ବିଏମ୍‌ସି ନିର୍ବାଚନ ପ୍ରସଙ୍ଗ କିଏ ମିଛ କହୁଛି?

ତିନି ମହାନଗର ନିଗମ କର୍ତ୍ତୃପକ୍ଷ ସମସ୍ତ ତଥ୍ୟ ଦେଇଛନ୍ତି: ପୌର ପ୍ରଶାସନ ନିର୍ଦ୍ଦେଶକ

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପ୍ରସ୍ତୁତି ନେଇ ନଗର ଉନ୍ନୟନ ବିଭାଗ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ମାଗିଥିବା ତଥ୍ୟ ଏ ପର୍ଯ୍ୟନ୍ତ ପାଇଲାନି। ଏପରିକି ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ତାଗିଦ୍‌ ପରେ ବି ବିଏମ୍‌ସି କମିସନର ତଥ୍ୟ ଦେଇନାହାନ୍ତି। କିନ୍ତୁ ଯେଉଁ ପୌର ପ୍ରଶାସନ ନିର୍ଦ୍ଦେଶକ ଚାରିି ଦିନ ତଳେ ତୁରନ୍ତ ତଥ୍ୟ ଦେବାକୁ ତାଗିଦ୍‌ କରିଥିଲେ ସେ ଏବେ ବିନା ତଥ୍ୟରେ କହୁଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ ସମସ୍ତ ତଥ୍ୟ ଦେଇସାରିଲେଣି। ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ତଥ୍ୟ ଦେଇନାହାନ୍ତି ବୋଲି ଦୃଢତାର ସହ କହୁଥିଲେ ହେଁ ନିର୍ଦ୍ଦେଶକ ହଠାତ୍‌ କାହିଁକି ଏହିଭଳି ସ୍ୱର ବଦଳାଇଲେ ତାହା ଅନେକ ପ୍ରଶ୍ନ ସୃଷ୍ଟି କଲାଣି। ଏପରିକି କିଏ ମିଛ କହୁଛି ତାହା ଜଣାପଡ଼ୁନି। ରାଜ୍ୟର ତିନି ମହାନଗର ନିଗମ ବିଏମ୍‌ସି, ସିଏମ୍‌ସି ଏବଂ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ରେ ଚଳିତବର୍ଷ ଶେଷ ସୁଦ୍ଧା ପୌର ନିର୍ବାଚନ ହେବାର ସମ୍ଭାବନା ଅଛି। ଏନେଇ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଚିଠା ପ୍ରସ୍ତାବ ଫେବ୍ରୁଆରି ୨୦ତାରିଖ ସୁଦ୍ଧା ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରିବାକୁ ତିନିଟି ଯାକ ମହାନଗର ନିଗମକୁ କୁହାଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟରେ କେହି ତଥ୍ୟ ନ ଦେବାରୁ ପୌର ପ୍ରଶାସନ ନିର୍ଦ୍ଦେଶକ ତିନି ମହାନଗର ନିଗମ କମିସନରଙ୍କୁ ତୁରନ୍ତ ତଥ୍ୟ ଦେବାକୁ ତାଗିଦ୍‌ କରିଥିଲେ। ଏହାର ଦିନକ ପରେ ସିଏମ୍‌ସି ଓ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ସମସ୍ତ ତଥ୍ୟ ଦେଇଦେଲେ। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ନଗର ଉନ୍ନୟନ ବିଭାଗକୁ ଏ ପର୍ଯ୍ୟନ୍ତ ତଥ୍ୟ ଦେଇନାହାନ୍ତି। ଏପରିକି କେବେ ସୁଦ୍ଧା ଦେବେ ତାହା କାହାକୁ ଜଣାନାହିଁ। କିନ୍ତୁ ଏନେଇ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ତିନି ମହାନଗର ନିଗମ କର୍ତ୍ତୃପକ୍ଷ ସମସ୍ତ ତଥ୍ୟ ଦେଇଛନ୍ତି। ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ନେଇ ସମସ୍ତ ତଥ୍ୟ ଦେଇଛନ୍ତି। ଏବେ ତିନିଟି ଯାକ ମହାନଗର ନିଗମର ନୋଟିସ୍‌ ବୋର୍ଡରେ ଏବଂ େଓ୍ଵବସାଇଟ୍‌ରେ ଏହା ଉପଲବ୍ଧ ହେବ। ଏହାକୁ ଦେଖି ବିଭିନ୍ନ ଓ୍ଵାର୍ଡର ଲୋକମାନେ ସେମାନଙ୍କ ଅଭିଯୋଗ ଓ ମତାମତ ଦେଇପାରିବେ। ଯାହାକୁ ବିଚାର କରି ଆବଶ୍ୟକସ୍ଥଳେ ଚିଠା ପ୍ରସ୍ତାବରେ ପରିବର୍ତ୍ତନ ଅଣାଯିବ।

ଆମେ କିଛି ତଥ୍ୟ ଦେଇନୁ: ବିଏମ୍‌ସି
ବିଏମ୍‌ସି ପାଇଁ ଏତେ ଦରଦ କାହିଁକି?
ବିଇଏମ୍‌ସି ଓ ସିଏମ୍‌ସି ତଥ୍ୟ ଦେଲେ

ଆମେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ପର୍କିତ ଚିଠା ପ୍ରସ୍ତାବ ନେଇ ପଚାରିବାରୁ କହିଥିଲେ ଯେ, ଏ ପର୍ଯ୍ୟନ୍ତ ଆମର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇନାହିଁ। ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହେବା ପରେ ଏହାକୁ କାଉନସିଲ୍‌ ବୈଠକରେ ଆଗତ କରାଯିବ। ଏହା ଉପରେ ଆଲୋଚନା ହେବା ପରେ ଯଦି ଏହା ପାରିତ ହେବ ତେବେ ଏହାକୁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯିବ। କାଉନସିଲ୍‌ ବୈଠକ ବସିନଥିବାରୁ ଏନେଇ କିଛି ନିଷ୍ପତ୍ତି ହୋଇନି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିୟମ ଅନୁଯାୟୀ କାଉନସିଲ୍‌ ବୈଠକରେ କର୍ପୋରେଟରମାନଙ୍କୁ ସେମାନଙ୍କ ଓ୍ଵାର୍ଡର ପୁନଃ ସୀମା ନିର୍ଦ୍ଧାରଣ ସମ୍ବନ୍ଧରେ ସୂଚନା ଦିଆଯିବ। ଆସନ୍ତା ନିର୍ବାଚନରେ ସିଟ୍‌ କେଉଁ ବର୍ଗ ପାଇଁ ସଂରକ୍ଷିତ ରହିବ କି ଅଣସଂରକ୍ଷିତ ରହିବ ତାହା ଜଣାଯିବ। ଏହା ଉପରେ ସେମାନଙ୍କର ମତାମତ ରଖିବାକୁ ସୁଯୋଗ ଦିଆଯିବ। ଯଦି କାଉନସିଲ୍‌ ବୈଠକରେ ସଂଖ୍ୟା ଗରିଷ୍ଠ କର୍ପୋରେଟର ଏହାକୁ ବିରୋଧ କରିବେ ଏବଂ ପାରିତ ହେବନି ତେବେ ଏହାକୁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ପଠାଯିବନି। ନିୟମ ଅନୁଯାୟୀ ଆମେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଛୁ। କେତୋଟି ଓ୍ଵାର୍ଡରେ ନିର୍ବାଚନ ହେବ, କେଉଁ ଓ୍ଵାର୍ଡରେ କେତେ ଜନସଂଖ୍ୟା, କେତେ ଭୋଟର, କେଉଁ କେଉଁ ଅଞ୍ଚଳକୁ ନେଇ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହୋଇଛି, କେଉଁ ଆସନ ସଂରକ୍ଷିତ ଓ କେଉଁ ବର୍ଗଙ୍କ ପାଇଁ ହୋଇଛି, କେଉଁ ଓ୍ଵାର୍ଡ ଅଣସଂରକ୍ଷିତ ଅଛି ତାହାର ତାଲିକା ପ୍ରସ୍ତୁତ ହେବ। କାଉନସିଲ୍‌ ବୈଠକରେ ଯେଉଁ କର୍ପୋରେଟର ଆପତ୍ତି କରିବେ ସେମାନଙ୍କୁ ନିୟମ ସମ୍ପର୍କରେ ବୁଝାଯିବ। ଆଉ ପ୍ରସ୍ତାବ ସମ୍ପର୍କରେ ସଂଖ୍ୟା ଗରିଷ୍ଠ ମତ ଗ୍ରହଣ କରି ଏହାକୁ ନଗର ଉନ୍ନୟନ ବିଭାଗକୁ ପଠାଇବାକୁ ଯୋଜନା ହୋଇଛି। ଆସନ୍ତା ୨୮ତାରିଖରେ ବିଏମ୍‌ସି କାଉନସିଲ୍‌ ବୈଠକ ବସୁଥିବାବେଳେ ଏଥିରେ ଚିଠା ପ୍ରସ୍ତାବ ଆସିବ କି ନାହିଁ ନିଷ୍ପତ୍ତି ହୋଇନି। ଯଦି ଚୂଡ଼ାନ୍ତ ଚିଠା ପ୍ରସ୍ତାବ ପ୍ରସ୍ତୁତ ନହେଲା ତେବେ ମାର୍ଚ୍ଚ ପ୍ରଥମ ସପ୍ତାହରେ ସ୍ୱତନ୍ତ୍ର କାଉନସିଲ୍‌ ବୈଠକ ଡକାଯାଇ ଏହାକୁ ଆଗତ କରାଯିବ। ଯଦି ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କଥାକୁ ଠିକ୍‌ ବୋଲି ଧରାଯାଏ ଓ ବିଏମ୍‌ସି କର୍ତ୍ତୃପକ୍ଷ ମିଛ କହୁଥାନ୍ତି ତେବେ ସାଂଘାତିକ କଥା। କାରଣ ବିନା କାଉନସିଲ୍‌ ବୈଠକ ସହମତିରେ କୌଣସି ପ୍ରସ୍ତାବ ବିଏମ୍‌ସିରୁ ନଗର ଉନ୍ନୟନ ବିଭାଗକୁ ଯିବନି। ବିଏମ୍‌ସି କର୍ତ୍ତୃପକ୍ଷ ଯଦି କର୍ପୋରେଟରଙ୍କ ସମ୍ମୁଖରେ ଗୋଟିଏ ତଥ୍ୟ ରଖି ଆଉ ଗୋଟିଏ ତଥ୍ୟ ନଗର ଉନ୍ନୟନ ବିଭାଗକୁ ଦେଇଥିବେ ତେବେ ଏହା ନିୟମର ଅବମାନନା ହେବ। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ମହାନଗର ନିଗମ ଓ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ୨୦ତାରିଖ ପୂର୍ବରୁ ସ୍ୱତନ୍ତ୍ର କାଉନସିଲ୍‌ ବୈଠକ ଡାକି ଚିଠା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଏହାପରେ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି। ବିଇଏମ୍‌ସିରେ ଓ୍ଵାର୍ଡ ସଂଖ୍ୟା ୪୦ରୁ ୪୩କୁ ବୃଦ୍ଧି ପାଇଥିବାବେଳେ ସିଏମ୍‌ସିରେ ଓ୍ଵାର୍ଡ ସଂଖ୍ୟା ପୂର୍ବ ପରି ୫୯ରେ ସୀମିତ ରହିଛି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧୨ତାରିଖରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ କରିବା ସହ ସଂରକ୍ଷିତ, ଅଣସଂରକ୍ଷିତ ସିଟ୍‌ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୧ସୁଦ୍ଧା ଲୋକଙ୍କ ଅଭିଯୋଗ/ପ୍ରସ୍ତାବ ଗ୍ରହଣ କରାଯିବ। ଏପ୍ରିଲ୍‌ ୩୦ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର