ପରିମଳ ଯୋଜନାରେ ବିଏମ୍‌ସି ଫେଲ୍‌

ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର, ସ୍ୱଚ୍ଛତାରେ ପଛରେ

0 69

ଭୁବନେଶ୍ୱର: ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଦେଶର ୯୭ ସହରକୁ ପଛରେ ପକାଇ ଭୁବନେଶ୍ୱର ଏକ ନମ୍ବର ହୋଇଗଲା। କିନ୍ତୁ ସ୍ୱଚ୍ଛତା ରେସ୍‌ରେ ବହୁ ପଛରେ ଭୁବନେଶ୍ୱର ପଡ଼ିଯାଇଛି। ଏପରିକି ଦେଶର ଛୋଟ ଛୋଟ ସହର ‘ସ୍ୱଚ୍ଛ ସହର’ ହେବା ପାଇଁ ବହୁ ଆଖିଦୃଶିଆ ଏବଂ ନିଆରା ପଦକ୍ଷେପ ନେଇଥିବାବେଳେ ଭୁବନେଶ୍ୱର ଏଥିରୁ ବହୁ ଦୂରରେ ରହିଯାଇଛି। ଭୁବନେଶ୍ୱରକୁ ସ୍ୱଚ୍ଛ ସହର କରିବା ପାଇଁ ବର୍ଷକୁ ପ୍ରାୟ ୬୫କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଯେପରି ସଫଳତା ମିଳିବା କଥା ମିଳୁନାହିଁ। ବିଏମ୍‌ସି ଭୁବନେଶ୍ୱରକୁ ଦେଶର ଅଗ୍ରଣୀ ସ୍ୱଚ୍ଛ ସହରରେ ସାମିଲ୍‌ କରିବାରେ ଫେଲ୍‌ ମାରିଛି। ଯାହା ନିକଟରେ ପ୍ରକାଶ ପାଇଥିବା ସ୍ୱଚ୍ଛତା ସର୍ଭେକ୍ଷଣ-୨୦୧୮ ତାଲିକାରୁ ଜଣାପଡ଼ିଛି। ଯେଉଁ ସହରଗୁଡ଼ିକ ଖୁବ୍‌ କମ୍‌ ଦିନରେ ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇଛନ୍ତି ସେଠାରେ ଯେଉଁଭଳି ପଦକ୍ଷେପ ନିଆଯାଇଛି ତାହାକୁ ବିଏମ୍‌ସି ଆପଣାଇବାରେ କୌଣସି ସମସ୍ୟା ନଥିଲେ ବି କେତେକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଏବଂ କିଛି ନୂଆ ପଦକ୍ଷେପ ନନେଇ ପାରିବାର ଅକ୍ଷମତା ଯୋଗୁଁ ଏବେ ଭୁବନେଶ୍ୱର ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇପାରୁନି। ଏପଟେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯେଉଁ ସହର ସ୍ୱଚ୍ଛ ନୁହେଁ ତାହାକୁ ଆମେ ସ୍ମାର୍ଟ ସିଟି କହିପାରିବାନି।

ଭୁବନେଶ୍ୱର ସ୍ୱଚ୍ଛ ସର୍ବେକ୍ଷଣରେ ଭଲ ର‍୍ୟାଙ୍କ ନ ପାଇବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି ଯେ, କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବାରୁ ଆମେ ଭଲ ମାର୍କ ପାଇପାରିଲୁନି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେଉଁ ସହରଗୁଡ଼ିକ ଭଲ ର‍୍ୟାଙ୍କ ପାଇଛନ୍ତି ସେଥିରୁ ୯୦% ସହରରେ ଏହି ପ୍ଲାଣ୍ଟ ନାହିଁ। ଏପରିକି କେତେକ ସହରରେ ଡମ୍ପିଂୟାର୍ଡ ବି ନାହିଁ। ସହରଗୁଡ଼ିକ ଆବର୍ଜନା ସଂଗ୍ରହ କରିବାର ଶୈଳୀ ଏବଂ ଏହାର ପ୍ରକ୍ରିୟାକରଣରେ ସ୍ୱତନ୍ତ୍ରତା ଆଣିଥିବାରୁ ଭଲ ର‍୍ୟାଙ୍କ ପାଇଛନ୍ତି। ନିକଟରେ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସ୍‌ଇ) ପକ୍ଷରୁ ନୂଆଦିଲ୍ଲୀରେ ହୋଇଥିବା ଏକ କର୍ମଶାଳାରୁ ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ପଞ୍ଚଗାନି ଏବଂ ଭେଙ୍ଗରୁଲା, କେରଳର ଆଲଫୁଜା ଏବଂ ଥିରୁଅନନ୍ତପୁରମ୍‌, ସିକିମ୍‌ର ଗ୍ୟାଙ୍ଗଟକ୍‌ ଭଳି ସହରରେ ଘରୁ ଏବଂ ମାର୍କେଟରୁ ଆବର୍ଜନା ସଂଗ୍ରହ ବେଳେ ପୃଥକ ପୃଥକ କରି ଆଦାୟ ହେଉଥିବାବେଳେ ଏହାର ତୁରନ୍ତ ପ୍ରକି୍ରୟାକରଣ କରାଯାଉଛି। ଯାହା ଭୁବନେଶ୍ୱରରେ ହେଉନି। ଭୁବନେଶ୍ୱରରେ ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ଭାବେ ସଂଗ୍ରହ କରିବାକୁ ଦୁଇ ବର୍ଷ ହେଲା ନିୟମ ହେଲାଣି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଉନି। ସବୁ ଆବର୍ଜନା ଏକାଠି ସଂଗ୍ରହ ହେଉଛି। ଏହାକୁ ନେଇ ଡମ୍ପିଂୟାର୍ଡରେ ଗଦାଇ ଦିଆଯାଉଛି। ସେହିପରି ଜରି ଗୋଟାଳିଙ୍କ ଦ୍ୱାରା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଯୋଜନା ବର୍ଷକ ତଳେ ଆରମ୍ଭ ହୋଇଥିଲା। ଏହା ଯେଉଁଦିନ ଆରମ୍ଭ ହେଲା ତାହାର କିଛି ଦିନ ମଧ୍ୟରେ ଏହାର ଯବନିକା ପଡ଼ିଗଲା। ଆବର୍ଜନା ସଂଗ୍ରହ ପାଇଁ ପ୍ରତ୍ୟେକ ଗଳିକନ୍ଦିରେ ଡଷ୍ଟବିନ୍‌ ଥିବାବେଳେ ଏଥିରୁ ଅଧିକାଂଶ ଭାଙ୍ଗିରୁଜି ଗଲାଣି ଏପରିକି ରାସ୍ତା ଉପରେ ଗଦା ହେଉଛି। ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ହେଉଛି କି ନାହିଁ ତାହାକୁ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯାଉନି, ଲୋକ କିପରି ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ କରିବେ ସେନେଇ ସଚେତନତା ସୃଷ୍ଟି କରାଯାଉନି। ଅଧିକାଂଶ ସହରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ନିଷେଧ ହୋଇ ଯାଇଥିବାବେଳେ ଭୁବନେଶ୍ୱରରେ ୫୦ ମାଇକ୍ରନରୁ କମ୍‌ ପଲିଥିନ୍‌ ବ୍ୟବହାର ଉପରେ କଟକଣା ଲାଗିଛି। କିନ୍ତୁ ଏହାକୁ କଡ଼ାକଡ଼ି ପାଳନ କରାଯାଉନି। ଅଧିକାଂଶ ସ୍ଥାନରେ ପ୍ରତ୍ୟେକ ଦିନ ସଫେଇ ହେଉନଥିବାରୁ ଆବର୍ଜନା ଦିନ ଦିନ ଧରି ପଡ଼ି ରହୁଛି। ଯେଉଁଥିପାଇଁ ଭୁବନେଶ୍ୱର ଏବେ ଆବର୍ଜନାମୟ ସହର ପାଲଟିଗଲାଣି।

ଇନ୍ଦୋରରେ ଧର୍ମଗୁରୁ ବି ପ୍ରଚାର କରୁଛନ୍ତି
ଇନ୍ଦୋର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏଠାରେ ପ୍ରତ୍ୟେକ ଘରୁ ପୃଥକ ପୃଥକ ଭାବେ ଆବର୍ଜନା ସଂଗ୍ରହ କରାଯାଉଛି। ପ୍ରତ୍ୟେକ ଆବର୍ଜନା ସଂଗ୍ରହ ଗାଡ଼ିରେ ଡ୍ରାଇଭର, ହେଲପର ସହ ଜଣେ ସ୍ୱେଚ୍ଛାସେବୀ ସଂଗଠନର କର୍ମଚାରୀ ଯାଆନ୍ତି। ଏହି ସ୍ୱେଚ୍ଛାସେବୀ ଜଣଙ୍କ ପ୍ରତ୍ୟେକ ଦିନ ଆବର୍ଜନା ସଂଗ୍ରହ ନେଇ ତାଙ୍କର ରିପୋର୍ଟ ଦିଅନ୍ତି। ପ୍ରତ୍ୟେକ ଓ୍ଵାର୍ଡରେ ଏହିପରି ଆବର୍ଜନା ସଂଗ୍ରହ ହେଉଥିବାରୁ ଏବଂ ପରିଚାଳନା ହେଉଥିବାରୁ ଯେଉଁଠି ଭୁଲ୍‌ ରହେ ତାକୁ ତୁରନ୍ତ ସମାଧାନ କରାଯାଉଛି। ପଲିଥିନ୍‌ ବ୍ୟବହାର ବନ୍ଦ କରିବା, ପ୍ରତ୍ୟେକ ଘରେ ଆବର୍ଜନା ପୃଥକୀକରଣ କରିବା ପାଇଁ ବିଭିନ୍ନ ଧର୍ମଗୁରୁଙ୍କ ସହାୟତା ନିଆଯାଇଛି। ଧର୍ମଗୁରୁମାନେ ସେମାନଙ୍କୁ ଶ୍ରଦ୍ଧାଳୁଙ୍କୁ ଏନେଇ ପରାମର୍ଶ ଦେଉଛନ୍ତି। ଏହାସହ ସ୍କୁଲ ସ୍ତରରେ ପିଲାଙ୍କୁ, ମାର୍କେଟରେ ବ୍ୟବସାୟୀ ସଂଘ ମାଧ୍ୟମରେ ସଚେତନତା କରାଯାଉଛି। ସହରକୁ ସଂପୂର୍ଣ୍ଣ ଭାବେ ବାହାରେ ମଳତ୍ୟାଗମୁକ୍ତ ଅଞ୍ଚଳ କରାଯାଇଛି। ଏପରିକି ପରିମଳ ବ୍ୟବସ୍ଥାରେ ଯେପରି କୌଣସି ସମସ୍ୟା ନଉପୁଜିବ ଏବଂ ନିୟମ ଖିଲାପକାରୀଙ୍କୁ ସାବାଡ଼ କରିବା ପାଇଁ ୧୦୦ଟଙ୍କାରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାର ନିୟମ ରହିଛି। ପ୍ରତ୍ୟେକ ମାର୍କେଟ ଅଞ୍ଚଳରେ ଦିନକୁ ତିନି ଥର ସଫେଇ ହେଉଥିବାବେଳେ ଆବାସିକ ଅଞ୍ଚଳରେ ଦିନକୁ ଦୁଇଥର ସଫେଇ କରାଯାଉଛି।

ତିନି ସହରରେ ଗୋଟିଏ ବି ଡମ୍ପିଂୟାର୍ଡ ନାହିଁ
ପଞ୍ଚଗାନି, ଭେଙ୍ଗରୁଲା, ଆଲଫୁଜା ଭଳି ସହରରେ ତ ଡମ୍ପିଂୟାର୍ଡ ନାହିଁ। ଏଠାରେ ଆବର୍ଜନା ପୃଥକ ପୃଥକ ଭାବେ ସଂଗ୍ରହ ହେଉଥିବାବେଳେ ତୁରନ୍ତ କମ୍ପୋଷ୍ଟରେ ପରିଣତ କରାଯାଉଛି। ଅଜୈବ ଆବର୍ଜନାକୁ ବିଭିନ୍ନ ସଂସ୍ଥାକୁ ଦେଇ ଦିଆଯାଉଛି। ସହର ମଝିରେ ହିଁ ସବୁ କାର୍ଯ୍ୟ ହେଉଛି। କୌଣସି ସ୍ଥାନରେ ଗୋଟିଏ ବି ଡମ୍ପିଂୟାର୍ଡ ନାହିଁ।

୧୨୦ଟଙ୍କାର ଡଷ୍ଟବିନ୍‌ ୨୦ଟଙ୍କାରେ ଦିଆଯାଉଛି
ଇନ୍ଦୋରରେ ଲୋକମାନଙ୍କୁ ସୁବିଧାରେ ପୃଥକ ପୃଥକ ଡଷ୍ଟବିନ୍‌ ଯୋଗାଇବା ପାଇଁ ସହରର ସମସ୍ତ ପ୍ଲାଷ୍ଟିକ୍‌ ଆବର୍ଜନାକୁ ଏକ ଘରୋଇ କମ୍ପାନିକୁ ଦିଆଯାଉଛି। ଉକ୍ତ ସଂସ୍ଥା ଏଥିରୁ ଡଷ୍ଟବିନ୍‌ ପ୍ରସ୍ତୁତ କରି ଦେଉଛି। ଯେଉଁ ଡଷ୍ଟବିନ୍‌ ବଜାରରେ ୧୨୦ଟଙ୍କାରେ ବିକ୍ରି ହେଉଛି ସେହିଭଳି ଦୁଇଟି ଡଷ୍ଟବିନ୍‌ ୪୦ଟଙ୍କାରେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ତେଣୁ ପ୍ରତ୍ୟେକ ଘରେ ଦୁଇଟି ଡଷ୍ଟବିନ୍‌ ରହୁଛି। ବର୍ଜ୍ୟବସ୍ତୁରୁ ୨୫କିଲୋଓ୍ଵାଟ୍‌ ବିଦ୍ୟୁତ ସଂଗ୍ରହ ହେଉଛି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସଂସ୍ଥା ସହ ମିଶି ବାଇଓମିଥାନେସନ୍‌ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏହାକୁ ବିଭିନ୍ନ ଫୁଲ, ଫଳ ଓ ପରିବା ମଣ୍ଡି ପାଖରେ ନିର୍ମାଣ କରାଯାଇଛି। ଏଥିରୁ ବାଇଓ ସିଏନ୍‌ଜି ଉତ୍ପାଦନ ହେଉଛି। ଏଥିରେ ୨୦ଟି ବସ୍‌ ଚାଲିବା ପାଇଁ ବାଇଓ ସିଏନ୍‌ଜି ମିଳୁଛି।

ଖତର ମାର୍କେଟିଂ ଦାୟିତ୍ୱ ମହାନଗର ନିଗମ ନେଇଛି

ମୁଜାଫରପୁରରେ ପ୍ରତ୍ୟେକ ଘରୁ ପୃଥକ ପୃଥକ ଭାବେ ଆବର୍ଜନା ସଂଗ୍ରହ ହେଉଥିବାବେଳେ ଜୈବ ଆବର୍ଜନାକୁ ତୁରନ୍ତ କମ୍ପୋଷ୍ଟ ପ୍ଲାଣ୍ଟରେ ଖତରେ ପରିଣତ କରାଯାଉଛି। ମହାନଗର ନିଗମ ପକ୍ଷରୁ ଖତର ମାର୍କେଟିଂ କରିବା ସହ ଜୈବିକ କୃଷିକୁ ବାଧ୍ୟତାମୂଳ କରାଯାଉଛି। ଅଜୈବ ଆବର୍ଜନାକୁ ବିଶୋଧନ କରି ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି।

ଗ୍ରେଟର୍‌ ହାଇଦ୍ରାବାଦରେ ଷ୍ଟିଲ୍‌ ଟିଫିନ୍‌ରେ ମାଂସ ବିକ୍ରି
ଗ୍ରେଟର ହାଇଦ୍ରାବାଦରେ ପଲିଥିନ୍‌ ସଂପୂର୍ଣ୍ଣ ନିଷେଧ ହୋଇଛି। କୌଣସି ଦୋକାନରେ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାର ହେଉନି କି ସହରରେ ପଲିଥିନ୍‌ ଉତ୍ପାଦନ ହେଉନି। ଏପରିକି ସମସ୍ତ ଆମିଷ ଦୋକାନରେ ଷ୍ଟିଲ୍‌ ଟିଫିନ୍‌ରେ ଆମିଷ ବିକ୍ରି କରାଯାଉଛି। ଯିଏ ଘରୁ ଟିଫିନ୍‌ ନେଇ ଯାଇ ନଥିବେ ସେମାନେ ଟିଫିନ୍‌ କିଣିବାକୁ ବାଧ୍ୟ। ଏହି ସହର ଭଳି ଗ୍ୟାଙ୍ଗଟକ୍‌ରେ ବି ପଲିଥିନ୍‌ ଓ ପ୍ଲାଷ୍ଟିକ ନିଷେଧ କରାଯାଇଛି। ଏପରିକି ଏଠାକୁ ବହୁତ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଗାଡ଼ି ଚାଳକ, ଟୁର୍‌ ଅପରେଟରମାନଙ୍କୁ ଏନେଇ ସଚେତନ କରାଯାଇଛି। ସମସ୍ତ ଜୈବ ଆବର୍ଜନାକୁ ଖତରେ ପରିଣତ କରାଯାଇ ଲୋକଙ୍କୁ ବିକ୍ରି କରାଯାଉଛି। ଜୈବ କୃଷି ଏବେ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.