ନୂଆ ଟିକସ ନିଷ୍ପତ୍ତି : ଓହରିଲା ବିଏମ୍‌ସି

ନୂଆ ଟିକସ ନିଷ୍ପତ୍ତି ଓହରିଲା ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀରେ ବିବାହ ସମୟରେ ବରଯାତ୍ରୀଙ୍କ ଶୋଭାଯାତ୍ରା ଓ ଅନ୍ୟାନ୍ୟ ଶୋଭାଯାତ୍ରା ପାଇଁ ୫ହଜାର ଟଙ୍କା ଏବଂ କୌଣସି ଧାରଣା/ବିକ୍ଷୋଭ ପାଇଁ ସର୍ବନିମ୍ନ ୫୦୦ଟଙ୍କ ଜମା କରିବା ନିଷ୍ପତ୍ତିରୁ ଆଜି ବିଏମ୍‌ସି ଓହରିଛି। ମେୟର ଅନନ୍ତ ନାରାୟଣ ଜେନା ନୂଆ ଟିକସ୍‌ ଆଦାୟ ନେଇ ଘୋଷଣା କରିବାର ୨୪ଘଣ୍ଟା ଭିତରେ ପୁଣି ନିଷ୍ପତ୍ତି ବଦଳାଇଛନ୍ତି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହିଭଳି ଟିକସ ଆଦାୟ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିୟମ- ୨୦୧୬ରେ ଏହି ନିୟମ ଅଛି। ହେଲେ ଏହାକୁ ଏବେ ଲାଗୁ କରାଯିବନି। ଶୋଭାଯାତ୍ରା, ଧାରଣା/ବିକ୍ଷୋଭ ପାଇଁ ଟିକସ ଆଦାୟ କରିବାକୁ ବିଏମ୍‌ସି ମେୟର ଘୋଷଣା କରିବା ପରେ ବିଏମ୍‌ସିର ଏହି ନିଷ୍ପତ୍ତିକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରିଥିଲେ। ତୁରନ୍ତ ଏହି ଜିଜିଆ କର ପ୍ରତ୍ୟାହାର ନ କଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ପ୍ରତ୍ୟାହାର ହୋଇଛି। ବିଭିନ୍ନ ରାଜନୈତିକ ଦଳର ବିରୋଧ ତେଜିବା ପରେ ବିଏମ୍‌ସିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ମେୟର ଘୋଷଣା କରିଥିବା ଟିକସ କିପରି ପ୍ରତ୍ୟାହାର ହେବ ସେନେଇ ବିଚାରବିମର୍ଷ ହୋଇଥିଲା। ଗୃହ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯଦିଓ ନୂଆ ଟିକସ ନୀତି ଆପଣାଇବାକୁ ନିଷ୍ପତ୍ତି ହୋଇଥିଲା କିନ୍ତୁ ଏହା ବିଏମ୍‌ସି କାଉନସିଲ୍‌ ବୈଠକରେ ପାରିତ ହୋଇ ନଥିବାରୁ ଏହାକୁ ଏବେ ଲାଗୁ କରାଯିବନି ବୋଲି ନିଷ୍ପତ୍ତି ହୋଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ୱଚ୍ଛ ଭାରତ ମିସନ ଗାଇଡଲାଇନ୍‌ ଅନୁଯାୟୀ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିୟମ-୨୦୧୬ ପ୍ରସ୍ତୁତ ହୋଇଛି। ଏଥିରେ ପ୍ଲାଷ୍ଟିକ ବର୍ଜ୍ୟ ଯେପରି ନିଷିଦ୍ଧ ହେବ ସେନେଇ ନିୟମ ଅଛି। ବିଭିନ୍ନ ପ୍ରକାରର ଶୋଭାଯାତ୍ରା, ବାହାଘର ଶୋଭାଯାତ୍ରା, ବିବାହ ଭୋଜି ଆଦି ସମୟରେ ବହୁତ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହୋଇଥିବାରୁ ଏଥିପାଇଁ ଟିକସ ଆଦାୟ କରିବାକୁ ନିୟମ ରହିଛି। ସେହିପରି ଧାରଣା/ବିକ୍ଷୋଭ ପାଇଁ ଟିକସ ଆଦାୟ କରିବାକୁ ବି ଏଥିରେ ନିୟମ ଅଛି। ଏହାକୁ ବିଏମ୍‌ସି ଲାଗୁ କରିବ କି ନାହିଁ ତାହା ଏବେ ପ୍ରସ୍ତାବସ୍ତରରେ ଅଛି। ବିଏମ୍‌ସିର ଷ୍ଟାଣ୍ଡିଂ କମିଟି ଏହାକୁ ଅନୁମୋଦନ କରିବା ପରେ କାଉନ୍‌ସିଲ୍‌ ବୈଠକରେ ଏହା ଉପରେ ଆଲୋଚନା ହେବ। କର୍ପୋରେଟର୍‌ମାନଙ୍କ ମତାମତ ପରେ ଏହା ପାରିତ ହେବ କି ଖାରଜ ହେବ ନିଷ୍ପତ୍ତି ହେବ। କାଉନସିଲ୍‌ ବୈଠକରେ ପାରିତ ହେଲେ ଏହାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମଞ୍ଜୁର କରିବାକୁ ପଠାଯିବ। ବର୍ତ୍ତମାନ ପାଇଁ ଏହା ସ୍ଥଗିତ ରହିଲା ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଲୋୟର ପିଏମ୍‌ଜିରୁ ଉଠିବ ଧାରଣାସ୍ଥଳୀ

ଲୋୟର ପିଏମ୍‌ଜିରେ ଆଉ ଧାରଣାସ୍ଥଳୀ ରହିବନି। ରାଜଧାନୀର କେନ୍ଦ୍ରସ୍ଥଳୀରେ ଏହି ଧାରଣାସ୍ଥଳୀ ରହୁଥିବାରୁ ବର୍ଷର ଅଧିକାଂଶ ସମୟରେ ଏଠାରେ ଅସମ୍ଭାଳ ଟ୍ରାଫିକ ସମସ୍ୟା ଉପୁଜୁଛି। ବଡ଼ ବଡ଼ ଶୋଭାଯାତ୍ରା ଏବଂ ବିକ୍ଷୋଭ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ପୂରା ଭୁଶୁଡ଼ି ପଡ଼ୁଛି। ଏପରିକି ଏହା ରେଳ ଷ୍ଟେସନ ସମ୍ମୁଖରେ ରହୁଥିବାରୁ ଯାତ୍ରୀଙ୍କ ଯାତାୟତରେ ସମସ୍ୟା ଉପୁଜିଛି। ତେଣୁ ଏହାକୁ ଘୁଞ୍ଚାଇବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆପାତତଃ ନିଷ୍ପତ୍ତି ହୋଇଛି। ଏଥିରେ ବିଏମ୍‌ସିକୁ ୫ଟି ପଡ଼ିଆ ଚିହ୍ନଟ କରି ଦେବାକୁ କୁହାଯାଇଥିବାବେଳେ ଆଜି ଏହି ୫ଟି ପଡ଼ିଆର ତାଲିକା ପୁଲିସ କମିସନରଙ୍କୁ ଦିଆଯାଇଛି। ବିଏମ୍‌ସି କମିସନର ଏହି ପ୍ରସ୍ତାବିତ ୫ଟି ପଡ଼ିଆର ତାଲିକା ଦେଇଛନ୍ତି।

ରାଜଧାନୀରେ ଯେପରି କୌଣସି ସଭାସମିତି, ବିକ୍ଷୋଭ/ଧାରଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ତାହାକୁ ନଜରରେ ରଖି ଏହି ୫ଟି ପଡ଼ିଆ ପ୍ରସ୍ତାବ ଦିଆଯାଇଛି। ଏଥିରୁ କେତୋଟି ପଡ଼ିଆ ସଭାସମିତି ଏବଂ ଧାରଣା ବିକ୍ଷୋଭ ପାଇଁ ବ୍ୟବହାର ହେବ ସେ ନିଷ୍ପତ୍ତି କମିସନରେଟ୍‌ ପୁଲିସ ନେବାକୁ କୁହାଯାଇଛି। ଏହି ପ୍ରସ୍ତାବରେ କ୍ରୀଡ଼ା ବିଭାଗ ଅଧୀନରେ ଥିବା ବରମୁଣ୍ଡା ପଡ଼ିଆ, ୟୁନିଟ-୩ରେ ଇଡକୋର ଥିବା ପ୍ରଦର୍ଶନୀ ପଡ଼ିଆ, ଓ୍ଵାର୍ଡ ୪୬ରେ ବିଏମ୍‌ସିର ଥିବା ୟୁନିଟ-୬ ପଡ଼ିଆ, ସିଆରପି ଛକ ନିକଟରେ ନୂଆପଲ୍ଲୀ ମୌଜାରେ ଥିବା ଇନ୍ଦିରା ମଇଦାନ ଏବଂ ଜନତା ମଇଦାନ ତାଲିକା ଦିଆଯାଇଛି। କେଉଁ ପ୍ରକାରର ସଭା ହେଲେ କେତେ ଲୋକ ହେବେ, କେଉଁଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ତାହାକୁ ନଜରରେ ରଖି ପଡ଼ିଆ ଅନୁମତି ଦେବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ଲୋୟର ପିଏମ୍‌ଜିରୁ ଧାରଣାସ୍ଥଳୀ ଉଠାଇବାକୁ ହାଇକୋର୍ଟରେ ମାମଲା ବିଚରାଧୀନ ଥିବାରୁ ଏହି ପଡ଼ିଆଗୁଡ଼ିକୁ ଏବେ ଧାରଣା/ବିକ୍ଷୋଭସ୍ଥଳୀ ଉଠାଇବା ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି। ଯଦି ହାଇକୋର୍ଟ ଲୋୟର ପିଏମ୍‌ଜିରୁ ଧାରଣାସ୍ଥଳୀ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଅନ୍ତି ତେବେ ଉପରୋକ୍ତ ପଡ଼ିଆ ମଧ୍ୟରୁ କେଉଁଠିକୁ ବିକ୍ଷୋଭ/ଧାରଣାସ୍ଥଳୀ ସ୍ଥାନାନ୍ତର ହେବ ତାହା ନିଷ୍ପତ୍ତି ନିଆଯିବ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ବାହାଘର ଶୋଭାଯାତ୍ରା, ବିଭିନ୍ନ ଶୋଭାଯାତ୍ରା, ବିକ୍ଷୋଭ/ଧାରଣା ପାଇଁ ବିଏମ୍‌ସି ଟିକସ ଆଦାୟ କରିବ ବୋଲି ଘୋଷଣା କରିବା ପ୍ରତିବାଦରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋଗଲଙ୍କ ପରି ବିଏମ୍‌ସି ଜିଜିଆ କର ଆଦାୟ କରୁଛି ବୋଲି ବିଜେପି ଅଭିଯୋଗ ଆଣିଛି। ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ବିଫଳ ହୋଇଥିବା ବିଏମ୍‌ସି ଯଦି ନୂଆ ଟିକସ ଆଦାୟ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନକରେ ତେବେ ଆଗାମୀ ଦିନରେ ବିଶାଳ ଜନ ଆନ୍ଦୋଳନ ହେବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି। ଆଜିର ଏହି ବିକ୍ଷୋଭରେ ବିଜେପିର ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ରାଜେନ୍ଦ୍ର ପଣ୍ଡା, ବିଶ୍ୱରଞ୍ଜନ ବଡ଼ଜେନା, ବିଭାସ ସେନଗୁପ୍ତ, ସୁଶାନ୍ତ ସାବତ, ସଂଗ୍ରାମ ନାୟକ, ଅଚ୍ୟୁତାନନ୍ଦ ରଣଜିତ୍‌, ଅମରେନ୍ଦ୍ର ଗରାବଡ଼ୁ, କାଳି ମିଶ୍ର, ଅନୁସୟା ସାହୁ, ଶିବ ବେହେରା, ବସନ୍ତ ରାଉତ, ପଦ୍ମାବତୀ ଜେନା, ଅଭିଶେକ ଆଚାର୍ଯ୍ୟ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର