ଭୁବନେଶ୍ବର : ୟୁନିଟ-୧ ହାଟ ଏବଂ ୟୁନିଟ-୨ ମାର୍କେଟ୍ ବିଲଡିଂରେ ଦେଖା ଦେଉଥିବା ଭିଡ଼, ପାର୍କିଂ ସମସ୍ୟା, ଜବରଦଖଲ ଉଚ୍ଛେଦ ନେଇ ବିଏମ୍ସି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ରାଜମହଲରୁ ଏଜି ଏବଂ ଏଜିରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଫୁଟପାଥ୍କୁ ଜବରଦଖଲମୁକ୍ତ କରିବା ସହ ବ୍ୟବସ୍ଥିତ ପାର୍କିଂ କରିବା, ଶୌଚାଳୟଗୁଡ଼ିକର ପୁନରୁଦ୍ଧାର କରିବା ପାଇଁ ଯୋଜନା ହୋଇଛି। ଦଶହରା ପୂର୍ବରୁ ହାଟ ଏବଂ ମାର୍କେଟ୍ ବିଲଡିଂର ବାହାର ରୂପ ବଦଳାଇବାକୁ ନିଷ୍ପତ୍ତି ହୋଇଛି।
ବିଏମ୍ସିର ନିଷ୍ପତ୍ତି ଅନୁଯାୟୀ, ଏଣିକି ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ୟୁନିଟ-୧ ହାଟ ସମ୍ମୁଖରେ ଆଉ ବାଇକ୍ ପାର୍କିଂ ହେବନି। ଏଠାରେ ଗୋଟିଏ ଲେନ୍ରେ କେବଳ ଚାରିଚକିଆ ଯାନ ପାର୍କିଂ ହେବ। ସେହିପରି ହାଟ ଭିତରେ ଗଣେଶ ମନ୍ଦିର ନିକଟରେ ଯେଉଁଠି ବାଇକ୍ ପାର୍କିଂ ହେଉଛି, ସେହିଠାରେ ହିଁ ସମସ୍ତ ବାଇକ୍ ପାର୍କିଂ ହେବ। ଏଥିପାଇଁ ସେଠାରେ ଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦ କରିବା ସହ ପାର୍କିଂ ପାଇଁ ଚିହ୍ନଟ ଅଞ୍ଚଳରେ ପେଭର୍ ବ୍ଲକ୍ ବିଛାଯିବ। ଏଠାରେ ପ୍ରାୟ ୨୦୦ ବାଇକ୍ ପାର୍କିଂ ବ୍ୟବସ୍ଥା ରହିବ।
ସେହିପରି ହାଟ ସମ୍ମୁଖ ରାସ୍ତାକୁ ବ୍ୟାରିକେଡ୍ କରି ଏଠାରେ ପ୍ରାୟ ୫୦ଟି କାର୍ ପାର୍କିଂ ବ୍ୟବସ୍ଥା କରାଯିବ। ଗୋଟିଏ ଲେନ୍ ଭିତରେ ସବୁ କାର୍ ପାର୍କିଂ ହେବ। ଲେନ୍ ବାହାରେ କେହି ପାର୍କିଂ କଲେ, ପୁଲିସ ଜରିମାନା ଆଦାୟ କରିବ। ବର୍ତ୍ତମାନ ହାଟ ସମ୍ମୁଖ ରାସ୍ତାରେ ଦୁଇ ଲେନ୍ରେ ବାଇକ୍ ଓ କାର୍ ପାର୍କିଂ ହେଉଥିବା ବେଳେ ଏହାକୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ଏହାବାଦ୍ ହାଟକୁ ଆସୁଥିବା ଲୋକ ଯେପରି ପରିଷ୍କାର ଶୌଚାଳୟର ସୁବିଧା ପାଇବେ, ସେଥିପାଇଁ ବିଏମ୍ସି ପକ୍ଷରୁ ଏହା ଭିତରେ ଥିବା ଶୌଚାଳୟର ପୁନରୁଦ୍ଧାର ହେବ। ଏବେ ଯେଉଁ ଶୌଚାଳୟ ଅଛି ତା’ର ସମ୍ପ୍ରସାରଣ କରାଯିବା ସହ ଅଧିକ ସିଟ୍ ପକାଯିବ।
କେବଳ ଏତିକି ନୁହେଁ, ୟୁନିଟ-୧ ଏବଂ ୟୁନିଟ-୨ ହାଟ ପାର୍ଶ୍ବରେ ଥିବା ଫୁଟପାଥ୍କୁ ସଂପୂର୍ଣ୍ଣ ଜବରଦଖଲମୁକ୍ତ କରାଯିବ। ଏଥିପାଇଁ ସମସ୍ତ ଫଳ ବ୍ୟବସାୟୀଙ୍କୁ ନୋଟିସ୍ କରାଯାଇଛି। ବିଏମ୍ସିର ଫଳ ମାର୍କେଟ୍ ଏବେ ଖୋଲିବାକୁ ଥିବାରୁ ପୁରୁଣା ଫଳ ବ୍ୟବସାୟୀମାନେ ସେଠାକୁ ସ୍ଥାନାନ୍ତର ହେବେ। ଯେଉଁମାନେ ବଳି ପଡ଼ିବେ ସେମାନେ ହାଟ ଭିତରେ କିମ୍ବା ପରବର୍ତ୍ତୀ ସମୟରେ ସେମାନଙ୍କୁ ମିଳିବାକୁ ଥିବା ଭେଣ୍ଡିଂ ଜୋନ୍ରେ ବ୍ୟବସାୟ କରିବେ। କିନ୍ତୁ କେହି ଫୁଟପାଥ୍ ଜବରଦଖଲ କରିବେନି। ୟୁନିଟ-୨ ପାର୍ଶ୍ବରେ ଭେଣ୍ଡିଂ ଜୋନ୍ ପାଇଥିବା କେତେକ ବ୍ୟବସାୟୀ ଫୁଟପାଥ୍କୁ ଜବରଦଖଲ କରି ରଖିଥିବାରୁ ଏଠାରେ ଲୋକ ସୁବିଧାରେ ଯାତାୟାତ କରିପାରୁନାହାନ୍ତି। ତେଣୁ ବିଏମ୍ସି ପକ୍ଷରୁ ୧୫୦ରୁ ଅଧିକ ବ୍ୟବସାୟୀଙ୍କୁ ଫୁଟପାଥ୍ ଜବରଦଖଲ ନ କରିବାକୁ ନୋଟିସ୍ ଦିଆଯାଇଛି। ଜବରଦଖଲ କଲେ ସେମାନଙ୍କଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏହାସହ ୟୁନିଟ-୨ ମାର୍କେଟ୍ ବିଲଡିଂ ଆସୁଥିବା ଲୋକମାନେ ସରକାରୀ କ୍ବାର୍ଟର୍ସ ସମ୍ମୁଖରେ ଗାଡ଼ି ପାର୍କିଂ କରୁଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜୁଛି। ଏହାକୁ ନଜରରେ ରଖି ଆଉ ଏକ ପାର୍କିଂ ଅଞ୍ଚଳ ଚିହ୍ନଟ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଶନିବାର ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ େନତୃତ୍ବରେ ମାର୍କେଟ୍ ବିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର, ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନର ଓ ଇଞ୍ଜିନିୟରିଂ ଟିମ୍ ହାଟ ଓ ମାର୍କେଟ୍ ବିଲଡିଂର ବିଭିନ୍ନ ଅଞ୍ଚଳ ବୁଲିବା ପରେ ଏହି ସବୁ ନିଷ୍ପତ୍ତି ନେଇଛନ୍ତି।
ବାଧକ ସାଜିଛି ପରିବା ଗୋଦାମ
ହାଟକୁ ଅଧିକ ସଂକୁଚିତ ଏବଂ ହାଟ ଭିତରେ ଅଯଥା ଭିଡ଼ ସୃଷ୍ଟି କରୁଛି ପରିବା ଗୋଦାମ। ତେଣୁ ପରିବା ଗୋଦାମକୁ ଭଗବାନପୁରକୁ ସ୍ଥାନାନ୍ତର କରିବାକୁ ବିଏମ୍ସି ଯୋଜନା କରିଛି। ଏହି ଯୋଜନା ଦୁଇ ମାସ ତଳୁ ଚୂଡ଼ାନ୍ତ ରୂପ ନେଇଥିଲେ ହେଁ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇପାରୁନି। ସାଧାରଣ ପ୍ରଶାସନ ବିଭାଗ ବିଏମ୍ସିକୁ ପରିବା ଗୋଦାମ ପାଇଁ ୫ଏକର ଜମି ଯୋଗାଇ ଦେଇଥିଲେ ହେଁ ଏଠାରେ ଥିବା ବହୁ ୟୁକାଲିପଟାସ୍ ଗଛକୁ ଓଡ଼ିଶା ବନ ଉନ୍ନୟନ ନିଗମ କାଟୁନି। ତେଣୁ ବିଏମ୍ସି ତା’ର ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରିପାରୁନି।
ୟୁନିଟ-୧ ହାଟ ପୁନରୁଦ୍ଧାର ପ୍ରହସନ
ୟୁନିଟ-୧ ହାଟର ପୁନରୁଦ୍ଧାର କରିବା ପାଇଁ ବିଏମ୍ସି ଦୀର୍ଘ ବର୍ଷ ତଳୁ ଯୋଜନା କଲାଣି। ହେଲେ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିପାରୁନି। କିଛି ବର୍ଷ ତଳେ ହାଟ ନିକଟରେ ଥିବା କେତେକ ସରକାରୀ କ୍ବାର୍ଟର୍ସ ଉଚ୍ଛେଦ ହୋଇଥିବା ବେଳେ କେତେକ ବ୍ୟବସାୟୀଙ୍କୁ ଉଚ୍ଛେଦ କରି କାମ ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ହେଲେ ତାହା ହୋଇପାରିଲାନି। ହାଟ ଭିତରେ ବାରମ୍ବାର ଅଗ୍ନିକାଣ୍ଡ ଘଟିବା, ଅପରିଷ୍କାର ପରିସ୍ଥିତି ସୃଷ୍ଟି ହେବା କାରଣରୁ ବିଏମ୍ସି ପ୍ରଥମେ ଯୋଜନା କରିଥିଲା ଯେ ୟୁନିଟ-୧ ହାଟରେ ବହୁତଳ କୋଠା ନିର୍ମାଣ କରି ଏଠାରେ ବ୍ୟବସାୟୀମାନଙ୍କୁ ଥଇଥାନ କରିବ। କିନ୍ତୁ ଆଜି ଯାଏଁ ଏନେଇ କିଛି ନିଷ୍ପତ୍ତି ହୋଇପାରିଲାନି। ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିି ଯେ ୟୁନିଟ-୧ ହାଟର ପୁନରୁଦ୍ଧାର ପାଇଁ କ୍ରିଏଟିଭ୍ କନସଲଟାଣ୍ଟ ନାମକ ଏକ ସଂସ୍ଥାକୁ ନିୟୋଜିତ କରାଯାଇଛି। ଏହି ସଂସ୍ଥା ଡିପିଆର୍ ଦେବା ପରେ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯିବ।