ସହରରୁ ଜଳ ନିଷ୍କାସନ ଚିନ୍ତା: ପ୍ରାକୃତିକ ନଳା ପୁନରୁଦ୍ଧ‌ାର ପାଇଁ ବିଏମ୍‌ସିର ଯୋଜନା

ଭୁବନେଶ୍ୱର: ବର୍ଷା ହେଲେ ଭାସୁଛି ସ୍ମାର୍ଟ ସିଟି। ଉବୁଟୁବୁ ହେଉଛନ୍ତି ବାସିନ୍ଦା। ବର୍ଷା ଜଳ କିପରି ତତ୍‌କ୍ଷଣାତ୍‌ ନିଷ୍କାସିତ ହୋଇ ପାରିବ ସେ ନେଇ ଯୋଜନା ହୋଇଛି। ଏଥିପାଇଁ ୧୩ଟି ‌ପ୍ରାକୃତିକ ନଳାର ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖାଯାଇଛି। ସମୁଦାୟ ୬୫.୬୨୧ କିଲୋମିଟର ଦୀର୍ଘ୧୩ଟି ପ୍ରାକୃତିକ ଡ୍ରେନ୍‌ର ପୁନରୁଦ୍ଧାର ପାଇଁ ୬୧.୪୩୮ ଏକର ଘରୋଇ ଜମି ଅଧିଗ୍ରହଣ କରିବାକୁ ସ୍ଥିର କରାଯାଇଛି। ଏଥିପାଇଁ ୭୫୩ କୋଟି ବ୍ୟୟ ଅଟକଳ ବି କରାଯାଇଛି। ନକ୍ସା ପ୍ରସ୍ତୁତି ସହ ଜମି ଚିହ୍ନଟ ସରିଛି। ଗୃହ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ବିଭାଗରେ ଏହି ପ୍ରସ୍ତାବର ଏବେ ବୈଷୟିକ ଦିଗ ତର୍ଜମା ଚାଲିଛି। ବିଭାଗର ମୋହର ବାଜିଲେ କାମ ଆରମ୍ଭ ହେବ ବୋଲି ବିଏମ୍‌ସି ସ୍ପଷ୍ଟ କରିଛି। ‘ଟ୍ରାନ୍‌ସ୍‌ଫର୍ମେବୁଲ ଡେଭଲପମେଣ୍ଟ ଆକ୍ଟ’ ବଳରେ ସିଧା ସଳଖ ଘରୋଇ ଜମି କିଣିବା ପାଇଁ ବିଏମ୍‌ସି ଅଧିକୃତ ହୋଇଛି। ଏଣୁ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରସ୍ତାବଟି ସରକାରଙ୍କର ଅନୁମୋଦନ ଲାଭ ପରେ ତୁରନ୍ତ କାମ ଆରମ୍ଭ ହେବ ବୋଲି କୁହାଯାଇଛି। ଏଣୁ ଆସନ୍ତା ବର୍ଷା ଦିନେ ସ୍ମାର୍ଟ ସିଟି ବାସିନ୍ଦା ଜଳବନ୍ଦୀରୁ କିଛିଟା ମୁକ୍ତି ପାଇପାରନ୍ତି ବୋଲି ଆଶା କରାଯାଉଛି।

ଏହି ବ୍ୟବସ୍ଥାରେ ୧୩ଟି ପ୍ରାକୃତିକ ନଳା ରହିଛି। ସେଗୁଡ଼ିକ ହେଉଛି ଚନ୍ଦ୍ରଶେଖରପୁର ଫରେଷ୍ଟ ଲେକ୍‌ରୁ ଗଙ୍ଗୁଆନାଳ, ସୈନିକ ସ୍କୁଲ ରୋଡ୍‌ କଲଭର୍ଟରୁ ରେଲୱେ ବ୍ରିଜ୍‌ ପାଖ ୩ ନମ୍ବର ଡ୍ରେନ୍‌, ସୈନିକ ସ୍କୁଲ ସାମ୍ନା ଗଜପତି ନଗରରୁ ଗଙ୍ଗୁଆ ନାଳ, ଏକାମ୍ର କାନନ ଲେକ୍‌ରୁ ଗଙ୍ଗୁଆନାଳ, ଜନପଥ ରୋଡ୍‌ର କଲଭର୍ଟରୁ ଗଙ୍ଗୁଆନାଳ, ରେଲ୍‌ୱେ ବ୍ରିଜ୍‌ ନିକଟ ବୁଦ୍ଧେଶ୍ବରୀ ନଗରରୁ ଗଙ୍ଗୁଆ ନାଳ, ଗଙ୍ଗନଗର ବନଦୁର୍ଗା ନଗରରୁ ଗଙ୍ଗୁଆ ନାଳ, ଭରତପୁର ହାତୀ ଅଭୟାରଣ୍ୟ ସାମ୍ନା ଓୟୁଏଟି ଫାର୍ମ ପାଖରୁ ପଞ୍ଚସଖା ନଗର ୯ ନମ୍ବର ଡ୍ରେନ୍‌, ନୂଆପଲ୍ଲୀ ମମତାଜ ଅଲ୍ଲୀ ହାଇସ୍କୁଲ ସାମ୍ନାରୁ ଗଙ୍ଗୁଆ ନାଳ, କିଟ୍‌ରୁ କ୍ଲବ୍‌ ଟାଉନ ପଛ ଡ୍ରେନ୍‌, ଓମ୍‌ଫେଡ୍‌ ଛକରୁ ଗାଡ଼କଣ ୧ ନମ୍ବର ଡ୍ରେନ୍‌, ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ୮ ନମ୍ବର ଡ୍ରେନ୍‌।

ସମ୍ବନ୍ଧିତ ଖବର