ପିପିପି ମୋଡ୍‌ରେ ବିଏମ୍‌ସିର ସପିଂ ମଲ୍‌ : ନିଜ ଜମିରେ ନିଜର ଅଧିକାର ନାହିଁ

ଘରୋଇ ସଂସ୍ଥା ମାଲାମାଲ୍‌, ବିଏମ୍‌ସି କାଙ୍ଗାଳ

ଭୁବନେଶ୍ୱର : ନିଜ ଜମିର ସଦୁପଯୋଗ ନ କରିପାରିବାରୁ ଘରୋଇ ସଂସ୍ଥା ସହ ହାତ ମିଳାଇଥିଲା ବିଏମ୍‌ସି। ତିନିଟି ଘରୋଇ ସଂସ୍ଥାକୁ ରାଜଧାନୀ ଛାତି ଉପରେ ଥିବା ଶହଶହ କୋଟି ଟଙ୍କାର ଜମି ବି ଟେକି ଦେଲା। ପିପିପି ମୋଡ୍‌ରେ ୟୁନିଟ-୪, ୟୁନିଟ-୨ ଓ ସହିଦ ନଗରରେ ତିନିଟି ସପିଂ ମଲ୍‌ କରିବାକୁ ଚୁକ୍ତି ହେଲା। ମଲ୍‌ ବି ନିର୍ମାଣ ହେଲା। ହେଲେ ଏବେ ଘରୋଇ ସଂସ୍ଥା ସେମାନଙ୍କ ଭାଗ ବିକି ପାର। କିନ୍ତୁ ଆଇନ ଜାଲରେ ଫସି ବିଏମ୍‌ସି ନିଜ ଭାଗ ବିକ୍ରି କରିପାରୁନି। ଘରୋଇ ସଂସ୍ଥା ମାଲାମାଲ୍‌ ହୋଇଥିବାବେଳେ ବିଏମ୍‌ସିର ଏବେ କାଙ୍ଗାଳ ସ୍ଥିତି।

ରାଜଧାନୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କଥା ଉଠିଲେ ବିଏମ୍‌ସି କହୁଛି ଆବଶ୍ୟକ ବଜେଟ୍‌ ଆମ ପାଖରେ ନାହିଁ। ଯେଉଁ ପ୍ରକଳ୍ପ ଗୋଟିଏ ବର୍ଷରେ ଶେଷ ହେବା କଥା ସେଥିପାଇଁ ବର୍ଷ ବର୍ଷ ସମୟ ଲାଗିଯାଉଛି। ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇଲେ ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ ହେଉଛି। ଯେଉଁଠୁ କୋଟି କୋଟି ଟଙ୍କା ରାଜସ୍ୱ ପାଇବା କଥା ତାହାକୁ ହାତଛଡ଼ା କରି ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ଲଦୁଛି। ତିନିଟି ସପିଂ ମଲ୍‌ ବିଏମ୍‌ସି ନିଜ ନିୟନ୍ତ୍ରଣକୁ ଆଣିଲେ ଏବଂ ଏଥିରୁ ନିୟମ ମୁତାବକ ରାଜସ୍ୱ ଆଦାୟ ହେଲେ ବିଏମ୍‌ସି ଦେଶର ଅଗ୍ରଣୀ ପୌର ସଂସ୍ଥା ପାଲଟିଯିବ। ଏପରିକି ବର୍ତ୍ତମାନର ବଜାର ଦରକୁ ଦେଖିଲେ ଏହି ତିନିଟି ପିପିପି ପ୍ରକଳ୍ପରେ ବିଏମ୍‌ସିର ଭାଗ ୧୫୦କୋଟିରୁ ଅଧିକ ହେବ। ହେଲେ ବିଏମ୍‌ସି ହାତରେ ହାତ ବାନ୍ଧିି ବସିଛି। ଏପରିକି ବିଏମ୍‌ସିର ରାଜସ୍ୱ ଆଦାୟ ପାଇଁ ଆବଶ୍ୟକ ଭିତ୍ତିଭୂମି ଥାଇ ବି ସେଥିରୁ ରାଜସ୍ୱ ଆଦାୟ ହେଉନି। ଯାହା ନିକଟରେ ହୋଇଥିବା ସିଏଜି ଅଡିଟ୍‌ରେ ଦର୍ଶାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ବିଏମ୍‌ସି କର୍ତ୍ତୃପକ୍ଷ ନିଜ ଅବହେଳାରୁ ଯେତିକି ରାଜସ୍ୱ ପାଇବା କଥା ପାଉନାହାନ୍ତି। ଯେଉଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି। ଏପରିକି ରାଜସ୍ୱ ଆଦାୟ ପାଇଁ ଆବଶ୍ୟକ ଭିତ୍ତିଭୂମି ଥିଲେ ହେଁ କର୍ତ୍ତୃପକ୍ଷଙ୍କ ଅପାରଗତାରୁ ରାଜ୍ୟର ଶ୍ରେଷ୍ଠ ମହାନଗର ନିଗମ ଏବେ କ୍ଷତିରେ ଚାଲୁଛି। କେବଳ ବିଏମ୍‌ସି କେଶରୀ ମଲ୍‌ରେ ପ୍ରାୟ ୧୭କୋଟି ହରାଇଥିବା କୁହାଯାଇଛି।

ବିଏମ୍‌ସି-କେଶରୀ ମଲ୍‌

ୟୁନିଟ-୨ରେ ହୋଇଛି କେନ୍ଦ୍ରୀୟ ବାତାନୁକୂଳ ସପିଂ ମଲ୍‌ ବିଏମ୍‌ସି-କେଶରୀ ମଲ୍‌। ମଲ୍‌ ନାମରେ ବିଏମ୍‌ସି ନାମ ଯୋଡ଼ା ହୋଇଛି। ହେଲେ ବିଏମ୍‌ସି ଏବେ ସୁଦ୍ଧା ଏଠାରେ ସ୍ଥିତି ଜାହିର୍‌ କରିପାରିନି। ଗୋଟିଏ ବି ଦୋକାନକୁ ନିଜ ଅଧୀନକୁ ଆଣିନି। କେଶରୀ ମଲ୍‌ରେ କେବଳ ଘରୋଇ ସଂସ୍ଥା ଅଧୀନରେ ଥିବା ଦୋକାନଗୁଡ଼ିକ ମଧ୍ୟରୁ କେତୋଟି ବିକ୍ରି ହୋଇଥିବାବେଳେ କେତୋଟି ଭଡ଼ା ଲାଗିଛି। ଆଉ ଚୁକ୍ତି ଅନୁଯାୟୀ ବିଏମ୍‌ସିକୁ ଯେଉଁ ଦୋକାନ ସବୁ ମିଳିବା କଥା ତାହା ମିଳୁନି। ଏପରିକି ଉପର ମହଲାରେ କାର୍‌ ପାର୍କିଂ ପାଇଁ ଥିବା ଜାଗାରେ ଏକ ଫୁଡ୍‌ କୋର୍ଟ ଖୋଲାହୋଇଥିବାରୁ କାର୍‌ ପାର୍କିଂ ହୋଇପାରୁନି। ଏହା ବିଡିଏ ପ୍ଲାନକୁ ଉଲ୍ଲଂଘନ କରି ହୋଇଥିବା ଜଣାପଡ଼ିଛି। ୟୁନିଟ-୨ରେ ୧.୦୬୧ଏକର ଜମିରେ ନିର୍ମାଣ ହୋଇଛି ଏହି ବିଏମ୍‌ସି କେଶରୀ ମଲ୍‌। ୭୦ହଜାର ବର୍ଗଫୁଟ ଅଞ୍ଚଳରେ ଏହି ସପିଂ ମଲ୍‌ ଛିଡ଼ା ହୋଇଥିବାବେଳେ ମଲ୍‌ ଚାରିକଡ଼େ ପାର୍କିଂ ବ୍ୟବସ୍ଥା ରହିଛି। ଲିଫ୍ଟ ମାଧ୍ୟମରେ କାର୍‌ ଉପରକୁ ଉଠାଇ ଟେରାସ୍‌ରେ ପାର୍କିଂ ବ୍ୟବସ୍ଥା ହୋଇଛି। ଚୁକ୍ତି ଅନୁଯାୟୀ ଏହି ମଲ୍‌ରେ ଘରୋଇ ସଂସ୍ଥା ୬୫ପ୍ରତିଶତ ପାଇଥିବାବେଳେ ବିଏମ୍‌ସିକୁ ୩୫ପ୍ରତିଶତ ଦୋକାନ ମିଳିବ। ଏହା ଅନୁଯାୟୀ ବିଏମ୍‌ସିକୁ ୬୦ଟି ଦୋକାନ ମିଳିବ। ପ୍ରତ୍ୟେକ ଦୋକାନ ୨୦୦ବର୍ଗଫୁଟର ଅଛି। ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି ଯେତିକି ଦୋକାନ ପାଇବ ତାହାଠାରୁ ଅଧିକ ନିର୍ମାଣ ହୋଇଛି। ଏହା ବିଡିଏ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରି ୧୦ହଜାର ବର୍ଗଫୁଟ ଅଧିକ ନିର୍ମାଣ ହୋଇଛି। ନିୟମ ଉଲ୍ଲଂଘନ ହୋଇଥିବାରୁ ବିଡିଏ ଅକୁପାନ୍ସି ସାର୍ଟିଫିକେଟ୍‌ ଦେଉନି। ବିଏମ୍‌ସି ଅଧୀନରେ ଯେତିକି ସମ୍ପତ୍ତି ଅଛି ତା’ର ଅକୁପାନ୍ସି ସାର୍ଟିଫିକେଟ ନଥିବାରୁ ଏହା ଭଡ଼ାରେ ଦିଆଯାଇପାରୁନି। ବିଡିଏରେ ଏନେଇ ଘରୋଇ ସଂସ୍ଥା ପକ୍ଷରୁ ଆବେଦନ ହୋଇଛି। ଅକୁପାନ୍ସି ସାର୍ଟିଫିକେଟ ମିଳିଲେ ଆମେ ତୁରନ୍ତ ଏହାକୁ ଭଡ଼ାରେ ଲଗାଇବୁ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଡିଏ ଅକୁପାନ୍ସି ସାର୍ଟିଫିକେଟ ନ ଦେବା ନେଇ ବିଡିଏ ପ୍ଲାନିଂ ମେମ୍ବର ସୁଧି ରଂଜନ ମହାନ୍ତି କହିଛନ୍ତି ଯେ, ନିୟମ ଅନୁଯାୟୀ ଏହା ଉପରେ ରୋକ୍‌ ଲାଗିଥିଲା। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବ। ଏହାପରେ ବିଏମ୍‌ସି ଏହାର ସମ୍ପତ୍ତି ଅଧିଗ୍ରହଣ କରିପାରିବେ।

ବିଏମ୍‌ସି-ଭବାନୀ ମଲ୍‌

ସହିଦ ନଗରରେ ହୋଇଥିବା ବିଏମ୍‌ସି-ଭବାନୀ ମଲ୍‌ରେ ବିଏମ୍‌ସିର ମଲ୍‌ରେ ୭୫.୮୫ପ୍ରତିଶତ ଭାଗ ରହିଛି। ଏଥିରେ ପ୍ରାୟ ୭୬ହଜାର ବର୍ଗଫୁଟ ଅଞ୍ଚଳ ବିଏମ୍‌ସି ଭାଗରେ ପଡ଼ିଛି। ହେଲେ ଏଥିରୁ ଅଧାରୁ ଅଧିକ ସ୍ଥାନ ଏବେ ଖାଲି ପଡ଼ିଛି। ଏପରିକି ବିଏମ୍‌ସି-ଭବାନୀ ମଧ୍ୟରେ ହୋଇଥିବା ଚୁକ୍ତି ଦୁଇଥର ବଦଳିଥିବାବେଳେ ଏବେ ବିଏମ୍‌ସି ତାର ଭାଗରେ ପଡ଼ିଥିବା ବ୍ୟାବସାୟିକ ଅଞ୍ଚଳକୁ ଭଡ଼ାରେ ଲଗାଉଥିଲେ ହେଁ ମଲ୍‌ ପାଇଁ ସ୍ଥାନାନ୍ତର ହୋଇଥିବା ୧୮୨ଜଣ ସହିଦନଗର ହାଟ ବ୍ୟବସାୟୀଙ୍କୁ ଏ ପର୍ଯ୍ୟନ୍ତ ଥଇଥାନ କରାଯାଇପାରିଲାନି। ଦୀର୍ଘ ବର୍ଷ ହେଲା ଏହି ବିବାଦ ଲାଗି ରହିଥିଲେ ହେଁ ଏହାର ସମାଧାନ ହୋଇପାରୁନି। ଏନେଇ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆମେ ଡିସେମ୍ବର ସୁଦ୍ଧା ବ୍ୟବସାୟୀମାନଙ୍କୁ ଥଇଥାନ କରିବୁ। ଏଥିପାଇଁ ଲଟେରି ମାଧ୍ୟମରେ ଆମେ ଦୋକାନ ଘର ଆବଣ୍ଟନ କରିବୁ। ବିଏମ୍‌ସିରେ କର୍ମଚାରୀ ଅଭାବରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଓ ଅଧିଗ୍ରହଣରେ ବିଳମ୍ବ ହେଉଛି।

ବିଏମ୍‌ସି- ପଞ୍ଚଦୀପ ମଲ୍‌

ସେହିପରି ୟୁନିଟ-୪ରେ ଦୀର୍ଘ ୧୫ବର୍ଷରୁ ଅଧିକ ହେଲା ନିର୍ମାଣ ହେଉଛି ପଞ୍ଚଦୀପ ସପିଂ ମଲ୍‌। ଏଠାରେ ୩୮୩ ଡେସିମିଲ୍‌ ଜମି ଉପରେ ମଲ୍‌ ନିର୍ମାଣ ହେଉଥିବାବେଳେ ଏଥିରେ ବିଏମ୍‌ସିର ଭାଗ ୩୫ପ୍ରତିଶତ ରହିଛି। ତଳ ମହଲାରେ ବିଲଡର ଏବଂ ବିଏମସିର ଭାଗ ୭୨:୨୮, ପ୍ରଥମ ମହଲାରେ ୬୪:୨୬, ଦ୍ୱିତୀୟ ମହଲାରୁ ଷଷ୍ଠ ମହଲା ପର୍ଯ୍ୟନ୍ତ ୬୯.୪:୩୦.୬ ଅନୁପାତରେ ଦୋକାନ ମିଳିବ। ହେଲେ ଏପର୍ଯ୍ୟନ୍ତ ଏଠାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇନଥିବାବେଳେ ଉକ୍ତ ବିଲଡର ଅଧୀନରେ ଥିବା କେତୋଟି ଦୋକାନ ଭଡ଼ା ଲାଗିଲାଣି। ଏପରିକି କେତେକ ଦୋକାନ ବିକ୍ରି ସରିଲାଣି। ହେଲେ ନିର୍ମାଣ ଶେଷ ହୋଇନଥିବାରୁ ବିଏମ୍‌ସି ଏହି ମଲ୍‌ରେ ନିଜ ଅଧିକାର ସାବ୍ୟସ୍ତ କରିପାରୁନି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଏହାର ନିର୍ମାଣ ଶେଷ କରିବାକୁ କୁହାଯାଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ଆମେ ଏହାକୁ ନିଜ ଅକ୍ତିଆରକୁ ଆଣିବୁ। ବିଏମ୍‌ସି ଭାଗରେ ପ୍ରାୟ ୫୦ଟି ଦୋକାନ ଘର ପଡ଼ିବ। ଏହାକୁ ଭଡ଼ାରେ ଲଗାଯିବ ବୋଲି ସେ କହିଛନ୍ତି।

ସନ୍ଦେହରେ ସ୍ମାର୍ଟ ସିଟିର ପିପିପି ପ୍ରକଳ୍ପ

ବିଏମ୍‌ସି ପିପିପି ମୋଡ୍‌ରେ କରିଥିବା ତିନିଟି ଯାକ ସପିଂ ମଲ୍‌ରୁ ରାଜସ୍ୱ ପାଇବା ତ ଦୂରର କଥା ଏ ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ଆଣିପାରିନି। ପ୍ରକୃତ ହିତାଧିକାରୀଙ୍କୁ ସେମାନଙ୍କ ହକ୍‌ ମିଳିନି। ପ୍ରାୟ ୪ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକ୍ଷମ ପ୍ରକଳ୍ପକୁ ନିଜ ନିୟନ୍ତ୍ରଣକୁ ଆଣି ନପାରିବା ବିଏମ୍‌ସିର ପାରିବାପଣିଆକୁ ପଦାରେ ପକାଇଛି। ଏପଟେ ସ୍ମାର୍ଟ ସିଟି ପ୍ରକଳ୍ପରେ ବିଏମ୍‌ସି ଅଞ୍ଚଳରେ ପ୍ରାୟ ଅଢେଇ ହଜାର କୋଟିରୁ ଅଧିକ ଟଙ୍କାରେ ପିପିପି ପ୍ରକଳ୍ପ କରିବାକୁ ଯୋଜନା ହୋଇଛି। ଏଥିରେ ଆବାସ ଯୋଜନାଠାରୁ ଆରମ୍ଭ କରି ସପିଂ ମଲ୍‌ ଓ ବଡ଼ ବଡ଼ ପ୍ରକଳ୍ପ କରିବାକୁ ଯୋଜନା ହୋଇଛି। ଏଥିପାଇଁ ବିଏମ୍‌ସି ଜମି ଯୋଗାଇବ। ହେଲେ ଏତେ ପ୍ରକଳ୍ପକୁ ବିଏମ୍‌ସି କେମିତି ନିଜ ନିୟନ୍ତ୍ରଣକୁ ଆଣିବ ଏବଂ ହିତାଧିକାରୀଙ୍କୁ ସେମାନଙ୍କ ହକ୍‌ ଦେବ ସେନେଇ ଏବେ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର