଜି ବିଏମ୍‌ସି ଅତିରିକ୍ତ କମିସନର ଶୁଭମ୍‌ ସାକ୍ସେନା ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବ ସ୍ୱତନ୍ତ୍ର କାଉନସିଲ୍‌ ବୈଠକରେ ଆଗତ କରିଥିଲେ। କର୍ପୋରେଟର୍‌ମାନଙ୍କୁ ସେମାନଙ୍କ ଓ୍ଵାର୍ଡରେ କେଉଁ ଅଞ୍ଚଳ ବାଦ୍‌ ପଡ଼ିଛି କି ମିଶିଛି, ଆସନ ସଂରକ୍ଷଣ ହୋଇଛି କି ନାହିଁ ତାହା ଜଣାଯାଇଥିଲା। କିନ୍ତୁ ନିର୍ବାଚିତ ୯୦%ରୁ ଅଧିକ କର୍ପୋରେଟର୍‌ଙ୍କୁ ସୁହାଇଲା ଭଳି ଏହି ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଥିବାରୁ କର୍ପୋରେଟର୍‌ମାନେ ପାଟି ଫିଟାଇ ନଥିଲେ। ପ୍ରାୟ ସମସ୍ତେ ଖୁସି ମନରେ ଯାଇଥିଲେ। ଯେଉଁମାନଙ୍କର ଓ୍ଵାର୍ଡ ସଂରକ୍ଷିତ ହୋଇଯାଇଥିଲା ସେଥିରୁ କେତେକ କହୁଥିଲେ ବିରୋଧୀ ଦଳର ହୋଇଥିବାରୁ ଜାଣି ଶୁଣି ଆମ ଓ୍ଵାର୍ଡକୁ ସଂରକ୍ଷିତ କରାଗଲା, ଆଉ କିଛି କର୍ପୋରେଟର୍‌ କହୁଥିଲେ ଆମେ କାଉନସିଲ୍‌ ବୈଠକରେ ମେୟର/କମିସନର୍‌ଙ୍କୁ ପ୍ରଶ୍ନ ପଚାରିଥିବାରୁ କିପରି ନିର୍ବାଚନରେ ଛିଡ଼ା ନ ହୋଇପାରିବୁ ସେ ବ୍ୟବସ୍ଥା କରାଯାଇଛି।

ଆସନ୍ତା ନିର୍ବାଚନ ୬୭ଟି ଓ୍ଵାର୍ଡରେ ହେବାକୁ ଥିବାବେଳେ ଏଥିରୁ ୪୭ଟି ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଅନୁସୂଚିତ ଜାତି(ଏସ୍‌ସି)ଙ୍କ ପାଇଁ ୬ଟି ଓ୍ଵାର୍ଡ ସଂରକ୍ଷିତ ରହିଥିବାବେଳେ ଏଥିରୁ ୩ଟି ଅନୁସୂଚିତ ମହିଳାଙ୍କ ପାଇଁ ରହିଛି। ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ୩ଟି ଓ୍ଵାର୍ଡ ସଂରକ୍ଷିତ ରହିଥିବାବେଳେ ଏଥିରୁ ୨ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ରହିଛି, ପଛୁଆ ବର୍ଗ (ବିସିସି)ଙ୍କ ପାଇଁ ୧୯ଟି ଓ୍ଵାର୍ଡ ରହିଥିବାବେଳେ ଏଥିରୁ ୧୦ଟି ବିସିସି ମହିଳାଙ୍କ ପାଇଁ ରହିଛି। କେବଳ ମହିଳାଙ୍କ ପାଇଁ ୧୯ଟି ସିଟ୍‌ ସଂରକ୍ଷିତ ରହିଛି। ଏହିପରି ମୋଟ୍‌ ୬୭ଟି ଓ୍ଵାର୍ଡରୁ ୩୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୨୦ଟି ଅଣସଂରକ୍ଷିତ ବର୍ଗଙ୍କ ପାଇଁ ରହିଛି। ଆଜିର ବୈଠକରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ.ଶାନ୍ତି, କମିସନର କ୍ରିଷନ କୁମାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର