ବିଏମ୍‌ସିର ଜୁଲମକୁ ବିରୋଧ

ବିଧାନସଭା ବସିଲେ ଚଳଚଞ୍ଚଳ ହୋଇ ଉଠେ ମହାତ୍ମା ଗାନ୍ଧୀ ମାର୍ଗ। ନ୍ୟାୟ ଓ ହକ୍‌ ପାଇଁ ଲୋୟର ପିଏମ୍‌ଜିକୁ ବିଭିନ୍ନ ସଂଗଠନ ପକ୍ଷରୁ ହଜାର ହଜାର ଲୋକ ଆସନ୍ତି। ଖରାଦିନେ ୪୫ଡିଗ୍ରି ତାତି ଓ ଶୀତ ରାତିରେ ହାଡ଼ଭଙ୍ଗା ଶୀତରେ ଲୋୟର ପିଏମ୍‌ଜିରେ ବସି ବିକ୍ଷୋଭ ପ୍ରଦର୍ଶନ କରନ୍ତିି। କିନ୍ତୁ ସେମାନଙ୍କୁ ବିଏମ୍‌ସି ପକ୍ଷରୁ କୌଣସି ପ୍ରକାରର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନି। ପିଇବା ପାଣି ତ ଦୂରର କଥା ଝାଡ଼ା ପରିସ୍ରା ଯିବାକୁ ବି କୌଣସି ବ୍ୟବସ୍ଥା ନାହିଁ। ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ଖୋଜନ୍ତି ପାଚେରି କଡ଼। କେହି କେହି ତ ବାଉଁଶରେ ପଲିଥିନ୍‌ ଘେରାଇ ଧାରଣାସ୍ଥଳୀ ନିକଟରେ ଝାଡ଼ା ପରିସ୍ରା କରୁଛନ୍ତି। ପ୍ରଶାସନ ସବୁ ଦେଖି ଚୁପ୍‌। ବିଏମ୍‌ସି ଯେପରି ଏ ଦିଗରେ ଅନ୍ଧ ପାଲଟି ଯାଇଛି। ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା ତ ଦୂରର କଥା ହକ୍‌ ମାଗିବା ପୂର୍ବରୁ ବିଏମ୍‌ସିରେ ସର୍ବନିମ୍ନ ୫୦୦ଟଙ୍କା ଜମା କଲେ ମହାତ୍ମା ଗାନ୍ଧୀ ମାର୍ଗରେ ଛିଡ଼ା ହେବାକୁ ଅନୁମତି ଦେବାକୁ ନିୟମ ଜାରି କରିଛି।
ସେହିପରି ରାଜଧାନୀରେ ବିବାହ କି କୌଣସି ପ୍ରକାରର ଶୋଭାଯାତ୍ରା କଲେ ଏଣିକି ବିଏମ୍‌ସିରେ ୫ହଜାର ଟଙ୍କା ଜମା କରିବାକୁ ନିୟମ କରାଯାଇଛି। ଏହାକୁ ଲୋକ ଜିଜିଆ କର କହିଲେଣି। ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ବିଫଳ ହୋଇଥିବା ବିଏମ୍‌ସିକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଏହାର ଦୃଢ ପ୍ରତିରୋଧ କରାଯିବ ବୋଲି ଚେତାବନୀ ଦେଲେଣି। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆମର ଜନମତ।

ଶୌଚାଳୟ ନିତ୍ୟାନ୍ତ ଜରୁରୀ
ବିଭିନ୍ନ ଦାବି ନେଇ ଭିନ୍ନ ଭିନ୍ନ ସଂଘର କର୍ମକର୍ତ୍ତା ଲୋୟର ପିଏମ୍‌ଜିରେ ଦିନ ଦିନ ଧରି ଧାରଣାରେ ବସୁଛନ୍ତି। ଦାବି ପୂରଣ କରିବା ତ ଭିନ୍ନ କଥା। ଧାରଣାକାରୀଙ୍କୁ ଶୌଚାଳୟ, ପାଣି ଆଦି ପରି ସର୍ବନିମ୍ନ ସୁବିଧା ସରକାର ଯୋଗାଇଦେବା ନିତାନ୍ତ ଜରୁରୀ। ଏଠାରେ ଶୌଚାଳୟ ନଥିବାରୁ ମହିଳାମାନେ ଭୋଗୁଥିବା ସମସ୍ୟା କହିହେବ ନାହିଁ। ଏପଟେ ବିଏମ୍‌ସି ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେବା ଅତ୍ୟନ୍ତ ଲଜ୍ଜାଜନକ।
ମଧୁସ୍ମିତା ପଟ୍ଟନାୟକ, ଧାରଣାକାରୀ

ମହିଳାଙ୍କ ସମ୍ମାନ ପ୍ରତି ସରକାର ଧ୍ୟାନ ଦିଅନ୍ତୁ
ନିୟମ ମୁତାବକ ଯେମିତି ଲୋୟର ପିଏମ୍‌ଜିରେ ବିଭିନ୍ନ ଅନୁଷ୍ଠାନକୁ ଧାରଣା, ବିକ୍ଷୋଭ କରିବାକୁ ସ୍ଥାନ ପ୍ରଦାନ କରାଯାଇଛି। ସେମିତି ସେମାନଙ୍କ ସୁବିଧା ପାଇଁ ଶୌଚାଳୟ ମଧ୍ୟ ନିର୍ମାଣ କରିବା ଆବଶ୍ୟକ। ପୁରୁଷ ମାନେ ଯେ କୌଣସି ପ୍ରକାର ଚଳି ଯାଉଥିବା ବେଳେ ଆମେ ମହିଳାମାନେ ବଡ଼ ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁଛୁ। ସରକାର ମହିଳାଙ୍କ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ।
ରିତୁନା ପାତ୍ର, ଧାରଣାକାରୀ

ଡରରେ ପାଣି ପିଉନୁ
ସରକାର ମହିଳାମାନଙ୍କ ପ୍ରତି ସର୍ବନିମ୍ନ ସୌଜନ୍ୟତା ଭୁଲିଗଲେଣି। ଧାରଣା ଦେବାକୁ ଜାଗା ଯୋଗାଇଦେଇଛନ୍ତି। କିନ୍ତୁ ସର୍ବନିମ୍ନ ବ୍ୟବସ୍ଥା ଧାରଣାକାରୀଙ୍କ ପାଇଁ କରି ନାହାନ୍ତି। ବାଧ୍ୟ ହୋଇ ଆମେ ରେଳ ଷ୍ଟେସନ୍‌ରେ ଥିବା ଶୌଚାଳୟକୁ ବ୍ୟବହାର କରିବାକୁ ଯାଉଛି । ସ୍ଥିତି ଏମିତି ହେଲାଣି କି ଆମେ ଡରରେ ପାଣି ପିଉନୁ।
ସସ୍ମିତା ବିଶ୍ୱାଳ, ଧାରଣାକାରୀ

ସର୍ବନିମ୍ନ ସୁବିଧା ଦିଅନ୍ତୁ
ଦାବି ପୂରଣ ନେଇ ସରକାର ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ସେଥିନେଇ ମାନସିକ ଚାପରେ ଅଛୁ। ଖରାବର୍ଷାରେ ଘର ଛାଡ଼ି ରାଜରାସ୍ତାରେ ପଡ଼ିଛୁ। ଅନ୍ତତଃ ଧାରଣା ସ୍ଥଳରେ ଆମକୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦିଅନ୍ତୁ। ଶୌଚାଳୟ ପାଇଁ ଭୋଗୁଥିବା ସମସ୍ୟା ଭାଷାରେ ପ୍ରକାଶ କରିହେବ ନାହିଁ। ବିଏମ୍‌ସି କିଛି ମୌଳିକ ସୁବିଧା ସୁଯୋଗ ନଯୋଗାଇ ଆମଠୁ ଧାରଣା ପାଇଁ ଫି’ ଆଦାୟ କରିବାକୁ ଚିନ୍ତା କରିବା ଦୁଃଖଦାୟକ।
ଉତ୍କଳିକା ଭୂୟାଁ, ଧାରଣାକାରୀ

ଅନ୍ତତଃପକ୍ଷେ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରନ୍ତୁ
ସ୍ଥାୟୀ ନହେଲେ ବି ଅନ୍ତତଃପକ୍ଷେ ସରକାର ଧାରଣାସ୍ଥଳରେ ମହିଳାମାନଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରନ୍ତୁ। ଦାବି ହାସଲ ପାଇଁ ଲଢ଼େଇ କରୁଥିବା ଧାରଣାକାରୀଙ୍କୁ ସରକାର ଶତ୍ରୁ ନ ଭାବି ଶୌଚାଳୟ ପରି ସର୍ବନିମ୍ନ ସୁବିଧା ପ୍ରଦାନ କରନ୍ତୁ।
ଅମିତା ସାହୁ,ଧାରଣାକାରୀ

ବିଏମ୍‌ସି ବ୍ରିଟିସ ଅମଳର କର ଲଗାଉଛି
ବିଏମ୍‌ସି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଛି। ରାସ୍ତାରେ ନିଜର ହକ୍‌ ମାଗିଲେ ଓ ବିବାହ ଏବଂ ଶୋଭାଯାତ୍ରା କଲେ ଟିକସ ଲାଗୁ ହେବ। ଏହାଠାରୁ ଦୁଃଖଦ ଓ ବିଡ଼ମ୍ବନାର ବିଷୟ ଆଉ କିଛି ନାହିଁ। ଏହା ବ୍ରିଟିସ ଶାସନ ବେଳର କର ସହ ସମାନ। ବିଏମ୍‌ସି ରାସ୍ତା ଘାଟ ପରିଷ୍କାର, ଡ୍ରେନ୍‌ ସଫେଇ, କଲ୍ୟାଣ ମଣ୍ଡପ ନିର୍ମାଣକୁ ଗୁରୁତ୍ୱ ନଦେଇ ଟିକସ ଆଦାୟ କରିବାକୁ ଆଗଭର ହେଉଛି। କେବଳ ରାଜଧାନୀବାସୀଙ୍କୁ ଶୋଷଣ କରିବାକୁ ଯୋଜନା ହେଉଛି। ଏହାକୁ କେବେ ସଫଳ କରାଇ ଦିଆଯିବ ନାହିଁ। ଏନେଇ ଆନ୍ଦୋଳନ କରାଯିବ।
ଅମିୟ ଦାଶ, ଭୁବନେଶ୍ୱର ଜିଲ୍ଲା ପୂର୍ବତନ ସଭାପତି,

ଭାରତୀୟ ଜନତା ପାର୍ଟି
ଏହା ଏକ ଅଗଣତାନ୍ତ୍ରିକ ଫି’
ଏହା ଏକ ଅଗଣତାନ୍ତ୍ରିକ ଫି’ । ରାସ୍ତା ଘାଟ ସଫେଇ ପରିବର୍ତେ କର ଆଦାୟ କରି ବିଏମ୍‌ସି ସ୍ୱଚ୍ଛ ଦେଖାଉଛି। ସାଧାରଣ ଗରିବ ଓ ମଧବିତ୍ତ ପରିବାରଙ୍କ ଉପରେ ଜୁଲମ ପାଇଁ ଏହି ଯୋଜନା କରିଛନ୍ତି। ବିଜେଡି ସରକାରଙ୍କର ଏହା ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି। ଏହାକୁ ବରଦାସ୍ତ କରାଯିବ ନାହିଁ ।
ମନୋରଞ୍ଜନ ଦାଶ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି

ଲଜ୍ଜାଜନକ ନିଷ୍ପତ୍ତି
ନିଜର ହକ୍‌ ମାଗିବା ପାଇଁ ଧାରଣା ବା ପ୍ରତିବାଦ କଲେ ଏଥର କର ଦେବା, ଜିଜିଆ କର ପରି ସମାନ। ରାଜଧାନୀରେ ଲୋକ ଟକସ ଦେଉଥିବା ବେଳେ ବିବାହ ଓ ଶୋଭାଯାତ୍ରା ବେଳେ ଫି ଆଦାୟ କରିବା ଅତ୍ୟନ୍ତ ଲଜ୍ଜାଜନକ ନିଷ୍ପତ୍ତି।
ଚିତ୍ତ ରଞ୍ଜନ ଦାସ, ପୂର୍ବତନ ସାଧାରଣ ସମ୍ପାଦକ,

ଭୁବନେଶ୍ୱର ଓକିଲ ସଂଘ
ଭିନ୍ନ ଉପାୟରେ ଜରିମାନା ଆଦାୟ ହେଉ, ଟିକସ ନୁହେଁ
ଯଦି କୌଣସି ପ୍ରତିବାଦ ଶୋଭାଯାତ୍ରାରେ ଅଧିକ ଲୋକ ରାସ୍ତା ଜାମ କରୁଛନ୍ତି କିମ୍ବା ବିବାହ ଶୋଭାଯାତ୍ରା ବେଳେ ଅଧିକ ଶବ୍ଦ ପ୍ରଦ୍ୟୁଷଣ କରିବା ସହ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ପାଇଁ ଭିନ୍ନ ଉପାୟରେ ଜରିମାନା ଆଦାୟ ହେଉ। ଏପରି ଟିକସ ଆଦାୟ କଲେ ଯାହାର ଟଙ୍କା ଅଛି ସେମାନେ ଶୋଭାଯାତ୍ରା ଓ ପ୍ରତିବାଦ କରିବେ। ଯାହାର ଅର୍ଥ ନଥାଏ ଓ ସବୁଆଡ଼ୁ ନିରାଶ ହୋଇଥାଏ ସେ ହିଁ ପ୍ରତିବାଦ କରିବାକୁ ଆସେ। ଏହି ନିୟମ ତୁରନ୍ତ ପରିବର୍ତ୍ତନ କରିବା ପାଇଁ ତର୍ଜମା ହେବା ଉଚିତ୍‌।
ସହଦେବ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ।

ସମ୍ବନ୍ଧିତ ଖବର