ଫେରିବ ଭୁବନେଶ୍ବର ସବୁଜିମା, ଲାଗିବ ୬୦ ହଜାର ଚାରା

ଚାରା ରୋପଣ ସ୍ଥାନ ଚିହ୍ନଟ କଲା ବିଏମ୍‌ସି

ଚନ୍ଦ୍ରଶେଖରପୁର: ବାତ୍ୟା ‘ଫନି’ ମାଡ଼ରେ ଉଜୁଡ଼ିଯାଇଛି ଭୁବନେଶ୍ବରର ସବୁଜିମା। ଲକ୍ଷାଧିକ ଗଛ ଭାଙ୍ଗିବା ସହ ବହୁ ବଡ଼ ବଡ଼ ବୃକ୍ଷ ଉପୁଡ଼ିପଡ଼ିଛି। ବାତ୍ୟାରେ ଥୁଣ୍ଟା ପାଲଟିଥିବା ରାଜଧାନୀର ସବୁଜିମା ଫେରାଇ ଆଣିବାକୁ ଏବେ ପ୍ରୟାସ ଆରମ୍ଭ ହୋଇଛି। ବନ ବିଭାଗ ସମେତ ବିଏମ୍‌ସି, ବିଡିଏ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଆରମ୍ଭ କରିଛନ୍ତି। ଚଳିତ ବର୍ଷା ଋତୁ‌ରେ ଭୁବନେଶ୍ବର ସହରରେ ୬୦ ହଜାର ବୃକ୍ଷରୋପଣ କରିବାକୁ ନିଷ୍ପତ୍ତି ହୋଇଛି। ଗତ ୫ ତାରିଖରେ ବସିଥିବା ରାଜ୍ୟସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଭୁବନେଶ୍ବରରେ ରୋପଣ ହେବାକୁ ଥିବା ୬୦ ହଜାର ଚାରା ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ‌ଯୋଗାଇ ଦେବ। ଏହି ଚାରା ମଧ୍ୟରୁ ଓଏଫ୍‌ଡିସି ୨୫ ହଜାର ଲଗାଇବ। ଏଥିସହ ଭୁବନେଶ୍ବର ଡିଏଫ୍‌ଓଙ୍କ ପକ୍ଷରୁ ୧୫ ହଜାର, ବିଡିଏ ୧୫ ହଜାର ଓ ବିଏମସି ୫ ହଜାର ଚାରା ରୋପଣ କରିବ।

ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ସହରରେ ବୃକ୍ଷରୋପଣ ଚାଲିଥିବା ବେଳେ ଆଜି ବିଏମ୍‌ସି ପକ୍ଷରୁ ବନ ମହୋତ୍ସବ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅଧୀନ ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟରେ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହି‌ଲେ, ନିର୍ବାଚନମଣ୍ଡଳୀକୁ ସବୁଜିମାମୟ କରାଯିବ। ଖୋଲା ସ୍ଥାନଗୁଡ଼ିକରେ ଯେପରି ଅଧିକରୁ ଅଧିକ ବୃକ୍ଷରୋପଣ ହୋଇପାରିବ ସେ‌ଦିଗରେ ପଦକ୍ଷେପ ନିଆଯାଉଛି। ବାତ୍ୟା ‘ଫନି’ରେ ଯେତିକି ବୃକ୍ଷ ଉପୁଡ଼ିଛି ତାହାର ଦୁଇଗୁଣ ଯେପରି ରୋପଣ ହୋଇପାରିବ ସେଥିପାଇଁ ସମସ୍ତେ ଆଗେଇ ଆସିବାର ଦରକାର। ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ପାର୍କ, ରାସ୍ତାପାର୍ଶ୍ବର ଖାଲି ସ୍ଥାନରେ ବୃକ୍ଷରୋପଣ କରିବା ଆବଶ୍ୟକ। ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ସହ ସାଧାରଣ ଲୋ‌କେ ଏଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ। ବୃକ୍ଷରୋପଣ ନେଇ ମହାବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ବିଏମ୍‌ସି ପରିବେଶ ଅଧିକାରୀ କପିଳେନ୍ଦ୍ର ସେଠୀ ଯୋଗଦେଇ କହିଲେ ଆଜି ବଉଳ, କରଞ୍ଜ, ଦେବଦାରୁ, ଆମ୍ବ ଓ ବର ଚାରାର ୫୦ଟି ବୃକ୍ଷରୋପଣ ହୋଇଛି। ଗତ ମେ’ ୩ରେ ଫନି ପ୍ରଭାବରେ ମହାବିଦ୍ୟାଳୟରୁ ନଷ୍ଟ ହୋଇଥିବା ଅଞ୍ଚଳରୁ ବୃକ୍ଷଗୁଡିକୁ ସଜାଡିବା ଓ ଅପସାରଣ ପରେ ଆଉ କିଛି ବୃକ୍ଷରୋପଣ ହେବ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ କହିଲେ, ମହାବିଦ୍ୟାଳୟକୁ ଏକ ଉଦାହରଣ ଯୋଗ୍ୟ ବୃକ୍ଷରୋପଣ ସ୍ଥଳ କରିବା ପାଇଁ ଆମେ ଏଭଳି ପଦକ୍ଷେପ ନେଇଛୁ। ବିଏମ୍‌ସି ସହିତ ହାତ ମିଳାଇଛୁ। କ୍ୟାମ୍ପସରେ ଲଗାଯାଇଥିବା ବୃକ୍ଷଗୁଡିକର ଯତ୍ନ ମହାବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବିଏମ୍‌ସିର ଉଦ୍ୟାନକୃଷି ବି‌ଶେଷଜ୍ଞ ଗରିଜା ଭୂଷଣ ଶତପଥୀ କହିଛନ୍ତି ଯେ ମହାବିଦ୍ୟାଳୟର ଏଭଳି ପ୍ରୟାସକୁ ସ୍ବାଗତ କରୁଛି। ବିଏମ୍‌ସି ଅଧୀନରେ ଥିବା ସହରର ୫୫ଟି ପାର୍କ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଏହି ଚାରାରୋପଣ କରାଯିବ। ଏଥିପାଇଁ ବିଏମ୍‌ସିର ସର୍ଭେ ଶେଷ ହୋଇଛି। ବର୍ଷା ଦିନ ମଧ୍ୟରେ ଚାରାରୋପଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର