ବିଏମ୍‌ସିକୁ ବର୍ଷା ଚିନ୍ତା : ମେ’ ପୂର୍ବରୁ ଡ୍ରେନ୍ ସଫେଇ

ଏଥର ମେସିନ୍ ଲଗାଇ ଡ୍ରେନ୍ ସଫା ହେବ, ୧୮୬ବର୍ଗକିମି ଡ୍ରେନ୍ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨କୋଟି, ୫୦ରୁ ୧୦୦ଫୁଟ ପର୍ଯ୍ୟନ୍ତ ସ୍ଲାବ୍ କାଢ଼ିବାକୁ ପଡ଼ିବନି

ଭୁବନେଶ୍ବର : ଜୁଲାଇ, ୨୦୧୮ରେ ହୋଇଥିବା ଲଘୁଚାପ ଜନିତ ବ‌ର୍ଷା ପୂରା ରାଜଧାନୀକୁ ବେହାଲ୍ କରିଦେଲା। ବିଏମ୍‌ସି ଅଧିକାରୀଙ୍କ ନିଦ ହଜେଇ ଦେଲା। କର୍ପୋରେଟରମାନେ ବି ୱାର୍ଡସ୍ତରରେ ଅପଦସ୍ଥ ହେଲେ। ରାଜ୍ୟ ସରକାର ବି ଅଡ଼ୁଆ ପରିସ୍ଥିତିରେ ପଡ଼ିଲେ।

କେବଳ ଏତିକିରେ ସରିଲାନି। ବିଏମ୍‌ସିର ସମସ୍ତ କର୍ପୋ‌ରେଟର୍‌ଙ୍କର ଗତ ୬ମାସ ହେଲା ଗୋଟିଏ ଦାବି, ଆମ ଅଞ୍ଚଳରେ କିଛି କର କି ନକର ଡ୍ରେନ୍‌ ନିର୍ମାଣ କର। ଶାସକ ଦଳର କର୍ପୋ‌‌ରେଟର୍‌ଙ୍କ ଦାବି ଏଥର ଯଦି ଭୁବନେଶ୍ବର ଜଳବନ୍ଦୀ ହେଲା, ତେବେ ବିରୋଧୀ ଛାଡ଼ିବେନି। ବିଜେଡି ହାତରୁ ବିଏମ୍‌ସି ଖସିଯିବ। ବର୍ଷା ପାଣି ଯେପରି ଡ୍ରେନ୍‌ରୁ ଉଠି ଘରେ ନ ପଶିବ, ସେ ଯୋଜନା କର। ଜାନୁଆରି ୧୬ରୁ କର୍ପୋରେଟର ଓ ମେୟରଙ୍କ କାର୍ଯ୍ୟକାଳ ସରିବା ପରେ ପ୍ରଶାସକଙ୍କ ହାତରେ ବିଏମ୍‌ସି ରହିଛି। ତେଣୁ ରାଜଧାନୀର ଡ୍ରେନ୍ ସମସ୍ୟା ଦୂର କରିବା ପାଇଁ ହଜାରେ କୋଟି ଖର୍ଚ୍ଚ କରିବାକୁ ବିଏମ୍‌ସି ପକ୍ଷରୁ ଯୋଜନା ହେଉଛି। ହେଲେ ଏହାକୁ କାର୍ଯ୍ୟକାରୀ କରିବାକୁ ୨ରୁ ୩ବର୍ଷ ଲାଗିବାକୁ ଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନ ଓ ବିଏମ୍‌ସି ନିର୍ବାଚନ ପୂର୍ବରୁ ଯେପରି ରାଜଧାନୀବାସୀଙ୍କ ବର୍ଷା ଦୁଃଖ ଦୂର ହେବ, ସେଥିପାଇଁ ବିଏମ୍‌ସି ନୂଆ ଯୋଜନା ପ୍ରସ୍ତୁତ କରିଛି। ଆସନ୍ତା ବର୍ଷାଋତୁ ପୂର୍ବରୁ ଅର୍ଥାତ୍ ମେ ପୂର୍ବରୁ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ରାଜଧାନୀରେ ଏବେ ପ୍ରାୟ ୮୦୦କିମି ଡ୍ରେନ୍ ଥିବା ବେଳେ ଏଥିରୁ ଅଧିକାଂଶ ଡ୍ରେନ୍ ବର୍ଷା ଋତୁ ପୂର୍ବରୁ ସଫା ହୋଇପାରୁନି। କେବଳ ବିଏମ୍‌ସି ଡ୍ରେନ୍ କେତେକ ସ୍ଥାନରେ ସଫା ହେଉଥିଲେ ହେଁ ହାତରେ ଏହି ଡ୍ରେନ୍ ସଫା ହେଉଥିବାରୁ ଏହା କଡ଼ରେ ଗଦା ହେଉଥିବା ପଙ୍କ ଓ ମାଟି ପୁଣି ଡ୍ରେନ୍‌ରେ ମିଶି ଯାଉଛି। ଏପରିକି ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ଇଡ୍‌କୋ ଅଧୀନରେ ଥିବା ଡ୍ରେନ୍‌ଗୁଡ଼ିକ ନିର୍ମାଣ ହେବା ଦିନଠାରୁ କାଁ ଭାଁ ସଫା ହୋଇଛି। ପ୍ରାୟ ସମସ୍ତ ଡ୍ରେନ୍ ପୋତି ହୋଇଗଲାଣି। ତେଣୁ ଅସରାଏ ବଡ଼ ବର୍ଷା ହେଲେ, ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ରାସ୍ତାରେ ପାଣି ଚାଲୁଛି ଆଉ ଘରେ ପାଣି ପଶୁଛି। ଏହାକୁ ନଜରରେ ରଖି ସମସ୍ତ ଡ୍ରେନ୍‌ ବର୍ଷା ଋତୁ ପୂର୍ବରୁ ସଫା କରିବାକୁ ନିଷ୍ପତ୍ତି ହୋଇଛି। ନଗର ଉନ୍ନୟନ ବିଭାଗ ମଧ୍ୟ ଏଥିପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବ ବୋଲି ବିଭାଗୀୟ ସଚିବ ଆଜି ପ୍ରତିଶ୍ରୁତି ଦେଇଛନ୍ତି।

ବିଏମ୍‌ସିର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ କହିଛନ୍ତି ଯେ ଏବେ ବିଏମ୍‌ସି ଅଞ୍ଚଳରେ ବିଏମ୍‌ସିର ୩୮୫ କିମ ଡ୍ରେନ୍, ପୂର୍ତ୍ତ ବିଭାଗର ୩୫୮କିମି ଡ୍ରେନ୍, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ୪୫କିମି ଡ୍ରେନ୍ ଏବଂ ଇଡ୍‌କୋର ପ୍ରାୟ ୧୨କିମି ଡ୍ରେନ୍ ଅଛି। ଏହିପରି ମୋଟ୍ ୮୦୦କିମିର ଡ୍ରେନ୍ ଅଛି। କିନ୍ତୁ ବିଏମ୍‌ସି ଡ୍ରେନ୍‌କୁ ଛାଡ଼ି‌େଦଲେ ଅନ୍ୟ କୌଣସି ଡ୍ରେନ୍ ନିୟମିତ ସଫା ହେଉନି। କେତେକ ସ୍ଥାନରେ ଡ୍ରେନ୍‌ ଉପରେ ପଡ଼ିଥିବା ସ୍ଲାବ୍‌ ଉଠାଇବା ସମ୍ଭବପର ନଥିବାବେଳେ ଆଉ କେତେକ ସ୍ଥାନରେ ସ୍ଲାବ୍ ଉଠାଇଲେ ଏହା ଭାଙ୍ଗି ଯାଉଛି। ତେଣୁ ‌ସ୍ଲାବ୍ ଉଠାଇ ଡ୍ରେନ୍ ସଫା କରିବା ସମ୍ଭବ ହେଉନି। ଏଥିପାଇଁ ଯାନ୍ତ୍ରିକ ପଦ୍ଧତିରେ ଡ୍ରେନ୍‌ ସଫେଇ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ବିଏମ୍‌ସି ଅଞ୍ଚଳରେ ଥିବା ପ୍ରାୟ ୧୮୬ବର୍ଗକିମି ଡ୍ରେନ୍‌ ସଫା କରାଯିବ। ଏଥିପାଇଁ ପ୍ରାୟ ୨କୋଟି ଖର୍ଚ୍ଚ ହୋଇପାରେ। ଯାନ୍ତ୍ରିକ ଉପାୟରେ ଡ୍ରେନ୍ ସଫେଇ ପାଇଁ ଆମେ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ ଆହ୍ବାନ କରିଥିବା ବେଳେ ଏହା ଆଜି ଶେଷ ହୋଇଛି। ଖୁବ୍ ଶୀଘ୍ର ଖର୍ଚ୍ଚ ଅଟକଳ ‌ପ୍ରସ୍ତୁତ କରି ଟେଣ୍ଡର ଡକାଯିବ। ମାର୍ଚ୍ଚ ମାସରୁ କାମ ଆରମ୍ଭ କରିବାକୁ ଯୋଜନା ଅଛି। ମାର୍ଚ୍ଚ ଓ ଏପ୍ରିଲ୍‌ ଦୁଇ ମାସରେ ଡ୍ରେନ୍ ସଫେଇ ଶେଷ ହେବ ବୋଲି ଶ୍ରୀ ଦୁରିଆ କହିଛନ୍ତି। ବିଏମ୍‌ସିର ଯୋଜନା ଅନୁଯାୟୀ, ଡ୍ରେନ୍ ସଫେଇ ପାଇଁ ଉଚ୍ଚକ୍ଷମତା ସଂପନ୍ନ ମେକାନିକାଲ ସକ୍ସନ ବ୍ୟବହାର ହେବ। ଏହାଦ୍ବାରା ଡ୍ରେନ୍‌ର ଗୋଟିଏ ସ୍ଥାନରେ ଏହାକୁ ବ୍ୟବହାର କଲେ ୫୦ରୁ ୧୦୦ଫୁଟ ପର୍ଯ୍ୟନ୍ତ ସ୍ଲାବ୍ କାଢ଼ିବାକୁ ପଡ଼ିବନି। ଯେଉଁଠି ଏହି ସକ୍ସନ ପାଇପ୍ ଶେଷ ହେବ ସେଠାରେ ଗୋଟିଏ କିମ୍ବା ଦୁଇଟି ସ୍ଲାବ୍ କାଢ଼ି ଆବର୍ଜନା କାଢ଼ି ହେବ। ଏହାସହ ଡ୍ରେନ୍‌ର ଓସାର ଅନୁଯାୟୀ ଏକ୍ସକାଭେସନ୍ ବୁମ୍‌ ଏବଂ ଜେଟ୍‌ ଏବଂ କମ୍ପ୍ରେସ୍ ଏୟାର ସିଷ୍ଟମ ବ୍ୟବହାର କରାଯିବ। ଏଥିରେ ଡ୍ରେନ୍‌ ଭିତରକୁ ଜୋର୍‌ରେ ପାଣି ସ୍ପ୍ରେ କରି ସମସ୍ତ ଅଳିଆ ଓ ଆବର୍ଜନାକୁ ନିଷ୍କାସନ କରାଯିବ। ଏହିସବୁ ଆବର୍ଜନାକୁ ତୁରନ୍ତ ସୈନିକ ସ୍କୁଲସ୍ଥିତ ଅସ୍ଥାୟୀ ଡମ୍ପିଂୟାର୍ଡରେ ପକାଯିବ ବୋଲି ନିଷ୍ପତ୍ତି ହୋଇଛି।

ଏହାପରେ ସମସ୍ତ ମୁଖ୍ୟ ଡ୍ରେନ୍‌ର ସଫେଇ ହେବ। ମେ’ ସୁଦ୍ଧା ଡ୍ରେନ୍ ସଫା ହେଲେ କାଳବୈଶାଖୀ ଜନିତ ବର୍ଷାରେ ବି ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା ଦୂର ହେବନି। ଏହାପରେ ବର୍ଷା ଋତୁ ଆରମ୍ଭ ହେଲେ ପୁଣି ଜୁଲାଇ ମାସରେ ଡ୍ରେନ୍ ସଫେଇ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର