ଅବ୍ୟବସ୍ଥାରେ ବିଏମ୍‌ସି ଡାକ୍ତରଖାନା : ବହୁ ବିଭାଗ ବନ୍ଦ, ୩ ମାସ ହେଲା ଓଟି ଚାଲୁନି

ପୁରୁଣା ଭୁବନେଶ୍ୱର: ବିଏମ୍‌ସି ଡାକ୍ତରଖାନାରେ ଜାରି ରହିଛି ଅବ୍ୟବସ୍ଥା। ଡାକ୍ତରଖାନାରେ ବହୁ ବିଭାଗ ବନ୍ଦ ହୋଇଯାଇଛି। ୩ ମାସ ହେଲା ଓଟି(ଅସ୍ତ୍ରୋପଚାର ଗୃହ) ଚାଲୁନି। କୌଣସି ଅସ୍ତ୍ରୋପଚାର ହୋଇନାହିଁ। ଡାକ୍ତରଖାନାରେ ହୃଦରୋଗ ବିଭାଗ ପାଇଁ ନୂଆ ଘର ତିଆରି ସରିଥିଲେ ହେଁ, ଏହା ଲୋକଙ୍କ ସେବାରେ ଆସି ପାରିନି। ଡାକ୍ତରଖାନାର ଏଭଳି ଅବ୍ୟବସ୍ଥା ପ୍ରତିବାଦରେ ଏକାଧିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଡାକ୍ତରଖାନାରେ ଜଣେ ହେଲେ ନିଶ୍ଚେତକ ବିଶେଷଜ୍ଞ ନ ଥିବାରୁ ୩ ମାସ ହେବ ଅସ୍ତ୍ରୋପଚାର ଗୃହ ଖୋଲୁ ନଥିବା କୁହାଯାଉଛି। କେବଳ ପ୍ରସୂତି ବିଭାଗର କୌଣସି ଜରୁରୀ ଅସ୍ତ୍ରୋପଚାର କରାଯାଉଛି। ତାହା ପୁଣି କ୍ୟାପିଟାଲ ହସ୍‌ପିଟାଲର ଡାକ୍ତର ଏଠାକୁ ଆସି ନିଶ୍ଚେତକ ଦେଲେ ଅସ୍ତ୍ରୋପଚାର ହେଉଛି। ସେହିପରି ଡାକ୍ତରଖାନରେ ଥିବା ଲାପ୍ରୋସ୍କୋପି ମେସିନ୍‌ ୭ବର୍ଷରୁ ଅଧିକ ସମୟ ଧରି ଅଚଳ ହୋଇ ପଡ଼ିଛି। ମାତ୍ର ୬ଟି କେସ୍‌ ପରେ ଏହି ମେସିନ୍‌ ବ୍ୟବହାର ନ ହୋଇ ନଷ୍ଟ ହେବାକୁ ବସିଲାଣି। ଏଣ୍ଡୋସ୍କୋପି ମେସିନ୍‌ ୬ବର୍ଷ ହେବ ଅଚଳ। ଅଲ୍‌ଟ୍ରାସାଉଣ୍ଡ ବିଭାଗରେ ତାଲିମପ୍ରାପ୍ତ ଡାକ୍ତର ନଥିବାରୁ ମେସିନ୍‌ ଥାଇ ମଧ୍ୟ ରୋଗୀଙ୍କ କାମରେ ଆସୁନି। ପୂର୍ବରୁ ଚକ୍ଷୁ ଏବଂ ଦନ୍ତ ପରୀକ୍ଷା ମାଗଣାରେ ହେଉଥିବା ବେଳେ ଏବେ କିନ୍ତୁ ରୋଗୀଙ୍କଠାରୁ ୟୁଜର୍ସ୍‌ ଫି’ ନିଆଯାଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଦୀର୍ଘଦିନ ହେବ ଡାକ୍ତରଖାନାରେ ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌ର ସାଧାରଣ ପରିଷଦ ବୈଠକ ବସି ନାହିଁ।

ଅନ୍ୟପକ୍ଷରେ ବର୍ଷେ ତଳେ ସ୍ୱାସ୍ଥ୍ୟ ବିଭାଗ ବିଏମ୍‌ସି ଡାକ୍ତରଖାନାରେ ଏକ ହୃଦ୍‌ରୋଗ ବିଭାଗ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା। ସ୍ଥାନୀୟ ବିଧାୟକଙ୍କ ସମେତ ମେୟର ଏହି ବିଭାଗର ଶୁଭ ଦେଇଥିଲେ। ୧୧ମାସ ହେବ ଏହି ବିଭାଗର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମାତ୍ର ବିଭାଗ ପାଇଁ ଡାକ୍ତର ମିଳୁ ନ ଥିବାର ଯୁକ୍ତି ଦେଖାଇ ଡାକ୍ତରଖାନା କର୍ତୃପକ୍ଷ ଏହି ଗୃହକୁ ଦନ୍ତ, ଶିଶୁ ଓ ପାଥୋଲୋଜି ବିଭାଗକୁ ସ୍ଥାନାନ୍ତର କରିଛନ୍ତି। ଏହାସହ ସେଠାରେ ଷ୍ଟୋର ରୁମ୍‌ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଡାକ୍ତରଖାନାର ସମସ୍ୟାର ଶୀଘ୍ର ସମାଧାନ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚିକିତ୍ସାଳୟ ସୁରକ୍ଷା କମିଟି, ବିଜେପି ଏକାମ୍ର ଓ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ହସ୍‌ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିରୋଦ ଛୋଟରାୟ କହିଛନ୍ତି, କେତେକ ବିଭାଗରେ ସ୍ୱତନ୍ତ୍ର ପରୀକ୍ଷା ପାଇଁ ୟୁଜର୍ସ ଫି’ ନିଆଯାଉଛି। ହୃଦରୋଗ ବିଭାଗ ପାଇଁ ଡାକ୍ତର ମିଳୁ ନ ଥିବାରୁ ସେଠାକୁ କେତେକ ପୁରୁଣା ବିଭାଗ ସ୍ଥାନାନ୍ତର କରାଯିବ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଦିଆଯାଇଛି ବୋଲି ଡା.ଛୋଟରାୟ କହିଛନ୍ତି।

ନିରାଡ଼ମ୍ବରରେ ପାଳନ କରିବ ବିଏମ୍‌ସି

ଭୁବନେଶ୍ୱର: ବିଏମ୍‌ସି ଏଥର ସ୍ୱାୟତ୍ତଶାସନ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିବ। ଏଥର ସ୍ୱାୟତ୍ତ ଶାସନ ଦିବସରେ କୌଣସି ଉଦ୍‌ଘାଟନ କି ଶିଳାନ୍ୟାସ ହେବନି। ଜୁଲାଇ ମାସରେ ରାଜଧାନୀରେ ମୌସୁମୀ ବର୍ଷା ଜନିତ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟା ଯୋଗୁଁ ବିଏମ୍‌ସି କର୍ତ୍ତୃପକ୍ଷ ଏଥର ବିନା ଜାକଜମକରେ ସ୍ୱାୟତ୍ତଶାସନ ଦିବସ ପାଳନ କରିବେ ବୋଲି ନିଷ୍ପତ୍ତି ହୋଇଛି। ଶୁକ୍ରବାର ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସକାଳ ୮ଟା ୩୦ରେ ମେୟର ଅନନ୍ତ ନାରାୟଣ ଜେନା ପତାକା ଉତ୍ତୋଳନ କରିବେ। ପରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ମେୟର, କର୍ପୋରେଟର୍‌ ଏବଂ ବିଏମ୍‌ସିର ଅଧିକାରୀମାନେ ବିଏମ୍‌ସି ହସ୍ପିଟାଲରେ ରୋଗୀଙ୍କୁ ଫଳ ବାଣ୍ଟିବାର କାର୍ଯ୍ୟକ୍ରମ ଅଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମ୍‌ସିର ଯେଉଁ ପ୍ରକଳ୍ପଗୁଡ଼ିକ ଉଦ୍‌ଘାଟନ କି ଶିଳାନ୍ୟାସ ହେବାର ଥିଲା ସେଗୁଡ଼ିକୁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ କରାଯିବ।

ଏଥର ମଧ୍ୟ ଉଦ୍‌ଘାଟନ ହେବନି ଭିଏସ୍‌ଏସ୍‌ ନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବରେ ଭିଏସ୍‌ଏସ୍‌ ନଗର ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ୟୁସିଏଚ୍‌ସି ଉଦ୍‌ଘାଟନ ହେବ ବୋଲି ଆଶା ରଖିଥିଲେ ଭିଏସ୍‌ଏସ୍‌ ନଗରବାସୀ। ମାତ୍ର ଏଥର ମଧ୍ୟ ଅଞ୍ଚଳବାସୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଚଳିତବର୍ଷ ବିଏମ୍‌ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବାରୁ ଏହି ଡାକ୍ତରଖାନାର ଉଦ୍‌ଘାଟନ ହେବ ନାହିଁ। ଏଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ୨୦ ବର୍ଷ ତଳୁ ଘୋଷଣା ହୋଇଥିଲା ଓ ଏହାର ନିର୍ମାଣ ଶେଷ ହୋଇଥିଲେ ହେଁ ଏହାର ଉଦ୍‌ଘାଟନ ହୋଇପାରୁ ନାହିଁ।
ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଡାକ୍ତରଖାନାରେ କୌଣସି ଡାକ୍ତର କିମ୍ବା ପାରାମେଡିକଙ୍କୁ ଏ ପର୍ଯ୍ୟନ୍ତ ମଧ୍ୟ ନିଯୁକ୍ତି ଦିଆଯାଇ ନାହିଁ। ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦର ସାଧାରଣ ସଂପାଦକ ଦିଲ୍ଲୀପ ଦାଶଶର୍ମା କୁହନ୍ତି, ମହାନଗର ନିଗମର ବରିଷ୍ଠ ଅଧିକାରୀଙ୍କ ସହିତ ଏ ସଂପର୍କରେ ଆଲୋଚନା ହୋଇଥିଲା। ମାତ୍ର ତାଙ୍କ ନିକଟକୁ ଡାକ୍ତରଖାନା ନିର୍ମାଣ ଶେଷ ହେବା ନେଇ କୌଣସି ସୂଚନା ଆସି ନାହିଁ। ସୂଚନା ଆସିବା ପରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଅଧିକାରୀ ଜଣକ କହିଥିବା ଶ୍ରୀ ଦାଶଶର୍ମା କହିଥିଲେ। ଏନେଇ ସ୍ଥାନୀୟ କର୍ପୋରେଟର୍‌ ରଶ୍ମିତା ଜେନା କହିଛନ୍ତି, ଚଳିତବର୍ଷ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉ ନ ଥିବାରୁ ଡାକ୍ତରଖାନାର ଉଦ୍‌ଘାଟନ ହେବ ନାହଁ। ମାତ୍ର ଖୁବଶୀଘ୍ର ଉଦ୍‌ଘାଟନ ତାରିଖ ଘୋଷଣା କରାଯିବ ବୋଲି ଶ୍ରୀମତୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର