ବିଏମ୍‌ସି ଅଫିସ ଘେରିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କାର୍ଯ୍ୟାଳୟ ଭିତରକୁ ଅଣ୍ଡା ମାଡ଼। ଭ୍ରଷ୍ଟାଚାର, ଅପାରଗତା, ଜନବିରୋଧୀ ନୀତି ପ୍ରତିବାଦରେ ଭୁବନେଶ୍ୱର ବିଜେପି ପକ୍ଷରୁ ଆଜି ଏଭଳି ବିକ୍ଷୋଭ କରାଯାଇଥିଲା। ବିଜେପି ପକ୍ଷରୁ ପ୍ରଥମେ ସମାବେଶ ହେବା ପରେ କର୍ମୀମାନେ ବିଏମ୍‌ସି କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବା ଉଦ୍ୟମ କରିବାରୁ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇଥିଲା। ବ୍ୟାରିକେଡ୍‌ ଭାଙ୍ଗି ବିଏମ୍‌ସି କାର୍ଯ୍ୟାଳୟକୁ ପ୍ରବେଶ ଲାଗି ଉଦ୍ୟମ କରିବାରୁ ୨୦୦ରୁ ଅଧିକ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। ପୂର୍ବ ନିଷ୍ପତ୍ତିି ଅନୁଯାୟୀ ଭୁବନେଶ୍ୱର ବିଜେପି ପକ୍ଷରୁ ପୂର୍ବାହ୍ନରେ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଜନ ସମାବେଶ ହୋଇଥିଲା। ଏଥିରେ ରାଜ୍ୟସ୍ତରୀୟ ନେତାମାନେ ସାମିଲ ହୋଇ କହିଲେ ବସ୍ତିବାସିନ୍ଦାଙ୍କୁ ଘର ପଟ୍ଟା ଯୋଗାଇ ଦେବା ପାଇଁ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇ ଭଣ୍ଡାଉଛନ୍ତି ବିଏମ୍‌ସି ମେୟର। ଏବେ ବି ବସ୍ତି ଅଞ୍ଚଳରେ ଲକ୍ଷାଧିକ ଲୋକ ଅସ୍ୱାସ୍ଥ୍ୟକର ପରିବେଶରେ ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି। ବିଏମ୍‌ସି ଅଧୀନ ଡାକ୍ତରଖାନା ଦ୍ୱାରା ୪ ବର୍ଷ ହେଲା ଠିକାଦାରମାନେ ଅଧିକ ଉପକୃତ ହେଉଛନ୍ତି। ସ୍ମାର୍ଟ ସିଟିକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେପରି କୌଣସି ଆଖି ଦୃଶିଆ କାମ ହୋଇପାରି ନାହିଁ। ରାଜଧାନୀବାସୀଙ୍କଠାରୁ ପାର୍କିଂ ଫି’ ନାଁରେ ଦାଦାବଟି ଆଦାୟ କରାଯାଉଛି। ଏଥିରେ ମେୟରଙ୍କ ସମେତ କର୍ପୋଟେରଙ୍କ ହାତ ରହୁଛି। ଶୌଚାଳୟ ଅଭାବ ଏପର୍ଯ୍ୟନ୍ତ ଦୂର ହୋଇ ନାହିଁ। ଗରିବ ଦୋକାନୀଙ୍କଠାରୁ ୟୁଜର୍ସ ଫି’ ଆଦାୟ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ବଞ୍ଚିତ କରାଯିବା, ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ନ ଦେବା ବିଏମ୍‌ସିର ଅପାରଗତାକୁ ପଦାରେ ପକାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା।

ସହରର ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସି ସମ୍ପୂର୍ଣ୍ଣ ବିଫଳ ହୋଇଛି। ବର୍ଷା ଜଳ ନିଷ୍କାସନର ସ୍ଥାୟୀ ସମାଧାନ ଦିଗରେ କୌଣସି ବି ପଦକ୍ଷେପ ନିଆଯାଉ ନାହିଁ। ସହରର ଦୈନିକ ହାଟରେ ମୌଳିକ ସୁବିଧା ଯୋଗାଇଦେବାରେ ବିଏମ୍‌ସି ବିଫଳ ହୋଇଛି। ବର୍ଷାଦିନେ ହାଟ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ୨୦୦୩ରୁ କର୍ପୋରେସନ ମାନ୍ୟତା ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆପଏଣ୍ଟମେଣ୍ଟ ଓ କନଜରଭେସନ ଅଫ୍‌ ହେରିଟେଜ୍‌ କମିଟି ଗଠନ ହୋଇ ନାହିଁ। ଯେଉଁଥିପାଇଁ କର ଦାତାମାନେ ଶୋଷଣର ଶିକାର ହେଉଛନ୍ତି। ବିନ୍ଦୁସାଗର ଓ କେଦାରଗୌରୀ ଐତିହାସିକ ପୁଷ୍କରଣୀ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବକ୍ତାମାନେ କହିଥିଲେ।ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାରେ ସମାବେଶ ଚାଲିଥିବା ବେଳେ ବିଜେପି କର୍ମୀମାନେ ହଠାତ୍‌ ବିଏମ୍‌ସି କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। କାର୍ଯ୍ୟାଳୟ ଉପରକୁ ଅଣ୍ଡା ମାଡ଼ କରିବା ସହ କର୍ମୀମାନେ ଧସେଇ ପଶିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଛକାପଞ୍ଝା ଚାଲିଥିଲା।

ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ କହିବାନୁଯାୟୀ ଭ୍ରଷ୍ଟାଚାରରେ ବୁଡ଼ି ରହିଛି ବିଏମ୍‌ସି। ମୃତ ବ୍ୟକ୍ତିଙ୍କ ପେନ୍‌ସନକୁ ହଡ଼ପ କରାଯାଉଛି। ଏଲଇଡି ଲାଇଟ୍‌, ହୋଲ୍ଡିଂ ଟ୍ୟାକ୍ସ ଦେବାରେ ପ୍ଲାନ ଆପ୍ରୁଭାଲରେ ଦୁର୍ନୀତି ହେଉଛି। ସିଏଜି ରିପୋର୍ଟରେ ବିଏମ୍‌ସିର ଲମ୍ବା ତାଲିକା ସତ୍ତ୍ୱେ ଦୋଷୀଙ୍କୁ ଦଣ୍ଡ ଦେବା ବଦଳରେ ସୁରକ୍ଷା ଦିଆଯାଉଛି। ଦୁର୍ନୀତି ବିରୋଧରେ ଲିପ୍ତ ଥିବା ମେୟର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସମାବେଶରେ ବିଜେପି ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ଦିଲ୍ଲୀପ ମହାନ୍ତି, ସୁଦୀପ୍ତ ରାୟ, ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ସଂଗ୍ରାମ ପାଇକରାୟ, ରାଜେନ୍ଦ୍ର ପଣ୍ଡା, ରତିକାନ୍ତ ଦାଶ, ରଘୁନାଥ ମହାନ୍ତି, ସୁରେଶ ଜେନା, ବିଶ୍ୱରଞ୍ଜନ ବଡଜେନା, ଅନୁସୂୟା ସାହୁ, ସଂଗ୍ରାମ ନାୟକ, ମିନାକ୍ଷୀ ପ୍ରିୟଦର୍ଶିନୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର