ରାଜଧାନୀବାସୀଙ୍କ ନିକଟତର ହେବାକୁ ବିଏମ୍‌ସିର ପ୍ରୟାସ

ପ୍ରଥମ ଜନସମ୍ପର୍କ ଦିବସ ପାଇଁ ଜୋରଦାର୍‌ ପ୍ରସ୍ତୁତି

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଯେପରି ଜନଶୁଣାଣି କରୁଛନ୍ତି ସେହି ଢାଞ୍ଚାରେ ରାଜଧାନୀରେ ଜନଶୁଣାଣି ହେବ। ଲୋକଙ୍କ ପାଖରେ (ଭୁବନେଶ୍ୱର ମହାନଗର ନିଗମ) ବିଏମ୍‌ସି ଅଧିକାରୀ ପହଞ୍ଚି ତାଙ୍କ ସମସ୍ୟା ଶୁଣିବେ ଓ ତା’ର ସମାଧାନ କରିବାକୁ ପଦକ୍ଷେପ ନେବେ। ପ୍ରଶାସନ ଲୋକାଭିମୁଖୀ ହେବା ନେଇ (ବିଏମ୍‌ସି) ପକ୍ଷରୁ ପ୍ରତ୍ୟେକ ମାସର ୧ ଓ ୧୬ ତାରିଖରେ ଜନସମ୍ପର୍କ ଦିବସ କରିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ଶନିବାର (ଡିସେମ୍ବର ୧୬)ରେ ବିଏମ୍‌ସିର ପ୍ରଥମ ଜନସମ୍ପର୍କ ଦିବସ ଆୟୋଜନ ହେବ। ୧୨ଟି ଯାକ ସବ୍‌ଜୋନ୍‌ରେ ଗୋଟିଏ ଦିନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଛି।

ପ୍ରଥମ ଜନସମ୍ପର୍କ ଦିବସକୁ ସଫଳ କରିବାକୁ ବିଏମ୍‌ସି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନସମ୍ପର୍କ ଦିବସ ପୂର୍ବରୁ ଡେପୁଟି କମିସନର କିମ୍ବା ନୋଡାଲ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିଏମ୍‌ସିର ତିନିଟି ଜୋନ୍‌କୁ ୧୨ଟି ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ୍‌ରେ ୪ଟି ଲେଖାଏ ସବ୍‌ଜୋନ୍‌ ରହିଛି। ଉତ୍ତର ଜୋନ୍‌ ଅଧୀନରେ ଇନ୍‌ଫୋସିଟି, ଜାଭିୟର୍‌, ବାଣୀବିହାର ଓ କୁଆଖାଇ ପରି ୪ଟି ସବ୍‌ଜୋନ କରାଯାଇଛି। ଇନ୍‌ଫୋସିଟି ସବ୍‌ଜୋନରେ ଓ୍ଵାର୍ଡ ନଂ-୧,୨,୬,୭ ଏବଂ ୮ କୁ ସାମିଲ କରାଯାଇଛି। ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଏହି ସବ୍‌ଜୋନ ନିମନ୍ତେ ଜନସମ୍ପର୍କ ଦିବସ ପାଳନ କରାଯିବ। ବିଏମ୍‌ସି ଉତ୍ତର ଜୋନ ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ର ଏଠାରେ ଲୋକମାନଙ୍କ ଅଭିଯୋଗ ଶୁଣାଣି କରିବେ। ସେହିପରି ଜାଭିୟର୍‌ ସବ୍‌ଜୋନରେ ଓ୍ଵାର୍ଡ଼ ନଂ-୧୩,୧୪,୧୬,୨୦,୨୧ ଏବଂ ୨୬କୁ ସାମିଲ କରାଯାଇଛି। ଏହି ସବ୍‌ଜୋନର ଜନସମ୍ପର୍କ ଦିବସ ବିଏମ୍‌ସି ଉତ୍ତର ଜୋନ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଓ୍ଵାର୍ଡ଼ ନଂ-୩,୯,୧୧,୧୨ ଓ ୧୭କୁ ନେଇ ଗଠିତ ବାଣୀବିହାର ସବ୍‌ଜୋନ ନିମନ୍ତେ ଭିଏସ୍‌ଏସ୍‌ ନଗର କମ୍ୟୁନିଟି ସେଣ୍ଟର ଓ ଓ୍ଵାର୍ଡ଼ ନଂ-୪,୫,୧୦,୧୮ ଓ ୧୯କୁ ନେଇ ଗଠିତ କୁଆଖାଇ ସବ୍‌ଜୋନର ଜନସମ୍ପର୍କ ଦିବସ ପାହାଳ ପିଏଚ୍‌ସି ହସ୍ପିଟାଲ୍‌ରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି।

ସେହିପରି ଓ୍ଵାର୍ଡ ନଂ ୧୫,୨୨, ୨୩, ୨୪ ଓ ୪୯କୁ ନେଇ ଗଠିତ ଖଣ୍ଡଗିରି ସବ୍‌ଜୋନରେ ଓ୍ଵାର୍ଡ଼ ନଂ-୨୨ ଅନ୍ତର୍ଗତ କ୍ଲଷ୍ଟର ୮ କମ୍ୟୁନିଟି ସେଣ୍ଟର, ଓ୍ଵାର୍ଡ ନଂ ୨୫, ୨୭, ୩୭, ୩୮ ଓ ୩୯କୁ ନେଇ ଗଠିତ ଇସ୍କନ୍‌ ଅଞ୍ଚଳ ସବ୍‌ଜୋନ୍‌ର ଶାସ୍ତ୍ରୀ ନଗର କମ୍ୟୁନିଟି ସେଣ୍ଟରରେ, ଓ୍ଵାର୍ଡ ୪୬, ୪୭, ୪୮, ୫୦, ୫୧ ଓ ୬୩କୁ ନେଇ ଗଠିତ ଓୟୁଏଟି ସବ୍‌ଜୋନର ୟୁନିଟ୍‌-୮ କମ୍ୟୁନିଟି ସେଣ୍ଟରରେ, ଓ୍ଵାର୍ଡ ୫୨,୬୨, ୬୪, ୬୫ ଓ ୬୬କୁ ନେଇ ଗଠିତ ବିମାନବନ୍ଦର ସବ୍‌ଜୋନର ପୋଖରୀପୁଟ ଏସ୍‌ୟୁଏଚ୍‌ରେ, ଓ୍ଵାର୍ଡ ୨୮, ୨୯, ୩୫, ୩୬, ୪୦ ଓ ୫୩କୁ ନେଇ ଗଠିତ ଭୁବନେଶ୍ୱର ଟାଉନ ଡିଷ୍ଟ୍ରିକ୍ଟ ସେଣ୍ଟର ନିମନ୍ତେ ସହିଦନଗର କଲ୍ୟାଣ ମଣ୍ଡପ, ଓ୍ଵାର୍ଡ ୩୦,୩୧, ୩୨, ୩୩, ୩୪, ୪୧, ୪୨କୁ ନେଇ ଗଠିତ ପୁରୁଣା କଟକ ରୋଡ଼୍‍ ସବ୍‌ଜୋନର ଯାତ୍ରୀ ନିବାସରେ, ଓ୍ଵାର୍ଡ ନଂ ୪୩, ୪୪, ୪୫, ୫୫, ୫୬ ଏବଂ ୫୭କୁ ନେଇ ଗଠିତ ଲକ୍ଷ୍ମୀସାଗର ସବ୍‌ ଜୋନ୍‌ର ବଡ଼ଗଡ଼ କଲ୍ୟାଣ ମଣ୍ଡପରେ ଏବଂ ଓ୍ଵାର୍ଡ ୫୪, ୫୮, ୫୯, ୬୦, ୬୧ ଏବଂ ୬୭କୁ ନେଇ ଗଠିତ ଲିଙ୍ଗରାଜ ସବ୍‌ଜୋନର ଦକ୍ଷିଣ ଚଣ୍ଡୀ କଲ୍ୟାଣ ମଣ୍ଡପରେ ପ୍ରଥମ ଜନସମ୍ପର୍କ ଦିବସ ପାଳନ ନେଇ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଓ୍ଵାର୍ଡ଼ ଅଧିକାରୀ, ସିଓ, ଜେଇ/ଏଇଇ(ପୂର୍ତ୍ତ, ବିଦ୍ୟୁତ ଓ ଜନସ୍ୱାସ୍ଥ୍ୟ ବିଭାଗ), ସ୍ୱଚ୍ଛତା ଅଧିକାରୀ ଏବଂ ଫାଇଲେରିଆ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ସେହିପରି ପ୍ରତି ମାସର ୧୭ ଓ ୧୮ ତାରିଖରେ ଜନସମ୍ପର୍କ ଦିବସରେ ଆସିଥିବା ଅଭିଯୋଗ ଓ ପ୍ରସ୍ତାବର ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର