ଫସିଛି ବିଏମ୍‌ସି, ତଥାପି ନିରବ

ବିଏମ୍‌ସି-କେଶରୀ ମଲ୍‌ରେ ଘରୋଇ ସଂସ୍ଥା ପ୍ରୀତି

ଭୁବନେଶ୍ୱର: କେତେ ଜଣ ପୂର୍ବତନ ଅଧିକାରୀଙ୍କ ଲାଞ୍ଚଖୋର୍‌ ମନୋବୃତ୍ତି ଏବଂ ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ଏବେ ବିଏମ୍‌ସି ଫସିଯାଇଛି। ଏମିତି ସ୍ଥାନରେ ଫସିଛି ଯେ, ‘ଅଜଗା ଘା’ ଦେଖେଇ ହୁଏନି କି ଦେଖି ହୁଏନି’ ଭଳି ସ୍ଥିତି ଉପୁଜିଛି। ପୂର୍ବତନ ଅଧିକାରୀଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଏବଂ ବର୍ତ୍ତମାନର କିଛି ଅଧିକାରୀଙ୍କ ଅତ୍ୟଧିକ ଲୋଭ ଯୋଗୁଁ ଏବେ ବହୁ ନିରୀହ ବ୍ୟବସାୟୀଙ୍କୁ ଫସାଇବାକୁ ଯୋଜନା ହୋଇଛି। ବିଏମ୍‌ସି-କେଶରୀ ମଲ୍‌ରେ ବିଏମ୍‌ସି ଭାଗରେ ପଡ଼ିଥିବା ୭୩ଟି ଦୋକାନ ଘର ଭଡ଼ା ଦେବା ପାଇଁ ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ବିଏମ୍‌ସି ଅଧିକାରୀଙ୍କ କେଳେଙ୍କାରୀକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଠାରେ ପ୍ରାୟ ୨୦୦ଟି ଦୋକାନ ଘର ଥିବାବେଳେ ବିଏମ୍‌ସି ଭାଗରେ ୭୩ଟି ଦୋକାନ ପଡ଼ିଛି। ବିଡ଼ମ୍ବନାର ବିଷୟ ଏହି ୭୩ଟି ଯାକ ଦୋକାନ ଏମିତି ଜାଗାରେ ବିଏମ୍‌ସିକୁ ଦିଆଯାଇଛି ଯେ, କୌଣସି ବ୍ୟବସାୟୀ ଏହାକୁ ନେବାକୁ ମନ ବଳାଉ ନାହାନ୍ତି। କେଶରୀ ମଲ୍‌ ନିର୍ମାଣ କରିଥିବା ସଂସ୍ଥା ପ୍ରୀତିରେ ବିଏମ୍‌ସି କର୍ତ୍ତୃପକ୍ଷ ପଡ଼ିଥିବାରୁ ଅଧିକାଂଶ ଦୋକାନ ଘର ବିକ୍ରି ନହେବା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଯେଉଁ ସ୍ଥାନରେ ଗୋଦାମ ଘର ହେବା କଥା ସେଠାରେ ସୋ’ ରୁମ୍‌ କରିବାକୁ ଦୋକାନ ଭଡ଼ା ଦେବାକୁ ଯୋଜନା ହେଉଥିବା କୁହାଯାଉଛି।

ଏହି ମଲ୍‌ରେ ଘରୋଇ ସଂସ୍ଥା କେଶରୀ ଭାଗରେ ୬୫% ଦୋକାନ ପଡ଼ିଥିବାବେଳେ ବିଏମ୍‌ସି ଭାଗରେ ୩୫% ଦୋକାନ ପଡ଼ିଛି। ଆଶ୍ଚର୍ଯ୍ୟର ବିଷୟ ମଲ୍‌ର ସମସ୍ତ ପ୍ରମୁଖ ସ୍ଥାନରେ, ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ, ମଲ୍‌ରେ ପ୍ରବେଶ କରିବା ପରେ ଯେଉଁଠି ଲୋକଙ୍କ ନଜର ପଡ଼ିବ ସେହିଭଳି ପ୍ରମୁଖ ସ୍ଥାନରେ ଘରୋଇ ସଂସ୍ଥା ଭାଗରେ ଦୋକାନ ପଡ଼ିଛି। ଏପରିକି ପ୍ରାୟ ସମସ୍ତ ବଡ଼ ବଡ଼ ଦୋକାନ ଘର ଘରୋଇ ସଂସ୍ଥା ଭାଗରେ ପଡ଼ିଛି। ଆଉ ଲାଞ୍ଚ ଖାଇ ମୁହଁ ବନ୍ଦ ରଖିଥିବା ଅଧିକାରୀମାନଙ୍କ ପାଇଁ ବିଏମ୍‌ସି ଭାଗରେ ଶୌଚାଳୟ ନିକଟବର୍ତ୍ତୀ ସ୍ଥାନ, ସିଡ଼ି ତଳ, ଲିଫ୍ଟ କଡ଼, ଆଗ ଧାଡ଼ିରେ ଥିବା ଦୋକାନ ପଛପାର୍ଶ୍ୱ ଅଞ୍ଚଳ, ସରୁ ରାସ୍ତା ଥିବା ଅଞ୍ଚଳରେ ବିଏମ୍‌ସି ଭାଗର ଦୋକାନ ପଡ଼ିଛି। ଏପରିକି କେତେକ ଦୋକାନ ଘର ସିଡି ତଳେ ଓ ଲିଫ୍ଟ କଡ଼ରେ ପ୍ଲାଏ ଓ କାଚ ଫ୍ରେମ୍‌ରେ ନିର୍ମାଣ କରାଯାଇଛି। ଯାହା ଉପରେ ସହଜରେ କାହାର ନଜର ପଡ଼ିବନି। କିନ୍ତୁ ମାସିକିଆ ଚାନ୍ଦା ପାଇବା ପ୍ରତିଶ୍ରୁତିରେ କେତେକ ବିଏମ୍‌ସି ଅଧିକାରୀ ମୁହଁ ବନ୍ଦ ରଖିଛନ୍ତି। ନିୟମ ଅନୁଯାୟୀ, ଯେଉଁ ଅଞ୍ଚଳରେ ଘରୋଇ ସଂସ୍ଥା ଦୋକାନ ପାଇବ ସେଠାରେ ବି ବିଏମ୍‌ସି ଦୋକାନ ପାଇବା କଥା। କିନ୍ତୁ ବିଏମ୍‌ସି ଅଧିକାରୀଙ୍କ ମୁହଁ ବନ୍ଦ କରି ଘରୋଇ ସଂସ୍ଥା ପ୍ରମୁଖ ସ୍ଥାନ ସବୁ ନେଇଯାଇଛି। ମଲ୍‌ର ସମ୍ମୁଖ ଭାଗ ଦୋକାନ ସବୁ ଘରୋଇ ସଂସ୍ଥା ନେଇଯାଇଥିବାବେଳେ ସମ୍ମୁଖ ଭାଗରେ ବିଏମ୍‌ସିକୁ ମାତ୍ର ୩ଟି ଦୋକାନ ଦେଇଛି। ଆଉ ଯେଉଁଠି ଦୋକାନ ଖୋଲିଲେ ବି ବ୍ୟବସାୟ ହେବନି ସେହିଭଳି ଦୋକାନ ସବୁ ବିଏମ୍‌ସି ମୁଣ୍ଡରେ ଲଦି ଦେଇଛି।

ଏହିଭଳି ସ୍ଥାନରେ ଦୋକାନ ଥିଲେ ହେଁ ବିଏମ୍‌ସିର ବଡ଼ ବାବୁମାନେ ଆକଳନ କରିଛନ୍ତି ଏଠାରୁ ଭଲ ରାଜସ୍ୱ ଆଦାୟ ହେବ। ତେଣୁ ୫ବର୍ଷର ଭଡ଼ା ଟଙ୍କା ସର୍ବନିମ୍ନ ସିକ୍ୟୁରିଟି ଜମା ରଖିଛନ୍ତି। ଏହି ଅର୍ଥ ଉପରେ ଇ-ନିଲାମୀ ଡକାଯିବ। ଯିଏ ଅଧିକ ସିକ୍ୟୁରିଟି ଜମା କରିବ ବୋଲି ନିଲାମ ଡାକିବ ସେ ଭଡ଼ା ପାଇବ। ଏପରିକି ଏହି ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ବିଏମ୍‌ସି ନାମରେ ୫୦ହଜାର ଟଙ୍କାର ସିକ୍ୟୁରିଟି ଜମା କରିବା ସହ ଯେତେ ଦୋକାନ ପାଇଁ ନିଲାମ ଡାକିବ ସେତେ ୧ହଜାର ଟଙ୍କା ଜମା କରିବାକୁ ନିୟମ କରିଛନ୍ତି। ନିଲାମ ଡାକିବା ସମୟରେ ପ୍ରତି ଡାକ ପିଛା ସର୍ବନିମ୍ନ ୧୦ହଜାର ଟଙ୍କା ବଢ଼ିବ। ଏପରି ସ୍ଥିତିରେ କେବଳ ବଡ଼ ବଡ଼ ବ୍ୟବସାୟୀ ଏଠାରେ ପୁଞ୍ଜିନିବେଶ କରିପାରିବେ ଏବଂ ଏଠାରେ ଦୋକାନ ନକରି ଗୋଦାମ ଘର କରିବେ ବୋଲି ଆଲୋଚନା ହେଉଛି। ବିଏମ୍‌ସି ପକ୍ଷରୁ ଏହି ଦୋକାନ ଘରଗୁଡ଼ିକୁ ଭଡ଼ା ଦେବା ପାଇଁ ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମେ ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଏହାର ଅବଧି ଥିଲେ ହେଁ ଏହି ସମୟରେ ମାତ୍ର ୩୫ଜଣ ଆବେଦନ କଲେ। ୭୩ଟି ଦୋକାନ ପାଇଁ ୩୫ଜଣ ଆବେଦନ କରିବା ପରେ ବହୁ ଦୋକାନ ଘର ଖାଲି ପଡ଼ିବା ଜଳ ଜଳ ଦିଶିବାରୁ ଏବେ ବିଏମ୍‌ସି କର୍ତ୍ତୃପକ୍ଷ ମାର୍ଚ୍ଚ ୩୦ତାରିଖ ପର୍ଯ୍ୟନ୍ତ ଏହାର ଆବେଦନ ସୀମା ବଢ଼ାଇଛନ୍ତି। କିନ୍ତୁ ଏହା ପରେ ବି ଆବେଦନକାରୀଙ୍କ ସଂଖ୍ୟା ବଢ଼ୁନି।

ସୂଚନାଯୋଗ୍ୟ ଯେ, ବିଏମ୍‌ସି-କେଶରୀ ମଲ୍‌ ଉଦ୍‌ଘାଟନ ହେବାର ପ୍ରାୟ ୭ ବର୍ଷ ପରେ ବିଏମ୍‌ସି ନିଜ ଭାଗରେ ଥିବା ଦୋକାନ ଦଖଲ କରିବାକୁ ଯୋଜନା କରିଛି। ୟୁନିଟ-୨ରେ ୧.୦୬୧ଏକର ଜମିରେ ନିର୍ମାଣ ହୋଇଛି ଏହି ବିଏମ୍‌ସି କେଶରୀ ମଲ୍‌। ୭୦ହଜାର ବର୍ଗଫୁଟ ଅଞ୍ଚଳରେ ଏହି ସପିଂ ମଲ୍‌ ଛିଡ଼ା ହୋଇଥିବାବେଳେ ମଲ୍‌ ଚାରିକଡ଼େ ପାର୍କିଂ ବ୍ୟବସ୍ଥା ରହିଛି। ଲିଫ୍ଟ ମାଧ୍ୟମରେ କାର୍‌ ଉପରକୁ ଉଠାଇ ଟେରାସ୍‌ରେ ପାର୍କିଂ ବ୍ୟବସ୍ଥା ହୋଇଛି। ଚୁକ୍ତି ଅନୁଯାୟୀ ଏହି ମଲ୍‌ରେ ଘରୋଇ ସଂସ୍ଥା ୬୫ପ୍ରତିଶତ ପାଇଥିବାବେଳେ ବିଏମ୍‌ସିକୁ ୩୫ପ୍ରତିଶତ ଦୋକାନ ମିଳିଛି। କିନ୍ତୁ ଘରୋଇ ସଂସ୍ଥା ବେଆଇନ ଭାବେ ନିର୍ମାଣ ବଢ଼ାଇଛି। ଏପରିକି ୧୦ହଜାର ବର୍ଗଫୁଟ ଅଧିକ ନିର୍ମାଣ କରିଛି। ଯେଉଁଥିପାଇଁ ବିଡିଏ ଏହାକୁ ଅକୁପାନ୍ସି ସାର୍ଟିଫିକେଟ୍‌ ଦେଉନଥିଲା। କିନ୍ତୁ ବିଏମ୍‌ସି ଓ ବିଡିଏର ମୁଖିଆ ଜଣେ ଅଧିକାରୀ ହୋଇଥିବାରୁ ଏହି ସମସ୍ୟାର ସମାଧାନ ଜଲ୍‌ଦି ହୋଇଗଲା। ଆଉ ବିଏମ୍‌ସି ଭାଗରେ ୬୦ ବଦଳରେ ୭୩ ଦୋକାନ ପଡ଼ିଲା।

ସମ୍ବନ୍ଧିତ ଖବର