ସାମାଜିକ ଦୂରତା ବଜାୟ ରଖିବା ପାଇଁ ରାଜଧାନୀରେ ହାଟବଜାର ସ୍ଥାନାନ୍ତର କରିବ ବିଏମସି

ଭୁବନେଶ୍ବର:  କୋଭିଡ୍-୧୯ ବା କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଥିବାବେଳେ, ଭୂୂବନେଶ୍ୱର ମହାନଗର ନିଗମ ତରଫରୁ ଏହାକୁ କଡାକଡି ପାଳନ କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଡିଓର୍ ବା ନିର୍ଦ୍ଧିଷ୍ଟ ନୀୟମାବଳି ଜାରି କରାଯାଇଛି । ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଏମସି ଦୋକାନଗୁଡିକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛି । ୟୁନିଟ୍ ୧ ଓ ୟୁନିଟ୍ ୪ ମାର୍କେଟକୁ ସ୍ଥାନାନ୍ତର କରାଯିବ । ରାଜମହଲରୁ ଏଜି ଛକ ଭିତରେ ଦୋକାନୀମାନଙ୍କୁ ବସାଯିବ । ପ୍ରତ୍ୟେକ ଦୋକାନୀଙ୍କ ଭିତରେ ଅତି କମରେ ୧୦ମିଟରର ଦୂରତା ରହିବ, ଯେପରି ଗ୍ରାହକଙ୍କ ପାଇଁ ଯଥେଷ୍ଟ ସ୍ଥାନ ରହିବ ।

ଭୁବନେଶ୍ୱର ସବୁଠାରୁ ଜନଗହଳିପୂର୍ଣ୍ଣ ହାଟ ୟୁନିଟ୍ – ୧ ମାର୍କେଟ । ପରିବାରୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ମିଳିଥାଏ ଏହିଠାରେ । ରାଜଧାନୀର ଅନେକ ଲୋକ ଏହି ହାଟ ଉପରେ ନିର୍ଭର କରନ୍ତି । ଏବେ କରୋନା ଭୂତାଣୁ ମୁକାବିଲା ନେଇ ଦେଶରେ ତାଲାବନ୍ଦ ଲାଗୁ ହେବା ପରେ ଭିଡ ହଟାଇବାକୁ ଏହି ହାଟକୁ ସ୍ଥାନାନ୍ତର କରାଯାଇଛି । ସାମାଜିକ ଦୂରତା ବଜାୟ ରଖିବାକୁ ଭୁବନେଶ୍ୱର ୟୁନିଟ୍ ୧ ହାଟ ଓ ୟୁନିଟ୍ – ୪ ହାଟକୁ ସ୍ଥାନାନ୍ତର କରାଯାଇଛି । ୟୁନିଟ୍ ୧ ହାଟକୁ ରାଜମହଲ ଛକ ରାସ୍ତା କଡ ଓ ୟୁନିଟ୍ ୪ ହାଇସ୍କୁଲ ଖେଳ ପଡିଆକୁ ସ୍ଥାନାନ୍ତର କରିଛି । ସେଠାରେ ଦୋକାନ ଦୋକାନ ମଧ୍ୟରେ ୧୦ ମିଟର ଦୂରତା ରହିବ । ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଲୋକଙ୍କୁ ଅଧିକ ସଚେତନ କରିବାକୁ ଏପରି ନିଷ୍ପତ୍ତି ନେଇଛି ବିଏମସି।

ସହରରେ ଥିବା ବିଭନ୍ନ ତେଜରାତି ଦୋକାନ ହେଉ କି ପରିବା ଦୋକାନ, ପ୍ରତ୍ୟେକ ଦୋକାନ ବାହାରେ ୨ ମିଟର ବ୍ୟବଧାନରେ ଗୋଲେଇ ବୁଲାଇବାକୁ ନିର୍ଦ୍ଦେଶ ଦିଆଯିବ । ଏହି ଗୋଲେଇ ସ୍ଥାନରେ ରହି ଗ୍ରାହକମାନେ ଦୋକାନରୁ ସାମଗ୍ରୀ କିଣିବେ । ଏନେଇ ଏସଓପି ଜାରି କରିଛି ବିଏମସି । ସେହିପରି ଯେଉଁ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ନାହିଁ, ସେଠାରେ ମୋବାଇଲ୍ ଭ୍ୟାନ୍ ଜରିଆରେ ଲୋକଙ୍କ ନିକଟରେ ସାମଗ୍ରୀ ପହଁଚାଇବାକୁ ନିଷ୍ପତି ହୋଇଛି । ପ୍ରତ୍ୟେକ ଭେଣ୍ଡିଂ ଜୋନ, ହାଟ ଏବଂ ଦୋକାନକୁ ସପ୍ତାହରେ ୨ ଥର ସଫା କରିବାକୁ ନିୟମାବଳୀ ହୋଇଛି ।

ସମ୍ବନ୍ଧିତ ଖବର